ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ରାଜ୍ୟରେ ନୂଆ ମୋଟର ଯାନ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି । ଆଇନ୍ ଉଲଂଘନ କଲେ ହଜାର ହଜାର ଟଙ୍କା ଦଣ୍ଡ ମିଳୁଛି । ମାତ୍ର ସପ୍ତାହକ ଭିତରେ ଗଞ୍ଜାମ ଜିଲ୍ଲାରେ ୩୦ଲକ୍ଷ ଟଙ୍କା ଜରିମାନା କରାଯାଇଛି । ହେଲେ ସରକାରୀ ବାବୁ ମାନେ ଏହି ଆଇନ୍ ମାନୁନାହାନ୍ତି ବୋଲି ଅଭିଯୋଗ ହୋଇଛି । ସରକାରୀ ବାବୁଙ୍କୁ ଜଗିବାକୁ ଯୁବ ଗୋÂୀ ଏବେ ଆଗେଇ ଆସିଛନ୍ତି । ସାଧାରଣ ଲୋକ ଖାସ୍ କରି ପୁଲିସ ଓ ପରିବହନ ବିଭାଗ ଅଧିକାରୀଙ୍କ ଗାଡ଼ିକୁ ଜଗୁଛନ୍ତି ।
ଗଞ୍ଜାମ ଏଆର୍ଟିଓ ଶାନ୍ତନୁ କୁମାର ପରିଡ଼ା ଆଇନ ଉଲଂଘନ କରିଥିବା ଭିଡ଼ିଓ ଭାଇରାଲ୍ ହୋଇଛି । ସେ ଗତକାଲି ଜାତୀୟ ରାଜପଥରେ ଆସିବା ସମୟରେ ସିଟ୍ ବେଲ୍ଟ୍ ଦେଇନଥିଲେ ଏବଂ ତାଙ୍କ ଡ୍ରାଇଭର ମଧ୍ୟ ସିଟ୍ ବେଲଟ୍ ଭିଡ଼ି ନଥିବା ଅଭିଯୋଗ ହୋଇଛି । ଜାତୀୟ ରାଜପଥ କଡ଼ରେ ଏଆର୍ଟିଓ ପରିଡ଼ା ଗାଡ଼ି ଯାଞ୍ଚ କରିବା ପରେ ଅଫିସ୍ ଗାଡ଼ିରେ ବସି ଅନ୍ୟ ଜାଗାକୁ ଯାଉଥିଲେ । ତେବେ ବାଟରେ କିଛି ଯୁବକ ଘେରି ଯାଇଥିଲେ । ସାଧାରଣ ଲୋକ ଆଇନ୍ ଉଲଂଘନ କଲେ ହଜାର ହଜାର ଟଙ୍କା ଜରିମାନା ନେଉଛନ୍ତି କିନ୍ତୁ ଆପଣ ନିୟମ ଭାଙ୍ଗିଛନ୍ତି ବୋଲି ଅଭିଯୋଗ କରିବା ସହ ଜରିମାନା ଦେବେକି ନାହିଁ ବୋଲି ପ୍ରଶ୍ନ କରିଥିଲେ । ଏଆର୍ଟିଓ ପରିଡ଼ା ‘ଗାଡ଼ି ଚାଲିନାହିଁ’ ବୋଲି କହି ସମସ୍ତଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ । ସଙ୍ଗେ ସଙ୍ଗେ ଯୁବକ ମାନେ ତାଙ୍କ ଡ୍ରାଇଭର୍ଙ୍କ ଭିଡ଼ିଓ କରିଥିଲେ । ସେ ମଧ୍ୟ ସିଟ୍ ବେଲଟ୍ ଭିଡ଼ି ନଥିଲେ । ଯୁବକ ଓ ଏଆର୍ଟିଓଙ୍କ ଭିତରେ ବହୁ ସମୟଧରି ଯୁକ୍ତି ତର୍କ ହୋଇଥିଲା । ଶେଷରେ ଏହି ଭିଡ଼ିଓ ଆର୍ଟିଓ ସଞ୍ଜୟ କୁମାର ବିଶ୍ୱାଳଙ୍କ ନିକଟରେ ପହଞ୍ଚିଛି । ଆର୍ଟିଓ ବିଶ୍ୱାଳ କହିଛନ୍ତି, ଭିଡ଼ିଓରେ ସିଟ୍ ବେଲଟ୍ ଭିଡ଼ା ଯାଇନଥିବା ଦେଖିବାକୁ ମିଳିଛି । ମୋଟର ଯାନ ଆଇନ ସମସ୍ତଙ୍କ ପାଇଁ ସମାନ ରହିଛି । ତେଣୁ ସାଧାରଣ ଲୋକ ହୁଅନ୍ତୁ କି ସରକାରୀ ଅଧିକାରୀ ସମସ୍ତେ ଆଇନ ମାନିବା ଆବଶ୍ୟକ ।
Comments are closed, but trackbacks and pingbacks are open.