ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପୁନର୍ଗଠନ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଆଜି ରାଜ୍ୟସଭାରେ ବିଲ୍ ଆଗତ କରିଥିଲେ । ବାଚନିକ ଭୋଟ୍ରେ ଏହାକୁ ମଞ୍ଜୁରି ମିଳିଛି । ଏହାବ୍ୟତୀତ ଜମ୍ମୁ-କାଶ୍ମୀରର ସାଧାରଣ ବର୍ଗ ଗରିବ ଶ୍ରେଣୀ ଲୋକଙ୍କ ପାଇଁ ୧୦ଧ ସଂରକ୍ଷଣ ବିଲ୍ ମଧ୍ୟ ପାରିତ ହୋଇଛି । ବିଲ୍ ଉପରେ ମତ ରଖି ଶାହ କହିଛନ୍ତି, ଜମ୍ମୁ-କାଶ୍ମୀରକୁ ଏବେ କେନ୍ଦ୍ରଶାସିତ ଅଞ୍ଚଳ କରାଯାଇଛି । ସ୍ଥିତିରେ ସୁଧାର ଆସିଲେ ଏହାକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମଧ୍ୟ ଦିଆଯାଇ ପାରିବ ।
ଶାହ କହିଛନ୍ତି, ଧାରା ୩୭୦ ଆତଙ୍କବାଦର ମୂଳ କାରଣ ଥିଲା । ଏଠାରେ ବିକାଶର ଚିତ୍ର ଦେଖିବାକୁ ମିଳିନଥିଲା । ଏବେ କିନ୍ତୁ ଏଠାରେ କେବଳ ବିକାଶ ଦେଖିବାକୁ ମିଳିବ । ଧାରା ଉଚ୍ଛେଦ ଯୋଗୁ ଜମ୍ମୁ-କାଶ୍ମୀରରେ ପ୍ରତିକୂଳ ସ୍ଥିତି ଉପୁଜିବ ବୋଲି ଯାହା କୁହାଯାଉଛି, ସେମିତି କିଛି ହେବନାହିଁ । ପୃଥିବୀର ଏହା ସ୍ୱର୍ଗ ବିବେଚିତ ହେଉଛି ଏବଂ ଆଗକୁ ମଧ୍ୟ ହେବ ।
ଜମ୍ମୁ-କାଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧି ପାଇଁ ଧାରା ୩୭୦ ହେଉଛି ମୂଳ କାରଣ । ରାଜ୍ୟରେ ଆଜି ଯଦି ସ୍ୱାଭାବିକ ସ୍ଥିତି ନାହିଁ, ସେଥିପାଇଁ ଏହି ଧାରା ଦାୟୀ । କିନ୍ତୁ ଏହି ଧାରା ଉଚ୍ଛେଦ ହୋଇଥିବାରୁ ଏହାକୁ ବିକାଶମୁଖୀ କରାଇବା କେନ୍ଦ୍ର ସରକାରଙ୍କ ପ୍ରଥମ ଦାୟିତ୍ୱ । ଧାରା ୩୭୦ ଏବଂ ୩୫(କ) ନ ହଟିବା ପର୍ଯ୍ୟନ୍ତ ଆତଙ୍କବାଦ କାର୍ଯ୍ୟକଳାପର ଅନ୍ତ ଘଟିବ ନାହିଁ ବୋଲି ସରକାର ଅନୁଭବ କରିଥିଲେ । ତେଣୁ ଶେଷରେ ଏହି ଦୁଇଟି ଧାରାକୁ ଉଚ୍ଛେଦ ପାଇଁ ଦୃଢ଼ ନିଷ୍ପତ୍ତି ନେଲେ ।
ଜମ୍ମୁ-କାଶ୍ମୀର ପାଇଁ ମୁଣ୍ଡ ପିଛା ୧୪,୨୫୫ ଟଙ୍କା ଅନୁଦାନ (ଦେଶରେ ଏହା ହାରାହାରି ୩,୬୮୧ ଟଙ୍କା) କେନ୍ଦ୍ର ସରକାର ପ୍ରଦାନ କରୁଛନ୍ତି । ତଥାପି ଏଠାରେ ଲୋକଙ୍କ ସ୍ଥିତିରେ ସୁଧାର ଆସୁନାହିଁ । ଏହା ପଛରେ ମୁଖ୍ୟ କାରଣ ହେଉଛି ଧାରା ୩୭୦ । ଆତଙ୍କବାଦ ଯୋଗୁ ରାଜ୍ୟରେ ୪୧,୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏଥିପାଇଁ କାହାର ନୀତି ଦାୟୀ ବୋଲି ସେ ପ୍ରଶ୍ନ କରିଛନ୍ତି । ତା’ଛଡ଼ା ଧାରା ୩୭୦ ଅସ୍ଥାୟୀ ଥିଲା । କିନ୍ତୁ ଏହାକୁ ଏତେଦିନ ଧରି ବଳବତ୍ତର ରଖିବା ପଛରେ କାହାର ହାତ ରହିଛି । କେଉଁମାନେ ଏହାଦ୍ୱାରା ଉପକୃତ ହୋଇଛନ୍ତି ବୋଲି ଶାହ ପ୍ରଶ୍ନ କରିଛନ୍ତି ।
ଧାରା ୩୭୦ ଉଚ୍ଛେଦ ଦ୍ୱାରା ଦୀର୍ଘଦିନ ଧରି ଜମ୍ମୁ-କାଶ୍ମୀରରେ ଲାଗିରହିଥିବା ରକ୍ତପାତର ଅନ୍ତ ଘଟିବ । ସରକାରଙ୍କ ଏହି ନିଷ୍ପତ୍ତି ବିକାଶର ମାର୍ଗ ପାଲଟିବ । ଆମ ପୂର୍ବରୁ ମଧ୍ୟ ଅନେକ ମହାତ୍ମା ଏଥିପାଇଁ ଅନେକ ଉଦ୍ୟମ କରିଥିଲେ । ବିଜେପିର ପ୍ରଥମ ଅଧ୍ୟକ୍ଷ ଶ୍ୟାମା ପ୍ରସାଦ ମୁଖାର୍ଜୀ ଏଥିପାଇଁ ବଳିଦାନ ଦେଇଥିଲେ । ଆଜି ଆମେ ତାଙ୍କୁ ମନେ ପକାଇବାକୁ ଚାହୁଁଛୁ । ଜମ୍ମୁ-କାଶ୍ମୀରର ସର୍ବାଙ୍ଗିନ ବିକାଶ ପାଇଁ ସେ ପ୍ରାଣବଳି ଦେଇଥିଲେ ।
ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ କହିଛନ୍ତି, ଧାରା ୩୭୦ ଯୋଗୁ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରେ ବିକାଶ କାର୍ଯ୍ୟ ଆଗେଇ ନେବାରେ ସମର୍ଥ ହୋଇପାରି ନାହାନ୍ତି । ରାଜ୍ୟକୁ ମିଳିଥିବା ସ୍ୱତନ୍ତ୍ର ଅଧିକାର ଏଥିରେ ବାଧକ ସାଜିଥିଲା । ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍ ଆଗତ କରି ସେ କହିଛନ୍ତି, ଧାରା ୩୭୦ ଯୋଗୁ ଏଠାରେ ଗଣତାନ୍ତ୍ରିକ ବ୍ୟବସ୍ଥା ଭଲ ଭାବେ ଲାଗୁ ହୋଇପାରି ନାହିଁ । ଦୁର୍ନୀତି ପାଇଁ ଏଠାରେ ଅନ୍ୟମାନଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା । ଦୁର୍ନୀତି ବଢ଼ିବା ଯୋଗୁ ଏଠାରେ ବିକାଶ ଅପହଞ୍ଚ ହୋଇ ରହିଥିଲା ।
ଶାହ କହିଛନ୍ତି, ଜମ୍ମୁ-କାଶ୍ମୀରରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିଯୁକ୍ତି ସ୍ଥିତି ଅତ୍ୟନ୍ତ ଦୟନୀୟ ରହିଛି । ଏଠାରେ ଆୟୁଷ୍ମାନ ଭାରତ ସ୍କିମ୍ ଲାଗୁ ହୋଇଛି । କିନ୍ତୁ ହସ୍ପିଟାଲ ଅଭାବ ଯୋଗୁ ସ୍କିମ୍ର ଫାଇଦା ଲୋକେ ପାଉନାହାନ୍ତି । ଏମିତି କି କୌଣସି ଡାକ୍ତର ବି ସେଠାକୁ ଯିବାକୁ ପ୍ରସ୍ତୁତ ନାହାନ୍ତି । କାରଣ ସେଠାକୁ ଯେ କୌଣସି ଡାକ୍ତର ଯିବେ ସେମାନଙ୍କୁ କୌଣସି ମୌଳିକ ଅଧିକାର ମିଳିବ ନାହିଁ । ସେମାନେ ଭୋଟ୍ ଦେଇପାରିବେ ନାହିଁ । ୩୫(କ)କୁ ସମର୍ଥନ କରୁଥିବା ଲୋକେ ଏହାର ଜବାବ ଦେବେ କି ବୋଲି ଶାହ ପ୍ରଶ୍ନ କରିଛନ୍ତି । ତାଙ୍କ କହିବାନୁଯାୟୀ ଧାରା ୩୭୦ ଯୋଗୁ ଘରୋଇ ଶିକ୍ଷାନୁଷ୍ଠାନ ସେଠାରେ ନିଜ ସଂସ୍ଥା ଖୋଲିବାକୁ ଆଜି ଯାଏ ଚେଷ୍ଟା କରିନାହାନ୍ତି । ଫଳରେ ଶିକ୍ଷା ବ୍ୟବସ୍ଥା ଏଠାରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ।
ବିରୋଧୀଙ୍କ ଭୋଟ୍ ବ୍ୟାଙ୍କ ଅଭିଯୋଗକୁ ଖଣ୍ଡନ କରି ଶାହ କହିଛନ୍ତି, ଆମେ ରାଜନୀତି କିମ୍ବା ଧର୍ମରେ ବିଶ୍ୱାସ କରୁନାହୁଁ । ଭୋଟ୍ ବ୍ୟାଙ୍କ ରାଜନୀତି କ’ଣ? ଜମ୍ମୁ-କାଶ୍ମୀରରେ କେବଳ ମୁସ୍ଲିମ୍ ରୁହନ୍ତୁ ବୋଲି ଆପଣ ଚାହୁଁଛନ୍ତି କି? ରାଜ୍ୟରେ ମୁସ୍ଲିମ୍, ହିନ୍ଦୁ, ଶିଖ୍, ଜୈନ ଓ ବୌଦ୍ଧ ଧର୍ମର ଲୋକ ବାସ କରୁଛନ୍ତି । ୩୭୦ ହଟିବା ଦ୍ୱାରା ସବୁ ଧର୍ମର ଲୋକମାନେ ଉପକୃତ ହେବେ । ଯଦି ଏହା ଖରାପ ହୁଏ, ତେବେ ସମସ୍ତଙ୍କ ପାଇଁ ଖରାପ ହେବ । ଆମକୁ ୫ ବର୍ଷ ସମୟ ଦେଲେ ଆମେ ଜମ୍ମୁ-କାଶ୍ମୀରକୁ ଭାରତର ସବୁଠୁ ବିକଶିତ ରାଜ୍ୟ ଭାବେ ଗଢ଼ିତୋଳିବୁ ବୋଲି ଶାହ କହିଛନ୍ତି ।
କାଶ୍ମୀର ପାକିସ୍ତାନ ଭାଗରେ ପଡ଼ିବା ସପକ୍ଷରେ ସର୍ଦ୍ଦାର ପଟେଲ୍ ଯୁକ୍ତି ବାଢ଼ିଥିବା ନେଇ ବିରୋଧୀମାନେ ଯେଉଁ ଅଭିଯୋଗ କରିଛନ୍ତି, ତାହାକୁ ଶାହ ଖଣ୍ଡନ କରିଛନ୍ତି । ଶାହ କହିଛନ୍ତି, ପାକିସ୍ତାନ କାଶ୍ମୀରକୁ ନେଉ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଳ ନେହରୁ ଚାହୁଁଥିଲେ । କିନ୍ତୁ ତାହା ହୋଇପାରି ନଥିଲା । ନେହରୁଙ୍କ ଯୋଗୁ ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଅସ୍ଥାୟୀ ଧାରା ୩୭୦ ବଳବତ୍ତର ରହିଆସୁଥିଲା ।
Comments are closed, but trackbacks and pingbacks are open.