ଆଜି ରଥରେ ଅଧରପଣା ନୀତି: ରାତି ୮ରେ ଭାଙ୍ଗିବ ହାଣ୍ଡି

Get real time updates directly on you device, subscribe now.

ପୁରୀ,(ବି.ବି.ବ୍ୟୁରୋ) : ରବିବାର ରଥାରୂଢ ଠାକୁରମାନଙ୍କୁ ଅଧର ପଣା ଭୋଗ ଲଗାଯିବ । ଅଧର ଉଚ୍ଚା ତୁମ୍ୱାକୃତି ମାଟିପାତ୍ରରେ ପଣା ପ୍ରସ୍ତୁତ ହେବ । ତ୍ରୟୋଦଶୀ ଦିନ ରଥ ଉପରେ ଠାକୁରଙ୍କ ମଧ୍ୟାହ୍ନଧୂପ ବଢ଼ିବା ପରେ ଅଧରପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହେବ । ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡିଆ ମଠରୁ ଛାଚି,ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ଆଦି ପଣା ସାମଗ୍ରୀ ପହଞ୍ଚିବ । ମହାପ୍ରଭୁଙ୍କ ସେବକମାନେ ପଣା ପ୍ରସ୍ତୁତ କରିବେ । ସନ୍ଧ୍ୟା ୮ଟା ବେଳେ ଅଧର ପଣା ଭୋଗ ଲଗାଯିବାର ନୀତିନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ।
ଭୋଗ ଲଗାଯିବା ପରେ ରଥ ଉପରେ ହାଣ୍ଡି ଭଙ୍ଗାଯାଇ ପାଶ୍ୱର୍ ଦେବଦେବୀ, ଅଶରୀରୀ, ଚଣ୍ଡୀ ଓ ଚାମଣ୍ଡାଙ୍କ ଉଦ୍ଦେଶ୍ୟରେ ଏହାକୁ ସମର୍ପଣ କରିଦିଆଯାଏ ବୋଲି କିମ୍ୱଦନ୍ତୀ ରହିଛି ।
ରବିବାର ଠାକୁରଙ୍କ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । ମଙ୍ଗଳଆଳତି ପ୍ରାତଃ ୬ଟାରୁ ୬ଟା୩୦ମିନିଟ୍ ମଧ୍ୟରେ ସରିବାକୁ ଥିବାବେଳେ ୭ଟାରେ ମଇଲମ ଓ ତଡ଼ପଲାଗି ନୀତି ଅନୁଷ୍ଠିତ ହେବ । ସକାଳ ୮ଟାରେ ଶ୍ରୀବିଗ୍ରହମାନଙ୍କ ଅବକାଶ ନୀତି ବଢିବ । ବେଶଶେଷ ହେବ ୯ଟାରେ । ୧୦ଟାରୁ ୧୦ଟା୩୦ ମଧ୍ୟରେ ଗୋପାଳବଲ୍ଲଭ ନୀତି ବଢ଼ି ୧୨ଟା୩୦ ସୁଦ୍ଧା ସକାଳଧୂପ ଶେଷ ହେବ । ୧ଟାରେ ମଇଲମ ହେବ । ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ ବଢିବ ୧ଟା ୩୦ମିନିଟ୍ରେ । ଅପରାହ୍ନ ୨ଟାରେ ବେଶଶେଷ ହେବ । ୩ଟ୩୦ମିନିଟ୍ରୁ ୪ଟା୩୦ମିନିଟ୍ ମଧ୍ୟରେ ମଧ୍ୟାହ୍ନ ଧୂପ ବଢିବ । ଏହାପରେ ଅଧରପଣା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ରାତି ୮ଟାରେ ରଥଉପରେ ଠାକୁରଙ୍କୁ ଭୋଗ ଲଗାଯିବ । ୯ଟାରେ ମହାସ୍ନାନ ହେବ । ରାତି ୧୦ଟା ସୁଦ୍ଧା ମଇଲମ ଓ ବେଶ ଶେଷ ହେବ । ସନ୍ଧ୍ୟାଆଳତି ବଢିବ ୧୦ଟା୩୦ମିନିଟ୍ରେ । ରାତି ୧୧ଟାରୁ ୧୨ଟା ମଧ୍ୟରେ ସନ୍ଧ୍ୟାଧୂପ ନୀତି ବଢିବ । ମଇଲମ ଓ ଚନ୍ଦନଲାଗି ବଢିବ ରାତ୍ର ୧୨ଟା୩୦ ମିନିଟ୍ରେ । ବଡ଼ସିଂହାର ବେଶ ଓ ଭୋଗ ଶେଷ ହେବ ୧ଟା୩୦ମିନିଟ୍ରେ । ବିଳମ୍ବିତ ରାତି ୨ଟାରେ ରଥାରୁଢ ଠାକୁରଙ୍କ ପହୁଡ଼ ପାଇଁ ସମୟ ଧାର୍ଯ୍ୟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons