ବାଲେଶ୍ୱର,(ବି.ବି.ନୁ୍ୟଜ): ବାଲେଶ୍ୱର ସଦର ବ୍ଲକ ଜୟଦେବକସବା ପଞ୍ଚାୟତ ଅନ୍ତର୍ଗତ ନ’ ହଜାର ଲୁଣପାହି ଅଞ୍ଚଳରେ ବୁଧବାର ରାତିରେ ଆକାଶରୁ କୌଣସି ରକେଟ ଭଳି ଯାନର ଭଗ୍ନାବଶେଷ ଖସିଥିଲା । ଏହାକୁ ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ ।
ଗ୍ରାମବାସୀଙ୍କ ସୂଚନା ମୁତାବକ, ରାତି ପ୍ରାୟ ୮ଟା ବେଳେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଶବ୍ଦ ଶୁଣି ଲୋକେ ତାଜୁବ୍ ହୋଇ ଯାଇଥିଲେ । ପରେ ଘଟଣାସ୍ଥଳକୁ ଦୌଡ଼ିଥିଲେ । ସେଠାରେ ଏହି ଭଗ୍ନାବଶେଷ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ । ଏଥିରେ କେହି ଆହତ ହୋଇନାହାନ୍ତି । ଭଗ୍ନାବଶେଷ କାହାର ତାହା ଜଣାପଡ଼ିନାହିଁ । ଏହା କ୍ଷେପଣାସ୍ତ୍ରର ଭଗ୍ନାବଶେଷ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ମାତ୍ର ଏନେଇ ଡିଆର୍ଡିଓ ପକ୍ଷରୁ କୌଣସି ସୂଚନା ମିଳିନି ।
ଏପଟେ ଚାନ୍ଦିପୁରସ୍ଥିତ ଆଇଟିଆର ପକ୍ଷରୁ ବୁଧବାର କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ରାତ୍ରକାଳୀନ ବ୍ୟବହାରିକ ପରୀକ୍ଷଣ କରାଯାଇଛି । ଆଜି ରାତି ୭ଟା ୬ମିନିଟ୍ରେ ଆଇଟିଆର ୩ ନମ୍ବର ଲଞ୍ଚ ପ୍ୟାଡ୍ରୁ ଏକ ଚଳମାନ ଯାନରେ ଏହି ପରୀକ୍ଷଣ କରାଯାଇଥିଲା । ରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆରଡିଓ)ର ରାଡାର ଓ ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଦ୍ୱାରା ଓଡ଼ିଶା ଉପକୂଳସ୍ଥ ଟେଲିମେଟ୍ରି ଷ୍ଟେସନ ସହାୟତାରେ ଏହି କ୍ଷେପଣାସ୍ତ୍ରର ଗତିପଥ ଉପରେ ନଜର ରଖାଯାଇଥିଲା ।
ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରଟି ଭୂପୃÂରୁ ଭୂପୃÂକୁ ଉତ୍କ୍ଷେପଣ କରାଯାଇପାରିବ । ଏହାର ଲକ୍ଷଭେଦ କ୍ଷମତା ୩୫୦ କିମି । ପୃଥ୍ୱୀ-୨ କ୍ଷେପଣାସ୍ତ୍ର ୫୦୦ରୁ ୧୦୦୦ କିଗ୍ରା ଯାଏ ଯୁଦ୍ଧାସ୍ତ୍ର ବହନ କରି ପାରିବ । ଏହାର ଲମ୍ବ ୯ ମିଟର, ମୋଟେଇ ୧୧୦ ସେମି, ଓଜନ ୪.୬ ଟନ୍ ରହିଛି ।
ଏହି କ୍ଷେପଣାସ୍ତ୍ରକୁ ୨୦୦୩ ମସିହାରୁ ଭାରତୀୟ ସେନାରେ ସାମିଲ କରାଯାଇଛି । ତେବେ ଡିଆର୍ଡିଓ ସହଯୋଗରେ ପ୍ରତିରକ୍ଷା ବାହିନୀର ଷ୍ଟ୍ରାଟେଜିକ୍ ଫୋର୍ସର କମାଣ୍ଡୋଙ୍କ ପକ୍ଷରୁ ନିୟମିତ ଭାବେ ଏହାର ପରୀକ୍ଷଣ ହୋଇଥାଏ । ପୂର୍ବରୁ ଏହି କ୍ଷେପଣାସ୍ତ୍ରର ରାତିରେ ପରୀକ୍ଷଣ କରାଯାଇଥିଲା । ଗତବର୍ଷ ନଭେମ୍ବରରେ ଗୋଟିଏ ଦିନରେ କ୍ରମାଗତ ୨ଥର ସଫଳ ପରୀକ୍ଷଣ କରି ଚାନ୍ଦିପୁର ଆଇଟିଆର୍ ବିରଳ ଇତିହାସ ରଚିଥିଲା । ଚଳିତବର୍ଷ ସେପ୍ଟେମ୍ବର ୨୩ ତାରିଖରେ ମଧ୍ୟ ଚାନ୍ଦିପୁରରୁ ସଫଳତାର ସହ ପୃଥ୍ୱୀ-୨ର ପରୀକ୍ଷଣ କରାଯାଇଥିଲା ।


Comments are closed, but trackbacks and pingbacks are open.