ଆତଙ୍କୀଙ୍କ ସହ ଗୁଳି ବିନିମୟ: ଜେସିଓଙ୍କ ସମେତ ୫ ଯବାନ ସହିଦ

Get real time updates directly on you device, subscribe now.

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆଜି ସୁରକ୍ଷା ବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଏଥିରେ ଜଣେ ଜେସିଓ (ଜୁନିଅର କମିଶନ୍ଡ ଅଫିସର)ଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଛନ୍ତି । ଅନ୍ୟପକ୍ଷରେ ସୁରକ୍ଷା ବାହିନୀର ଗୁଳିରେ ଜଣେ ଆତଙ୍କୀର ମୃତୁ୍ୟ ଘଟିଥିବା ଜଣାପଡିଛି ।
ଜମ୍ମୁ ପ୍ରତିରକ୍ଷା ବିଭାଗ ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦର ଆନନ୍ଦ କହିଛନ୍ତି, ନିୟନ୍ତ୍ରଣ ରେଖା ଦେଇ କିଛି ଆତଙ୍କୀ ବିପୁଳ ଅସ୍ତ୍ରଶସ୍ତ ଓ ବିସ୍ଫୋରକ ସହ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିଥିବା ଗୁଇନ୍ଦା ସୂଚନା ମିଳିଥିଲା । ସେମାନେ ପୁଞ୍ଚ ଜିଲ୍ଲାର ସୁରନକୋଟ ଅନ୍ତର୍ଗତ ଡେରା କି ଗଲି ଅଞ୍ଚଳରେ ଥିବା ଚାମରର ଜଙ୍ଗଲରେ ଲୁଚିଥିବା ଜଣାପଡ଼ିଥିଲା । ସେନା ପକ୍ଷରୁ ସେହି ଅଞ୍ଚଳକୁ କର୍ଡନ କରାଯାଇ ତଲାସୀ ଆରମ୍ଭ କରାଯାଇଥିଲା । ଏହି ସମୟରେ ଆତଙ୍କୀମାନେ ଯବାନଙ୍କ ଉପରକୁ ଗୁଳିମାଡ଼ ଆରମ୍ଭ କରିଥିଲେ । ଯବାନମାନେ ମଧ୍ୟ ପାଲଟା ଗୁଳିମାଡ଼ କରିଥିଲେ । ଫଳରେ ଉଭୟ ପକ୍ଷ ମଧ୍ୟରେ ବହୁ ସମୟ ଧରି ପ୍ରବଳ ଗୁଳି ବିନିମୟ ହୋଇଥିଲା । ଏହି ଘଟଣାରେ ଜଣେ ଜେସିଓ ଓ ୪ ଜଣ ଯବାନ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ସମସ୍ତଙ୍କର ମୃତୁ୍ୟ ଘଟିଛି ।
ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ଅଧିକ ସଂଖ୍ୟକ ଯବାନଙ୍କୁ ପଠାଯାଇଛି । ସେହି ଅଞ୍ଚଳକୁ ସଂଯୋଗ କରୁଥିବା ସବୁ ରାସ୍ତାକୁ ସିଲ୍ କରାଯାଇ ଆତଙ୍କୀଙ୍କୁ ନିପାତ କରିବା ଲାଗି ଉଦ୍ୟମ ଜାରି ରହିଛି । ଶେଷ ଖବର ଅନୁସାରେ ସୁରକ୍ଷା ବାହିନୀର ଯବାନମାନେ ଜଣେ ଆତଙ୍କୀକୁ ନିପାତ କରିଛନ୍ତି । ଆହୁରି ୩ ଜଣ ଆତଙ୍କୀ ସେଠାରେ ଲୁଚି ରହିଥିବା ଜଣାପଡିଛି । ସେମାନଙ୍କୁ ନିପାତ କରିବା ଲାଗି ବଡ଼ଧରଣର ଅଭିଯାନ ଆରମ୍ଭ ହୋଇଛି । ସୀମାରେ ଅସ୍ତ୍ରବିରତି ବଜାୟ ରଖିବା ନେଇ ଗତ ଫେବ୍ରୁଆରୀ ୨୫ରେ ଭାରତ ଓ ପାକିସ୍ତାନର ଡିଜିଏମ୍ଓଙ୍କ ମଧ୍ୟରେ ସହମତ ପ୍ରକାଶ ପାଇବା ପରେ ଏହା ସବୁଠାରୁ ବଡ ଆତଙ୍କୀ ଆକ୍ରମଣ ଘଟଣା । ଏହା ପୂର୍ବରୁ ଆଜି ସକାଳେ ବାନ୍ଦିପୋରା ଅଞ୍ଚଳରେ ଦୁଇଟି ପୃଥକ ଏନ୍କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛି ଇମ୍ତିଆଜ ଅହମ୍ମଦ ଦାର । ସେ ଆତଙ୍କୀ ସଙ୍ଗଠନ ଟିଆରଏଫ୍ର ସଦସ୍ୟ । ନିକଟରେ ଜିଲ୍ଲାର ଶାହଗୁଣ୍ଡ ଅଞ୍ଚଳରେ ଘଟିଥିବା ସାଧାରଣ ନାଗରିକଙ୍କ ହତ୍ୟାରେ ସେ ସମ୍ପୃକ୍ତ ଥିଲା । ସେହିଭଳି ସନ୍ଧ୍ୟାରେ ସୋପିଆନ ଜିଲ୍ଲାର ତୁଲରନ ଓ ଖେରିପୋରା ଅଞ୍ଚଳରେ ଏନ୍କାଉଣ୍ଟର ଘଟିଥିବା ଜଣାପଡିଛି । ତେବେ ଏହି ଏନ୍କାଉଣ୍ଟର ସମ୍ପର୍କିତ ସବିଶେଷ ତଥ୍ୟ ମିଳିପାରିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons