ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଭୁବନେଶ୍ୱର, କଟକ ଓ ଗଞ୍ଜାମରୁ ୩ ରୋଗୀଙ୍କ ମୃତୁ୍ୟ ହୋଇଛି । ଆଜି ସ୍ୱାସ୍ଥ୍ୟ ବିଭାଗ ଏହି ମୃତକଙ୍କ ସମ୍ପର୍କରେ ସୂଚନା ଦେଇଛି ।
ଗଞ୍ଜାମ ଜିଲ୍ଲାରୁ ମୃତକ ଜଣକ ଜଣେ ୭୫ ବର୍ଷୀୟ ବୃଦ୍ଧ । କରୋନାରେ ଆକ୍ରାନ୍ତ ହୋଇ ସେ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ଡାଇବେଟିସ୍ ଓ ରକ୍ତଚାପରେ ମଧ୍ୟ ଆକ୍ରାନ୍ତ ଥିଲେ ।
କଟକ ଜିଲ୍ଲାରୁ ଜଣେ ୬୫ ବର୍ଷୀୟ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି । କରୋନା ସହ ଡାଇବେଟିସ୍, ରକ୍ତଚାପ ଓ କିଡ୍ନୀ ରୋଗରେ ପୀଡ଼ିତ ଥିଲେ । ସେହିଭଳି ଭୁବନେଶ୍ୱରର ଜଣେ ୭୩ବର୍ଷୀୟ ବୃଦ୍ଧ ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି ।
ଏହି ତିନି ନୂଆ ମୃତୁ୍ୟ ସହ ରାଜ୍ୟରେ ମୋଟ କରୋନା ମୃତୁ୍ୟ ସଂଖ୍ୟା ୨୧ରେ ପହଞ୍ଚିଛି । ଆଉ ୭ଜଣ କୋଭିଡ୍ ଆକ୍ରାନ୍ତ ଥାଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି ।
ସେପଟେ ଆଜି ରାଜ୍ୟରୁ ଆଉ ୨୬୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ରେ ଥିବା ୨୩୪ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଆଉ ୩୦ ସ୍ଥାନୀୟ ସଂକ୍ରମିତ ବାହାରିଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬୧୪ରେ ପହଞ୍ଚିଛି । ଏଥିରେ ସକ୍ରିୟ ରୋଗୀ ସଂଖ୍ୟା ୧୯୮୦ ।
ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୬ ନୂଆ ରୋଗୀ ବାହାରିଛନ୍ତି । ଯାଜପୁରରୁ ୪୧, କେନ୍ଦୁଝରରୁ ୨୫, ଖୋର୍ଦ୍ଧାରୁ ୧୫, ଝାରସୁଗୁଡ଼ାରୁ ୧୮, କୋରାପୁଟରୁ ଜଣେ, ମାଲକାନଗିରିରୁ ୨, ଭଦ୍ରକରୁ ଜଣେ, କନ୍ଧମାଳରୁ ଜଣେ, ବରଗଡ଼ରୁ ୧୮, ନୂଆପଡ଼ାରୁ ଜଣେ, ବାଲେଶ୍ୱରରୁ ୧୨, କଟକରୁ ୧୨, ଅନୁଗୁଳରୁ ୪, ଜଗତସିଂହପୁରରୁ ୪, ନୟାଗଡ଼ରୁ ୨, ଗଜପତିରୁ ଜଣେ, ପୁରୀରୁ ୭, ସୁନ୍ଦରଗଡ଼ରୁ ୪, କଳାହାଣ୍ଡିରୁ ଜଣେ, ସମ୍ବଲପୁରରୁ ଜଣେ, ବଲାଙ୍ଗୀରରୁ ୨ ଓ ମୟୂରଭଞ୍ଜରୁ ୧୫ଜଣ ଆକ୍ରାନ୍ତ ବାହାରିଛନ୍ତି ।
ଗଞ୍ଜାମ ଜିଲ୍ଲାରୁ ପୁଣି ୭୬ଜଣ ନୂଆ ଆକ୍ରାନ୍ତ ବାହାରିବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୨୭୧ରେ ପହଞ୍ଚିଛି । ଏହା ତଳକୁ ରହିଛି ଖୋର୍ଦ୍ଧା ଜିଲ୍ଲା । ଜିଲ୍ଲାରେ ମୋଟ କରୋନା ରୋଗୀ ସଂଖ୍ୟା ୭୮୬ ହୋଇଛି । କଟକରେ ୫୪୯, ଯାଜପୁରରେ ୪୪୬ ଓ ଗଜପତିରେ ୪୨୮ ଆକ୍ରାନ୍ତ ବାହାରିଲେଣି ।
ଆଜି ଦିନକରେ ୧୩୭ ରୋଗୀ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ୨୯ଜଣ, କଟକରୁ ୨୨, ବାଲେଶ୍ୱରରୁ ୧୩, ଯାଜପୁରରୁ ୯, କଳାହାଣ୍ଡିରୁ ୬, ଭଦ୍ରକରୁ ୪, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀରୁ ୩ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ବୋଦ୍ଧ, ବରଗଡ଼, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୨ଜଣ ଲେଖାଏଁ ଓ ଅନୁଗୁଳ, ବଲାଙ୍ଗୀର, ଜଗତସିଂହପୁର ଓ ନୂଆପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେସୁଦ୍ଧା ମୋଟ ୪୭୪୩ରୋଗୀ ସୁସ୍ଥ ହେଲେଣି ବୋଲି ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ରଖିଛି ।


Comments are closed, but trackbacks and pingbacks are open.