ଜଗତସିଂହପୁର,(ବି.ବି.ନୁ୍ୟଜ୍): ମୁହଁରେ ଲମ୍ବା ପାଚିଲା ଧାଡ଼ି । ଦେହରେ ସୂତା ଖଣ୍ଡେ ନାହିଁ । କଙ୍କାଳସାର ଶରୀର । ତା’ଭିତରେ ପୁଣି ଗୋଡ଼ରେ ପଡ଼ିଛି ଲୁହା ଜଞ୍ଜିରର ବେଡ଼ି । ଜୀର୍ଣ୍ଣଶୀର୍ଣ୍ଣ ଶରୀରକୁ ଦେଖିଲେ ବୟସ ୭୦ ବର୍ଷ ଡେଇଁଯାଇଥିବା ମନେହେଉଛି । ଅଥଚ ମାତ୍ର ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କର ଆଜି ଏଭଳି ଅବସ୍ଥା । ପ୍ରତିକାର କଥା କେହି ଚିନ୍ତା କଲେନି । ରେସନ ସାମଗ୍ରୀ, ଭତ୍ତା ଧରାଇ ଦେଇ ପ୍ରଶାସନ ଚୁପ୍ ରହିଗଲା । ଜନପ୍ରତିନିଧି କେତେଦୂର ସହଯୋଗ କରିଥିଲେ ତାହା’ ତ ଜଣାପଡ଼ୁନି, କିନ୍ତୁ ପରିତ୍ୟକ୍ତ ଘରେ ଦୀର୍ଘ ୮ ବର୍ଷରୁ ଉଦ୍ଧ୍ୱର୍ ହେଲାଣି ଗୋଡ଼ରେ ବେଡ଼ି ପିନ୍ଧି ପଡ଼ି ରହିଛନ୍ତି ସୁକାନ୍ତ ଜେନା ।
ତିର୍ତ୍ତୋଲ ବ୍ଲକ ଗରାମ ପଞ୍ଚାୟତ ବନଦୁର୍ଗା ଗ୍ରାମର ବାସିନ୍ଦା ହେଉଛନ୍ତି ସୁକାନ୍ତ । ସୁକାନ୍ତଙ୍କ ବାପା ସୁଦର୍ଶନ ଜେନାଙ୍କର ପରଲୋକ ଘଟିସାରିଛି । ବୃଦ୍ଧା ମା’ ଧୋବିଲତା ଜେନା ଏବେ ସୁକାନ୍ତଙ୍କ କଥା ବୁଝୁଛନ୍ତି । ଘରର ଗୋଟିଏ ପୁଅ ହୋଇଥିବାରୁ ସୁକାନ୍ତ ବେଶ ଗେଲ ବସରରେ ବଢିଥିଲେ । ଯୁବାବସ୍ଥା ଛୁଇଁବା ପରେ ସୁକାନ୍ତଙ୍କ ବିବାହ ହୋଇଥିଲା । ଛପଡ଼ା ନିକଟସ୍ଥ ଗୋରେଖନାଥ ପୀଠ ସନି୍ନକଟ ଏକ ଗାଁର ଜଣଙ୍କୁ ବିବାହ କରିଥିଲେ ସୁକାନ୍ତ । ପରେ ଉଭୟଙ୍କ ଔରସରୁ ଗୋଟିଏ ପୁଅ ଓ ଗୋଟିଏ ଝିଅ ଜନ୍ମଗ୍ରହଣ କରିଥିଲେ । ଗରିବ ହୋଇଥିଲେ ସୁଦ୍ଧା କଷ୍ଟେମଷ୍ଟେ ଚଳି ଯାଉଥିଲେ । ହଠାତ୍ ସୁକାନ୍ତଙ୍କ ମାନସିକ ସନ୍ତୁଳନ ବିଗିଡ଼ିଗଲା । କଥା କଥାକେ ଅନ୍ୟକୁ ଗାଳିଗୁଲଜ କରିବା ସହ ଟେକା ପଥର ମାଡ଼ କଲେ । ଘରେ ମଧ୍ୟ ପତ୍ନୀଙ୍କୁ ମାରଧର କଲେ । ଦିନକୁ ଦିନ ସୁକାନ୍ତଙ୍କ ବ୍ୟବହାର ଅନ୍ୟମାନଙ୍କୁ ଅତିÂ କଲା । ପରିସ୍ଥିତି ଏମିତି ହେଲା ଯେ, ସୁକାନ୍ତ ସଂପୂର୍ଣ୍ଣ ଉଲଗ୍ନ ହୋଇ ବୁଲିଲେ । ଶେଷରେ କୌଣସି ଉପାୟ ନ ପାଇ ସୁକାନ୍ତଙ୍କ ବେକରେ ଲୁହା ଶିକୁଳି ଗୁଡ଼ାଇ ଦିଆଗଲା । ଆଉ ସବୁଦିନ ପାଇଁ ସୁକାନ୍ତ ଘର କୋଣରେ ପଡ଼ି ରହିଗଲେ । ଏଣେ ଭିଟାମାଟି ବୋଇଲେ ତିନି ଗୁଣ୍ଠ ଜମି । ରୋଜଗାର କିଛି ବି ନାହିଁ । ତେଣୁ ଚିକିତ୍ସା କଥା ଚିନ୍ତା କରିବା ସମସ୍ତେ ଯେମିତି ଏକ ପ୍ରକାର ଭୁଲିଗଲେ ।
ଅପରପକ୍ଷେ ଗୋଡ଼ରେ ମୋଟା ଜଞ୍ଜିର ଭିଡ଼ି ଦିଆଯିବା ପରେ ସୁକାନ୍ତ ଗୋଟିଏ ଘରେ ପଡ଼ିରହିଲେ । ଏହା ଭିତରେ ଯନ୍ତ୍ରଣା ପାଇ ପତ୍ନୀ ନିଜ ପୁଅଝିଅଙ୍କୁ ଧରି ବାପ ଘରକୁ ପଳାଇଲେ । ପାଖାପାଖି ପାଞ୍ଚ ବର୍ଷ ହେଲାଣି ପତ୍ନୀ ମାମିନା ବାପ ଘରେ ରହି ଆସୁଛନ୍ତି । ଆଠ ବର୍ଷରୁ ଉଦ୍ଧ୍ୱର୍ କାଳ ଗୋଟିଏ ପରିତ୍ୟକ୍ତ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ସୁକାନ୍ତ । ବୟସର ସାୟାହ୍ନରେ ପହଞ୍ଚିଥିଲେ ବି ମା’ ଧୋବିଲତା ପୁଅର ଦେଖାଶୁଣା କରୁଥିଲେ । ମାତ୍ର ଦଇବ ଦାଉ ସାଧିଲା । କିଛି ମାସ ତଳେ ଧୋବିଲତା ଅସୁସ୍ଥ ହୋଇପଡ଼ିଲେ । ପରୀକ୍ଷାରୁ ସେ କର୍କଟ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଲା । ନିଜେ ଅସୁସ୍ଥ ରହିବା କାରଣରୁ ଧୋବିଲତା ଆଗ ଭଳି ଆଉ ପୁଅର ଦେଖାଣୁଣା କରିପାରୁନାହାନ୍ତି ।
ଅବଶ୍ୟ ମଝିରେ ମଝିରେ ପତ୍ନୀ ମାମିନା ଶାଶୂ ଘରକୁ ଆସିଥାନ୍ତି । ଡିଲରଙ୍କ ନିକଟରୁ ରେସନ ସାମଗ୍ରୀ ନେଇ ଏଠାରେ କିଛି ରଖି ଅବଶିଷ୍ଟ ନିଜ ପିଲାଛୁଆଙ୍କ ମୁହଁରେ ଦେବାକୁ ସାଥିରେ ନେଇଯାନ୍ତି । ଏବେ ମା’, ପୁଅ ଜୀବନର ଅନ୍ତିମ କ୍ଷଣରେ । ତୁରନ୍ତ ଏମାନଙ୍କୁ ଚିକିତ୍ସା ସୁବିଧା ଉପଲବ୍ଧ କରାଯିବା କଥା । ସରକାରୀ ବିଧି ବ୍ୟବସ୍ଥା ଭିତରେ ସୁକାନ୍ତଙ୍କୁ ମାସିକ ୭୦୦ ଓ ଧୋବିଲତାଙ୍କୁ ୫୦୦ ଟଙ୍କା ଭତ୍ତା ଏବେ ମିଳୁଛି । ବାସ୍ ସେତିକି ଦାୟିତ୍ୱ ନିର୍ବାହ କରି ପ୍ରଶାସନ ନିଜ ବାଟ ଧରିଛି । ଏପଟେ ଧୋବିଲତା ରୋଗାକ୍ରାନ୍ତ ହେବା ପରେ ଝିଅ ସୁକାନ୍ତି ଶାଶୂ ଘର ଭଟଗାଁରୁ ଅନେକ ସମୟରେ ଆସି ତାଙ୍କର ସେବା କରୁଛନ୍ତି । କିନ୍ତୁ ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ । ଏମିତି ଦୁଃଖର ପାହାଡ଼ ଭିତରେ କେବଳ ସୁକାନ୍ତ କିମ୍ବା ତାଙ୍କ ମା’ ନାହାନ୍ତି, ମାମିନା ଓ ଦୁଇ ପିଲା ମଧ୍ୟ ସନ୍ତୁଳି ହେଉଛନ୍ତି । କାରଣ ସୁକାନ୍ତଙ୍କ ପୁଅକୁ ୧୨ ଓ ଝିଅକୁ ୯ ବର୍ଷ ଚାଲିଲାଣି । ଦୁହେଁ ସ୍କୁଲ ଯାଉଛନ୍ତି । ଖର୍ଚ୍ଚ ବଢୁଛି ।
ହେଲେ ସରକାରୀ ସୁବିଧା ସେଭଳି କିଛି ମିଳିପାରି ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ମାନସିକ ଭାରସାମ୍ୟ ହରାଇବା ପରଠାରୁ ସୁକାନ୍ତ ଘର ପାଶ୍ୱର୍ରେ ଥିବା ଚାଳିଆରେ ଶୋଇ ରହିଥାନ୍ତି । ଖାଇବା ସମୟରେ ମା’ ଡାକ ମାରିଲେ ଘୁଷୁରି ଘୁଷୁରି ପଦାକୁ ଆସିଥାନ୍ତି । ଏବେ କିନ୍ତୁ ମା’ ଅସୁସ୍ଥ । ଫଳରେ ସୁକାନ୍ତଙ୍କ କଥା ବୁଝିବାକୁ କେହି ନାହାନ୍ତି । ଝାଡ଼ା ପରିସ୍ରା ପୋଛିବା ବି ସବୁବେଳେ କାହା ପକ୍ଷରେ ସମ୍ଭବ ହେଉନାହିଁ । ଏ ସମ୍ପର୍କରେ ଆଜି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ପରେ ତପôରତା ପ୍ରକାଶ ପାଇଛି । ସମ୍ଭବତଃ ଆସନ୍ତାକାଲି ଡାକ୍ତରୀ ଟିମ୍ ସୁକାନ୍ତଙ୍କ ଚିକିତ୍ସା ନିମନ୍ତେ ଗରାମ ଗସ୍ତ କରିବେ ବୋଲି ଖବର ମିଳିଛି ।


Comments are closed, but trackbacks and pingbacks are open.