ଭୁବନେଶ୍ୱର: ଆଷାଢ଼ ପୂର୍ଣ୍ଣିମା କେତୁଗ୍ରସ୍ତ ଆଂଶିକ ଚନ୍ଦ୍ରଗହଣ ମଙ୍ଗଳବାର ପାଳନ ହେବ । ଚନ୍ଦ୍ରଗ୍ରହଣ ସ୍ପର୍ଶ ହେବ ରାତି ୧ଟା୩୦ ମିନିଟ୍ ୫୨ ସେକେଣ୍ଡରେ । ଗ୍ରହଣ ସର୍ବମୋକ୍ଷ ରାତି ୪ଟା ୩୦ ମିନିଟରେ ହେବ । ଗ୍ରହଣ ପରିପ୍ରେକ୍ଷୀରେ ପାକତ୍ୟାଗ ମଙ୍ଗଳବାର ଅପରାହ୍ନ ୪ଟା ୩୧ ମିନିଟରୁ ପାଳନ ହେବ । ଗ୍ରହଣ ସମୟ ନିର୍ଘଣ୍ଟକୁ ଆଧାର କରି ଶ୍ରୀମନ୍ଦିର ପ୍ରଶାସନ ଏହି ସୂଚନା ଦେବା ସହ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଘୋଷଣା କରିଛି । ଚନ୍ଦ୍ରଗ୍ରହଣ ସମୟ ସାରଣୀକୁ ଆଧାର କରି ସୋମବାର ନୀଳାଦ୍ରି ବିଜେ ନୀତିକୁ ସଅଳ ଶେଷ କରାଯାଇଛି । ଗ୍ରହଣ ପାଳନ ପାଇଁ ପ୍ରଶାସନ ନୀତି ନିର୍ଘଣ୍ଟ ଜାରି କରିଛି । ଏହି ନୀତି ନିର୍ଘଣ୍ଟ ମୁତାବକ ମଙ୍ଗଳବାର ଦିନ ଭୋର ୬ଟାରୁ ଶ୍ରୀମନ୍ଦିର ଦ୍ୱାରଫିଟା ଯିବ । ଭିତର ଶୋଧ ସରି ମଙ୍ଗଳ ଆଳତି ସକାଳ ୭ଟାରେ ସମ୍ପନ୍ନ ହେବ । ଏହା ପରେ ସାଢ଼େ ୭ଟାରୁ ମଇଲମ, ତଡ଼ପ ଲାଗି, ଅବକାଶ ପୂଜାଠା ବସିବା ନୀତି ସକାଳ ୭ଟା ୫୦ ମିନିଟରେ ଶେଷ ହେବ । ତା ପରେ ଅଧରପୋଛା, ଅବକାଶ ପୂଜା ହୋଇ ମଇଲମ ସକାଳ ୮ଟା ୩୫ ଏବଂ ସକାଳ ୯ଟା ୩୦ ମିନିଟ୍ ସୁଦ୍ଧା ମହାପ୍ରଭୁଙ୍କ ବେଶ ସମ୍ପନ୍ନ ହେବ ।
ବେଶ ପରେ ସୂର୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ, ସକାଳ ଧୂପ ନୀତିରେ କେବଳ କୋଠ ଭୋଗ ସାଢ଼େ ୧୧ଟା ସୁଦ୍ଧା ଉଠିବ । ଏହା ପରେ ମଇଲମ ସରି ପୁଣି ବେଶ ସମ୍ପନ୍ନ କରାଯିବ । ତା ପରେ ପ୍ରଥମ ଭୋଗମଣ୍ଡପ ସାଢ଼େ ଗୋଟାଏ, ମଧ୍ୟାହ୍ନ ଧୂପ ଅପରାହ୍ନ ୩ଟା ଏବଂ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଦିନ ୪ଟା ସୁଦ୍ଧା ଶେଷ କରାଯିବ । ଶେଷରେ ମହାପ୍ରଭୁଙ୍କ ମଇଲମ ହୋଇ ତଡ଼ପଲାଗି ନୀତି ସମ୍ପନ୍ନ କରାଯିବ । ଗ୍ରହଣ ସ୍ପର୍ଶ ପରେ ଶ୍ରୀବିଗ୍ରହଙ୍କ ମହାସ୍ନାନ ହୋଇ ଗ୍ରହଣ ଭୋଗ ଲାଗି ନୀତି ଅନୁପାଳନ କରାଯିବାକୁ ନୀତି ନିର୍ଘଣ୍ଟ କରାଯାଇଛି । ତଦନୁସାରେ ଗ୍ରହଣ ନୀତିକୁ ଶୃଙ୍ଖଳାର ସହ ପାଳନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଚଳାଇଛି ।
Comments are closed, but trackbacks and pingbacks are open.