
ଗୁଣପୁର,(ବି.ବି.ନୁ୍ୟଜ): ସହରରେ କୋଭିଡ ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ଏହାକୁ ମୁକାବିଲା କରିବା ପାଇଁ ଉପଜିଲ୍ଲାପାଳ ଜେ.ସୋନାଲ କୁମାରଙ୍କ ସମେତ ଥାନା ଅଧିକାରୀ ମନୋଜ ବେହେରା ଓ ଡାକ୍ତର ରତିକାନ୍ତ ସାହୁ ପ୍ରମୁଖ ଆଗକୁ ଆସିଛନ୍ତି । ଭିଡିଓ କରି ସହରବାସୀଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି । ଉପଜିଲ୍ଲାପାଳ ଏକ ଭିଡିଓ ବାର୍ତ୍ତା ଜାରି କରି ଡାକ୍ତରଖାନାର ଭୂମିକା, ପୌର ପରିଷଦର ଭୂମିକା, ପୋଲିସର ଭୂମିକା ଇତ୍ୟାଦି ଉପରେ କହିବା ସହ ଏଠାରେ କୋଭିଡକୁ ମୁକାବିଲା କରିବା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି । ଅନ୍ୟପକ୍ଷେ ସହରର ବିଭିନ୍ନ ସ୍ଥାନରେ ଆଜିଠାରୁ ସାନିଟାଇଜ ମଧ୍ୟ ଆରମ୍ଭ ହୋଇଛି ।
ପ୍ରକାଶ ଯେ, ପ୍ରଥମରୁ ସ୍ଥାନୀୟ ଅଞ୍ଚଳରେ କୋଭିଡ୍ ମୁକାବିଲା କ୍ଷେତ୍ରରେ ହୁଗୁଳା ନୀତି ଅବଲମ୍ବନ କରାଯାଇଥିଲା । ଫଳରେ ସହରରେ ସଂକ୍ରମଣ ହୁ ହୁ ହୋଇ ବଢିବା ସାଙ୍ଗକୁ ମୃତୁ୍ୟରେ ମଧ୍ୟ ରୋକ୍ ଲାଗିପାରି ନଥିଲା । ସ୍ଥାନୀୟ ଲୋକେ ବାରମ୍ବାର ଏଠାରେ କୋଭିଡ କେୟାର୍ ସେଣ୍ଟର ଖୋଲିବା ପାଇଁ ଦାବି କରିବା ପରେ ମଧ୍ୟ ଖୋଲା ନଯାଇ ବିଳମ୍ବରେ ଖୋଲାଗଲା । ଆମ୍ବୁୁଲାନ୍ସ ମାତ୍ର ଗୋଟିଏ ଥିବା ବେଳେ ସେଥିରେ ଲାଇଫ୍ ସପୋର୍ଟ ନଥିଲା । ଲୋକଙ୍କ ଅନେକ ଦାବିପରେ ସେସବୁ ପୂରଣ କରାଯାଇ ପ୍ରଶାସନିକ ଅଧିକାରୀ, ପୁଲିସ ଅଧିକାରୀ ଓ ଡାକ୍ତର ଆଗେଇ ଆସିଛନ୍ତି । ଉପଜିଲ୍ଲାପାଳ ଭିଡିଓ ବାର୍ତ୍ତା ଜାରି କରି କେଉଁ ସମୟରେ କାହାକୁ ଯୋଗାଯୋଗ କରିବେ କହିଛନ୍ତି । ଅଯଥାରେ ବିଭ୍ରାନ୍ତିକର ଖବର, ଶୁଣାକଥା, ଉଡାକଥା ପ୍ରଚାର ନକରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଆଇଆଇସି ମଧ୍ୟ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି । ପଜିଟିଭ୍ ଚିହ୍ନଟମାନେ ଘରେରହି ଚିକିତ୍ସିତ ହୁଅନ୍ତୁ, ବାହାରେ ବୁଲନ୍ତୁନି, ସରକାରୀ ନିୟମ ମାନି ମାସ୍କ ପିନ୍ଧନ୍ତୁ । ଗହଳି କରନ୍ତୁ ନି ବୋଲି ଏକ ଭିଡିଓ ବାର୍ତ୍ତାରେ ଜଣାଇଛନ୍ତି । ଆବଶ୍ୟକ ସ୍ଥଳେ ପୁଲିସ କାର୍ଯ୍ୟାନୁÂାନ ଗ୍ରହଣ କରିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାର ଡାକ୍ତର ରତିକାନ୍ତ ମଧ୍ୟ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । କୋଭିଡର ଲକ୍ଷଣ, ଅrିଜେନ ସ୍ତର କେତେ ରହିବା ଦରକାର, ଶ୍ୱାସକ୍ରିୟାରେ ବାଧା ହେଲେ ଅସୁବିଧା, ମିନିଟରେ କେତେଥର ନିଶ୍ୱାସ ନେଉଥିଲେ ତାକୁ ସ୍ୱାଭାବିକ ବୋଲି କୁହାଯାଏ, ସାଧାରଣ ଲକ୍ଷଣ ଥିଲେ କି ପ୍ରକାରର ପଦକ୍ଷେପ ଆପଣାଇବେ ସେ ସମ୍ପର୍କରେ ଲୋକଙ୍କୁ ଏହି ବାର୍ତ୍ତାରେ ସଚେତନ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ସହରରେ ଆଜିସୁଦ୍ଧା ସଂକ୍ରମଣ ସଂଖ୍ୟା ୬୫୮ରେ ପହଞ୍ଚିଛି । ୨୩ ଜଣଙ୍କ ମୃତୁ୍ୟ ହୋଇଥିଲେ ମଧ୍ୟ ଗତ ତିନିଦିନ ଧରି କୋଭିଡରେ ଆଉ କାହାର ପ୍ରାଣହାନୀ ଘଟି ନାହିଁ । ଏହା ସହରବାସୀଙ୍କୁ ଆଶ୍ୱସ୍ତି ଆଣିଦେଇଛି । ବିଳମ୍ବରେ ହେଲେ ମଧ୍ୟ ପ୍ରଶାସନ ଚେଇଁଉଠି ବିଭିନ୍ନ ପଦକ୍ଷେପ ନେବାପରେ ଏବେ ମହାମାରୀ ଏକ ପ୍ରକାର ନିୟନ୍ତ୍ରଣକୁ ଆସୁଥିବା ସହରବାସୀଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି ।


Comments are closed, but trackbacks and pingbacks are open.