ଆତଙ୍କବାଦ ନିରୋଧ ବିଲ୍ ଲୋକସଭାରେ ଗୃହୀତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ସଂସଦରେ ଏନ୍ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ସଂଶୋଧନ ବିଲ୍-୨୦୧୯ ଗୃହୀତ ହେବାର ଏକ ସପ୍ତାହ ପରେ ଆଜି ଆତଙ୍କବାଦ ନିରୋଧ ବିଲ୍ ବା ବେଆଇନ କାର୍ଯ୍ୟକଳାପ ନିବାରଣ (ୟୁଏପିଏ)ସଂଶୋଧନ ବିଲ୍-୨୦୧୯ ଲୋକସଭାରେ ବାଚନିକ ଭୋଟରେ ଗୃହୀତ ହୋଇଛି । ଫଳରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ଆହୁରି ମଜଭୁତ ହୋଇପାରିବ । ଗତ ୮ ତାରିଖରେ ଏହି ବିଲ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଲୋକସଭାରେ ଆଗତ କରିଥିଲେ । ଆଜି ଏହା ଉପରେ ବିତର୍କ ପରେ ଭୋଟିଂ ହୋଇଥିଲା । ବିଲ୍ ସପକ୍ଷରେ ୨୮୭ ସଦସ୍ୟ ଭୋଟ ଦେଇଥିଲା ବେଳେ ବିପକ୍ଷରେ ୮ ଜଣ ଭୋଟ ଦେଇଥିଲେ । ଅନ୍ୟପକ୍ଷରେ ବିଲ୍ର ସମୀକ୍ଷା ପାଇଁ ଏହାକୁ ଷ୍ଟାଣ୍ଡିଂ କମିଟିକୁ ପଠାଇବା ଦାବିରେ କଂଗ୍ରେସ ସଦସ୍ୟମାନେ ହ;ଗୋଳ କରିବା ସହ କକ୍ଷତ୍ୟାଗ କରିଥିଲେ । ବର୍ତ୍ତମାନ ବିଲ୍ଟିକୁ ରାଜ୍ୟସଭାକୁ ଅନୁମୋଦନ ଲାଗି ପଠାଯିବ ।
ବିଲ୍ ଉପରେ ବିତର୍କ ଆରମ୍ଭ କରି ଶାହ କହିଥିଲେ ଯେ ଆତଙ୍କବାଦକୁ ନିପାତ କରିବା ଉଦ୍ଦେଶ୍ୟରେ ବିଲ୍କୁ ସଶକ୍ତ ପଦକ୍ଷେପର ବ୍ୟବସ୍ଥା ରହିଛି । ବିଲ୍ର ଅପବ୍ୟବହାର ହେବ ବୋଲି ବିରୋଧୀ ଦଳର ସଦସ୍ୟମାନେ ଯେଉଁ ଆଶଙ୍କା ପ୍ରକାଶ କରିଛନ୍ତି ତାକୁ ଶାହ ଖଣ୍ଡନ କରିଛନ୍ତି । କହିଛନ୍ତି ଆତଙ୍କବାଦକୁ ନିର୍ମୂଳ କରିବାକୁ ହେଲେ କଠୋର ଆଇନର ଆବଶ୍ୟକତା ରହିଛି । ସେଥିପାଇଁ ବିଲ୍ରେ ସଂଶୋଧନ ଅଣାଯାଇଛି । ଯଦି ପୂର୍ବରୁ ୟୁପିଏ ସରକାର ସଂଶୋଧନ କରିଥାନ୍ତା ତେବେ ଏନ୍ଡିଏ ସରକାରକୁ ଏଭଳି କରିବାକୁ ପଡି ନଥାନ୍ତା । କିଛି ଲୋକ ସହରୀ ମାଓବାଦର ପ୍ରସାର କରିବାକୁ ଚାହୁଁଛନ୍ତି । କିନ୍ତୁ ସେମାନଙ୍କ ପ୍ରତି ସରକାରଙ୍କର କୌଣସି ଦରଦ ନାହିଁ । କ୍ଷମତାରେ ଯେଉଁ ଦଳ ଥାଆନ୍ତୁ ନା କାହିଁକି ଆତଙ୍କବାଦ ବିରୋଧୀ କଡା ପଦକ୍ଷେପ ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ । ବିଲ୍ରେ ରହିଥିବା ବ୍ୟବସ୍ଥା ଅନୁସାରେ ସଙ୍ଗଠନ ସହିତ କୌଣସି ବ୍ୟକ୍ତିଙ୍କୁ ମଧ୍ୟ ଆତଙ୍କବାଦୀ ଘୋଷଣା କରାଯାଇପାରିବ ଏବଂ ସେମାନଙ୍କର ସମ୍ପତ୍ତି ଜବତ କରାଯିବ । ଏଥିପାଇଁ ତଦନ୍ତ ଅଧିକାରୀଙ୍କୁ ସମ୍ପୃକ୍ତ ରାଜ୍ୟର ପୁଲିସ ଡିଜିଙ୍କ ଠାରୁ ଅନୁମତି ନେବାକୁ ପଡିବ । କିନ୍ତୁ ଯଦି ଏନ୍ଆଇଏ ତଦନ୍ତ କରୁଥିବ ତେବେ ଡିଜିପିଙ୍କ ଅନୁମତି ଆବଶ୍ୟକ ପଡିବ ନାହିଁ । କେବଳ ଏନ୍ଆଇଏ ମୁଖ୍ୟଙ୍କ ଅନୁମତି ଯଥେଷ୍ଟ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons