ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଲଘୁଚାପ ବଳ ଜୁଟାଇ ଅବପାତ (ଡିପ୍ରେସନ୍) ରୂପ ନେଇଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ବର୍ଷା ବଢ଼ିଛି । ପାଣିପାଗ ପୂର୍ବାନୁମାନ କହୁଛି, ଅବପାତ ଆହୁରି ଘନୀଭୂତ ହୋଇ ଭୀଷଣ ଅବପାତ (ଡିପ୍ ଡିପ୍ରେସନ୍) ରୂପ ନେଇପାରେ । ଏହା ପ୍ରଭାବରେ ଆସନ୍ତାକାଲି ଲଗାଣ ବର୍ଷା ହେବ । ବେଶି ବର୍ଷିବ ପଶ୍ଚିମ ଓଡ଼ିଶାରେ । ଉପକୂଳ ଓଡ଼ିଶାରେ ବି ବର୍ଷା ଲାଗି ରହିବ । ଲଗାଣ ବର୍ଷା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।
ପାଣିପାଗ ବିଭାଗ ସୂଚନା ମୁତାବକ, ଲଘୁଚାପ ଘନୀଭୂତ ହୋଇ ଅବପାତ ହେବା ପରେ ଆଜି ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ବାଲେଶ୍ୱରଠାରୁ ଦକ୍ଷିଣ ପୂର୍ବରେ ୧୩୦ କିଲୋମିଟର ଓ ଦୀଘାରୁ ଦକ୍ଷିଣ ପୂର୍ବରେ ୧୦୦ କିମି ଦୂରରେ ଥିଲା । ଘଣ୍ଟା ପ୍ରତି ୫ କିମି ବେଗରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ଭୀଷଣ ଅବପାତରେ ପରିଣତ ହେବା ସମ୍ଭାବନା ଅଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଏହା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବା ସମ୍ଭାବନା ଅଛି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ୟୁନିର୍ଭସିଟିର ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ମଙ୍ଗଳବାର ରାତି ତମାମ ପ୍ରବଳ ବର୍ଷା ହେବ । ବୁଧବାର ଓ ଗୁରୁବାର ବି ବର୍ଷା ଲାଗି ରହିବ । ପଶ୍ଚିମ ଓଡ଼ିଶାରେ ସର୍ବାଧିକ ବର୍ଷା ହେବ । ଉପକୂଳ ଓଡ଼ିଶାରେ ବି ବର୍ଷା ସମ୍ଭାବନା ଅଛି । ଶୁକ୍ରବାରରୁ କ୍ରମଶଃ ବର୍ଷା କମିପାରେ ।
ପାଣିପାଗ ବିଭାଗ କହିଛି, ବୁଧବାର ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ସମ୍ଭାବନା ଅଛି । ସମ୍ବଲପୁର, ଦେବଗଡ଼, ବଲାଙ୍ଗିର, ନୂଆପଡ଼ା ଓ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଏ ନେଇ ୫ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
ସୋନପୁର, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଏହି ୭ ଜିଲ୍ଲାରେ ଅରେଞ୍ଜ ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହାବାଦ୍ କଟକ, କେନ୍ଦ୍ରାପଡ଼ା, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, କେନ୍ଦୁଝର, ମୟୂରଭଞ୍ଜ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ । ଏହି ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଗୁରୁବାର ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇପାରେ । ସୁନ୍ଦରଗଡ଼, ବରଗଡ଼, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡିରେ ପ୍ରବଳ ବର୍ଷା ଆଶଙ୍କା ଅଛି । ତେଣୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଶୁକ୍ରବାରଠାରୁ ବର୍ଷା ପରିମାଣ କମିବ ।
ପାଣିପାଗ ବିଭାଗ ସତର୍କ କରାଇ ଦେଇଛି, ୬ ଓ ୭ ତାରିଖରେ ଓଡ଼ିଶାର କେତେକ ଜାଗାରେ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିପାରେ । ପବନର ବେଗରେ ମଝିରେ ମଝିରେ ଘଣ୍ଟା ପ୍ରତି ୬୫ କିମି ଛୁଇଁପାରେ । ସମୁଦ୍ର ଅଶାନ୍ତ ରହିବ । ତେଣୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି ।
ଏସ୍ଆର୍ସି କାର୍ଯ୍ୟାଳୟ ତରଫରୁ କୁହାଯାଇଛି, ଯେଉଁ ସବୁ ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି, ସେ ସବୁ ଜିଲ୍ଲାପାଳମାନେ ସ୍ଥିତି ମୁକାବିଲା ପାଇଁ ସଜାଗ ରହିବା ଦରକାର । ବନ୍ୟା ଓ ପାଣି ଜମୁଥିବା ସ୍ଥାନ ଚିହ୍ନଟ କରିବା ସହ ଆବଶ୍ୟକ ସ୍ଥଳେ ପିଇବା ପାଣି, ଲାଇଟ୍, ଖାଦ୍ୟ ଆଗୁଆ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନିଶମ ବାହିନୀକୁ ମଧ୍ୟ ସଜାଗ ରହିବାକୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି ।
ଗତ ୨୪ ଘଣ୍ଟାରେ (ଆଜି ସକାଳ ସୁଦ୍ଧା) ଠାକୁରମୁଣ୍ଡାରେ ୧୦୯, ପୁରୀରେ ୯୩.୬, କରଞ୍ଜିଆରେ ୮୦, ବାଲିମେଳାରେ ୫୩, ବାଣପୁରରେ ୫୦, ଟାଙ୍ଗୀରେ ୫୮, ବ୍ରହ୍ମପୁରରେ ୫୭, ଛତ୍ରପୁରରେ ୬୦ ମିମି ବର୍ଷା ହୋଇଥିଲା । ଆଜି ସକାଳେ ଗଞ୍ଜାମ,ପୁରୀ, ଖୋର୍ଦ୍ଧା ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ସନ୍ଧ୍ୟା ସୁଦ୍ଧା ଗୋପାଳପୁରରେ ୬୭, କୋରାପୁଟରେ ୫୪, ଦାରିଙ୍ଗିବାଡ଼ିରେ ୯୦ ମିମି ବର୍ଷା ହୋଇଛି ।
Comments are closed, but trackbacks and pingbacks are open.