ଆଜି ବି ଚାଲିବନି ଘରୋଇ ବସ୍

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ବସ୍ଷ୍ଟାଣ୍ଡକୁ ନେଇ ପ୍ରଶାସନ ଓ ଘରୋଇ ବସ୍ ମାଲିକ ସଂଘ ଭିତରେ ବିବାଦ ଛିଣ୍ଡୁନି । ଫଳରେ ଘରୋଇ ବସ୍ ମାଲିକଙ୍କ ଆନେ୍ଦାଳନର ୩ୟ ଦିନ ଗୁରୁବାର ମଧ୍ୟ ବସ୍ ଚଳାଚଳ ବନ୍ଦ ରହିବ । ବ୍ରହ୍ମପୁର ସିଟି ବସ୍ଷ୍ଟାଣ୍ଡର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ପ୍ରଶାସନ ସମସ୍ତ ବସ୍ ହଳଦିଆପଦର ବସ୍ଷ୍ଟାଣ୍ଡରୁ ଚଳାଚଳ କରିବାକୁ ନିଦେ୍ର୍ଧଶନାମା ଜାରି କରିଛି । ସେପଟେ ବ୍ରହ୍ମପୁରରୁ ହିଁ ବସ୍ ଚଳାଚଳ କରାଯାଉ ବୋଲି ଜିଦ୍ରେ ଅଟଳ ରହିଛି ବସ୍ ମାଲିକ ସଂଘ । ସହର ଠାରୁ ୧୨ କିଲୋମିଟର ଦୂର ଏବଂ ହଳଦିଆପଦରକୁ ବସ୍ ଯିବା ଅସୁରକ୍ଷିତ ହୋଇଥିବାରୁ ବ୍ରହ୍ମପୁରରୁ ହିଁ ବସ୍ ଚଳାଚଳ କରୁ ବୋଲି ବସ୍ ମାଲିକ ସଂଘ ଦାବି ରଖିଛି । ପ୍ରଶାସନ ଓ ବସ୍ ମାଲିକଙ୍କ ଭିତରେ ଚାଳିଥିବା ଏହି ବିବାଦର କୌଣସି ସମାଧାନ ହୋଇପାରି ନାହିଁ । ସେପଟେ ଗଞ୍ଜାମ ବସ୍ ମାଲିକ ସଂଘ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସହଯୋଗ ଲୋଡ଼ିଛି । ରାଜ୍ୟ ସଂଘ ମଧ୍ୟ ଗଞ୍ଜାମ ଜିଲ୍ଲା ସଂଘର ଆନେ୍ଦାଳନରେ ସାମିଲ୍ ହୋଇଛି ଏବଂ ଗୁରୁବାର ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ଆଲୋଚନା ରହିଛି । ଅପରାହ୍ନରେ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ରାଜ୍ୟ ସଂଘ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି । ଗଞ୍ଜାମ ବସ୍ ମାଲିକ ପ୍ରଶାସନ ନିକଟରେ ଦୁଇ ମାସ ପାଇଁ ସହରରେ ଭିତରେ ବସ୍ଷ୍ଟାଣ୍ଡ ପାଇଁ ଜାଗା ମାଗିଛନ୍ତି । ଯାତ୍ରୀଙ୍କ ସୁରକ୍ଷା ଏବଂ ଗମନାଗମନର ସୁବିଧା ଦୃଷ୍ଟିରୁ ଏହି ଦାବି ଉପସ୍ଥାପନ କରିଛନ୍ତି । ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ବୋଲି ସେ କହିଛନ୍ତି । ସହରଠାରୁ ଦୂର ୧୨ କିଲୋମିଟର ଦୂରକୁ ଯିବାକୁ ପଡ଼ିବ । ଏଥିପାଇଁ ଅଧିକ ସମୟ ସହ ଅଧିକ ତେଲ ଖର୍ଚ୍ଚ ହେବ । ଯାହାଫଳରେ ବସ୍ ମାଲିକ ମାନଙ୍କୁ କ୍ଷତି ସହିବାକୁ ପଡିବ ବୋଲି ଗଞ୍ଜାମ ବସ୍ ମାଲିକ ସଂଘ ସମ୍ପାଦକ ସୁବାସ ପ;ନାୟକ କହିଛନ୍ତି । ଯାତ୍ରୀ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବେ ବୋଲି ସେ କହିଛନ୍ତି ।
ସେପଟେ କହିଛନ୍ତି ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଉପାଧ୍ୟକ୍ଷ ଚକ୍ରବର୍ତ୍ତୀ ସିଂହ ରାଠୋର କହିଛନ୍ତି ଯେ, ବସ୍ଷ୍ଟାଣ୍ଡର ଉନ୍ନତୀକରଣ କାମ ଆରମ୍ଭ ହେଉଥିବାରୁ ଏଠାକୁ ପ୍ରବେଶ ମନା ହୋଇଛି । ବସ୍ଷ୍ଟାଣ୍ଡ ଉନ୍ନତୀକରଣ ହେଲେ ଯାତ୍ରୀ ମାନେ ଉପକୃତ ହେବେ । ବସ୍ ମାଲିକ ସଂଘ ଯେଉଁ ସବୁ ଜାଗା ମାଗିଛି ସେଠାରେ ବସ୍ଷ୍ଟାଣ୍ଡ କରିବା ସମ୍ଭବ ନୁହେଁ । ସେହି ସବୁ ଜାଗାରେ କିଛି କିଛି କାମ ଚାଲିଛି । ଅନ୍ୟପକ୍ଷରେ ବସ୍ଷ୍ଟାଣ୍ଡ ପାଇଁ ଭିତ୍ତିଭୂମି କରିବାକୁ ପଡିବ । ତେଣୁ ଉନ୍ନତୀକରଣ କାର୍ଯ୍ୟ ଚାଲିଥିବା ପର୍ଯ୍ୟନ୍ତ ହଳଦିଆପଦରରୁ ବସ୍ ଚଳାଚଳ କରିବାକୁ ହେବ । ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି । ହଳଦିଆପଦର ବସ୍ଷ୍ଟାଣ୍ଡରେ ଯାତ୍ରୀ ରହଣି ସ୍ଥଳ, ବସ୍ ରହିବା ପାଇଁ ଜାଗା ଏବଂ ଆଲୋକକରଣ ବ୍ୟବସ୍ଥା ରହିଛି । ଓଏସ୍ଆର୍ଟିସିର ୪୫ଟି ବସ୍ ଏଠାରୁ ବିଭିନ୍ନ ରୁଟ୍ରେ ଯାତାୟତ କରୁଛି । ଏହାସହ ୨୬ଟି ସିଟି ବସ୍ ଗୋପାଳପୁର, ଛତ୍ରପୁର, ହିଞ୍ଜିଳି, ପୁରୁଷୋତ୍ତମପୁର ଚଳାଚଳ କରୁଛି । ପ୍ରଶାସନ ପକ୍ଷରୁ ୧୧ଟି ବସ୍ ଆସିକା, ଭଞ୍ଜନଗର, ଫୁଲବାଣୀ ଏବଂ ଅନ୍ୟ ଦିଗରେ ଚଳାଚଳ କରୁଛି ବୋଲି କହିଛନ୍ତି ବିଡିଏ ରାଠୋର । ଆବଶ୍ୟକତାକୁ ଦେଖି ଯାତ୍ରୀଙ୍କ ପାଇଁ ଅଧିକ ବସ୍ ଆଣିବାକୁ ଓଏସ୍ଆର୍ଟିସି ସହ ଆଲୋଚନା ଚାଲିଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ସରକାରୀ ବସ୍ ସହ ବ୍ରହ୍ମପୁର ବସ୍ଷ୍ଟାଣ୍ଡରୁ ୪ଶହ ଘରୋଇ ବସ୍ ବିଭିନ୍ନ ଜାଗାକୁ ଚଳାଚଳ କରୁଥିବା ବେଳେ ବର୍ତ୍ତମାନ ନିର୍ଦ୍ଧିଷ୍ଟ କିଛି ବସ୍ ଚଳାଚଳ କରୁଥିବାରୁ ଯାତ୍ରୀ ହଟହଟା ହୋଇଥିବା ଦେଖିବାକୁ ମିଳିଛି । ଅଟୋ କିମ୍ବା ଟ୍ୟାକ୍ସିରେ ଯାତ୍ରା କରିବା ଯାତ୍ରୀଙ୍କୁ ମହଙ୍ଗା ପଡୁଛି । ଶୀଘ୍ର ଏହାର ସମାଧାନ ହେଲେ ଉପକୃତ ହୋଇପାରିବେ ବୋଲି ଯାତ୍ରୀ କହିଛନ୍ତି ।
ବ୍ରହ୍ମପୁର ସିଟି ବସ୍ଷ୍ଟାଣ୍ଡର ଉନ୍ନତୀକରଣ କରିବାକୁ କୋଟିଏ ଟଙ୍କା ମଞ୍ଜୁର ହୋଇଛି । ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ ମଙ୍ଗଳବାର ଠାରୁ କାମ ଆରମ୍ଭ ହୋଇସାରିଛି । ବସ୍ଷ୍ଟାଣ୍ଡକୁ ପ୍ରବେଶ ନିଷେଧ କରାଯାଇଛି । ସମସ୍ତ ବସ୍ର ରୁଟ୍ ପରିବର୍ତ୍ତନ କରାଯାଇଛି ଏବଂ ପ୍ରଶାସନ ନିର୍ଦ୍ଧାରିତ ରୁଟ୍ ଅନୁସାରେ ବସ୍ ଚଳାଚଳ କରିବାକୁ ଆଦେଶ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons