ଭୁବନେଶ୍ୱର: ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀକୁ ନେଇ ଉତ୍ସବମୁଖର ହୋଇପଡ଼ିଛି ପୁରପଲ୍ଲୀ। ରାଜଧାନୀର ଇସ୍କନ ମନ୍ଦିର ହେଉ କି, ପୁରୀ ଶ୍ରୀମନ୍ଦିର ସବୁଠି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଶ୍ରଦ୍ଧାଳୁମାନେ ଉପବାସ ରଖିବା ସହ କୃଷ୍ଣବଳରାମଙ୍କୁ ଦର୍ଶନ କରୁଛନ୍ତି। ମଧ୍ୟ ରାତ୍ରିରେ କୃଷ୍ଣ ଜନ୍ମନୀତି ସମ୍ପନ୍ନ ହେବା ପରେ ଶ୍ରଦ୍ଧାଳୁ ଉପବାସ ଭାଙ୍ଗିବେ। ରାଜଧାନୀର ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ସେହିପରି ପୁରୀ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି। କୃଷ୍ଣଜନ୍ମ ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ପରମ୍ପରା ଅନୁସାରେ ସନ୍ଧ୍ୟାଧୂପ ପରେ ଜୟ ବିଜୟ ଦ୍ୱାରା ବନ୍ଦ ରହିବ। ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ବେଶରେ ଆସି ଜନ୍ମ ଚକଡାରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ସମାପନ କରିବେ। ଏଥିପାଇଁ ସନ୍ଧ୍ୟାଧୂପ ପରେ ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
Comments are closed, but trackbacks and pingbacks are open.