ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ!

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): କରୋନା ପଜିଟିଭ୍ ସହ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିବା କୋରାପୁଟ ଜିଲ୍ଲାର ଆଉ ୨ ଜଣ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ୭୦ ବର୍ଷୀୟ ବୃଦ୍ଧ ଏବଂ ଅନ୍ୟ ଜଣେ ୨୫ ବର୍ଷୀୟା ମହିଳା । କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଶ୍ମଶାନରେ ଉଭୟଙ୍କ ଶବ ସକ୍ରାର କରାଯାଇଛି । ଏହାକୁ ମିଶାଇ କରୋନା ପଜିଟିଭ୍ ଥାଇ ଜିଲ୍ଲାରେ ମୋଟ ୬ ଜଣଙ୍କ ମୃତୁ୍ୟ ହେଲାଣି । କିନ୍ତୁ ସରକାରଙ୍କ ତରଫରୁ ଜଣେ ହେଲେ କାହାରିକୁ ଏଯାଏଁ କରୋନାଜନିତ ମୃତୁ୍ୟ ବୋଲି ଘୋଷଣା କରାଯାଇନି ।
ମିଳିଥିବା ସୂଚନା ଅନୁଯାୟୀ, ମୃତ ବୃଦ୍ଧଙ୍କ ଘର କୋରାପୁଟ ସହର ପୂଜାରୀପୁଟ ଅଞ୍ଚଳରେ ଏବଂ ମୃତ ମହିଳା ଜଣଙ୍କ କାକିରିଗୁମ୍ମା ଅଞ୍ଚଳର । ମହିଳା ଜଣଙ୍କ ପୂର୍ବରୁ କିଡ୍ନୀ ରୋଗରେ ଏବଂ ବୃଦ୍ଧ ଜଣଙ୍କ ହୃଦ୍ରୋଗରେ ପୀଡିତ ଥିଲେ । ଉଭୟଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଥିଲା । ବୃଦ୍ଧଙ୍କ ଅବସ୍ଥା ଗୁରୁବାର ଗୁରୁତର ହୋଇପଡ଼ିଥିଲା । ତାଙ୍କୁ ଜୟପୁର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ଭୁବନେଶ୍ୱର ନିଆଯାଉଥିବା ବେଳେ ସୁଙ୍କି ଘାଟି ପରିହେବା ପରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଶବକୁ ସେହି ଆମ୍ବୁଲାନ୍ସରେ ଫେରାଇ ଅଣାଯାଇଥିଲା । ଆଜି ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପୂର୍ବାହ୍ନରେ ଦାହ କରାଯାଇଥିଲା ।
କାକିରିଗୁମ୍ମାର ମହିଳା ଜଣଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲର କୋଭିଡ୍ ଆଇସୋଲେସନ୍ ୱାଡର଼୍ରେ ରଖାଯାଇ ଚିକିତ୍ସା କରାଯାଉଥିଲା । ଗୁରୁବାର ରାତିରେ ତାଙ୍କ ମୃତୁ୍ୟ ହୋଇଥିଲା । ଆଜି ଉଭୟଙ୍କ ଶବ ସକ୍ରାର ବେଳେ ପ୍ରଶାସନ ପକ୍ଷରୁ କୋରାପୁଟ ପୌର ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ, ଟାଉନ ଥାନା ଆଇଆଇସି ପୀତବାସ ଧାରୁଆ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଥାଉକି, ଏହା ପୂର୍ବରୁ ଜିଲ୍ଲାରେ ୪ ଜଣ କରୋନା ପଜିଟିଭଙ୍କ ମୃତୁ୍ୟ ହୋଇଥିଲା । ସେମାନେ ଅନ୍ୟ ରୋଗରେ ପୀଡିତ ଥିଲେ ବି ସମସ୍ତଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିଥିଲା । ସେମାନଙ୍କ ମଧ୍ୟରେ ଜୟପୁରର ଜଣେ, ନନ୍ଦପୁରର ଜଣେ, ବୋରିଗୁମ୍ମାର ଜଣେ ଏବଂ କୋରାପୁଟର ଜଣେ ରହିଥିଲେ । କୋରାପୁଟ ସହରର ଜଣେ କିଡ୍ନୀ ଆକ୍ରାନ୍ତ ମହିଳାଙ୍କୁ ଆନ୍ଧ୍ରର ବିଶାଖାପାଟଣାଠାରେ ଚିକିତ୍ସା କରାଯଉଥିଲା । ସେଠାରେ ଡାକ୍ତରମାନେ ଅଣଦେଖା କରିବାକୁ ତାଙ୍କୁ ଜୁଲାଇ ୨୬ ତାରିଖରେ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଏବଂ ହସ୍ପିଟାଲକୁ ଅରାଯାଇଥିଲା । ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପଠାଯାଇଥିଲା । ରିପୋର୍ଟ ଆସିବା ଆଗରୁ ତାଙ୍କ ମୃତୁ୍ୟ ହୋଇଥିଲା । ତାଙ୍କ ଶବକୁ କୋଭିଡ୍ ଗାଇଡ୍ଲାଇନ ଅନୁସାରେ ଅଶୋକନଗରସ୍ଥିତ ଶ୍ମଶାନରେ ସକ୍ରାର କରାଯାଇଥିଲା । ଅନୁରୂପ ଭାବେ ଜୟପୁର ଜୟନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଜୟପୁର କୋଭିଡ୍ ହସ୍ପିଟାଲରୁ ଭୁବନେଶ୍ୱର ସ୍ଥାନାନ୍ତର ବେଳେ ବିଶାଖାପାଟଣାର ଇଚ୍ଛାପୁର ନିକଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତା ପରେ ବ୍ରହ୍ମପୁର ନିକଟ ଟାଟା କୋଭିଡ୍ ହସ୍ପିଟାଲରେ ତାଙ୍କ ମୃତୁ୍ୟ ହୋଇଥିଲା । ପରିବାର ଲୋକଙ୍କ ଉପସ୍ଥିତିରେ ଶବ ପୋତିଥିଲା ପ୍ରଶାସନ । ଗତ ୫ ତାରିଖରେ ଜୟପୁର ପାରବେଡ଼ାରେ ରହିଆସୁଥିବା ବୋରିଗୁମ୍ମା ଅଞ୍ଚଳର ଜଣେ ଯୁବକଙ୍କର ମଧ୍ୟ ମୃତୁ୍ୟ ହୋଇଥିଲା । ଛାତିରେ ଯନ୍ତ୍ରଣା ଯୋଗୁ ପ୍ରଥମେ ତାଙ୍କୁ କୋରାପୁଟ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପଜିଟିଭ୍ ଚିହ୍ନଟ ପରେ ଜୟପୁର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ନେବା ବାଟରେ ରାଜମ-ଶ୍ରୀକାକୁଲମ ମଝି ରାସ୍ତାରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ନନ୍ଦପୁର ବ୍ଲକ ପାଡୁଆ ଅଞ୍ଚଳର କୋଭିଡ୍ ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କ ଗତ ୫ ତାରିଖରେ ମୃତୁ୍ୟ ହୋଇଥିଲା । ଭୁବନେଶ୍ୱରରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ମୃତୁ୍ୟ ହୋଇଥିବା ସେଠାକାର ସରପଞ୍ଚ ସୂଚନା ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons