ରଙ୍ଗେଇଲୁଣ୍ଡା, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ମେଣ୍ଢରାଜପୁର ଗାଁ ଛକରେ ବିଦୁ୍ୟତ୍ ତାର ବାଜି ବସ୍ର ୧୦ ଜଣ ଯାତ୍ରୀ ମୃତୁ୍ୟ ଘଟଣାରେ ପ୍ରଥମ ଗିରଫଦାରୀ । ଉକ୍ତ ବସ୍ (ସିଲ୍କ୍ସିଟି, ଓଆର୍୦୭ଟି-୧୪୪୧)ର ଡ୍ରାଇଭର୍ ଗଗନ ବିହାରୀ ନାୟକ (୫୩) ଗୋଳନ୍ଥରା ଥାନାରେ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ଘର ଭଞ୍ଜନଗର ନିକଟ ଏକତାଳ । ପୁଲିସ ତାଙ୍କୁ ପ୍ରାଥମିକ ପଚରାଉଚୁରା ପରେ ଡାକ୍ତରୀ ମାଇନା କରିଥିଲା । ଏଥିସହ ତାଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରାଯାଇଥିବା କହିଛନ୍ତି ଏଏସ୍ପି ପ୍ରଭାତ ରାଉତରାୟ । ଅପରପକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଉଚ୍ଚସ୍ତରୀୟ ଦଳର ଯାଞ୍ଚ ବେଳେ କଙ୍କ୍ରିଟ୍ ରାସ୍ତା ଠାରୁ ମାତ୍ର ୧୧.୪ ଫୁଟ ଉଚ୍ଚରେ ବିଦୁ୍ୟତ୍ ତାର ଓହଳୁଥିଲା ବୋଲି ସ୍ପଷ୍ଟ ହୋଇଛି । ଏଣୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଦୋଷ ଅପେକ୍ଷା ବିଦୁ୍ୟତ୍ ବିଭାଗ ଅଧିକ ଦାୟୀ ବୋଲି ସମ୍ପୃକ୍ତ ଦଳର ଜଣେ ଅଧିକାରୀ ନିଜ ନାମ ପ୍ରକାଶ ନକରି କହିଛନ୍ତି ।
ଥାନାରେ କେସ୍ ନମ୍ବର ୪୩/୨୦୨୦ (ଧାରା ୨୭୯, ୩୩୭, ୩୩୮, ୩୦୪ଏ ଆଇପିସି) ରୁଜୁ ହୋଇ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଆଇଆଇସି ବାବୁଲି ନାୟକ । ପଚରାଉଚୁରା ବେଳେ ଡ୍ରାଇଭର୍ ଗଗନବିହାରୀ କହିଛନ୍ତି ଯେ- ପ୍ରାୟ ୯ ବର୍ଷ ହେଲା ସେ ଏହି ବସ୍ ଚଳାଉଥିଲେ । ଘଟଣା ଦିନ ଡ୍ରାଇଭର୍ ସିଟ୍ ପାଖ ଝରକାରୁ ତଳକୁ ଡେଇଁଥିଲି । ଯଥାସମ୍ଭବ ଲୋକଙ୍କୁ ଉଦ୍ଧାର କରିବା ସହ ବସ୍ରୁ ବିଦୁ୍ୟତ୍ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ଚେଷ୍ଟା କରିଥିଲି । ତେବେ ଯେତେବେଳେ ବହୁ ସଂଖ୍ୟାରେ ଗ୍ରାମବାସୀ ଏକାଠି ଜମା ହେଲେ, ସେତେବେଳେ ଭୟରେ ଘଟଣାସ୍ଥଳକୁ ପଳାଇ ଆସିଥିଲି ଓ ନିଜ ଗାଁରେ ଲୁଚି ଯାଇଥିଲି ବୋଲି ପୁଲିସକୁ କହିଛନ୍ତି ଅଭିଯୁକ୍ତ ଡ୍ରାଇଭର୍ ।
ଅପରପକ୍ଷରେ ଗ୍ରାମ୍ୟ ଉନ୍ନୟନ (ଆର୍ଡି) ବିଭାଗର ଉଚ୍ଚସ୍ତରୀୟ ଟିମ୍ ମଙ୍ଗଳବାର ଅଘଟଣ ଘଟିଥିବା ତୁଳୁ ରୋଡ୍- ମେଣ୍ଢରାଜପୁର ଛକ ଅଞ୍ଚଳରେ ତଦନ୍ତ କରିଛନ୍ତି । ଦଳରେ ବିଭାଗର ଚିଫ୍ ଇଞ୍ଜିନିୟର୍ (ପ୍ଲାନିଂ, ଭୁବନେଶ୍ୱର) ସତ୍ୟଜିତ୍ ଚକ୍ରବର୍ତ୍ତୀ, ସୁପରିଣ୍ଟେଣ୍ଡେଣ୍ଟ୍ ଇଞ୍ଜିନିୟର୍ (ବ୍ରହ୍ମପୁର) ରାମକୃଷ୍ଣ ମହାରଣା, ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ଜେନା, ସହାୟକ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରା ସାମିଲ୍ ଥିଲେ । ଘଟଣାସ୍ଥଳରେ କଙ୍କ୍ରିଟ୍ ରାସ୍ତାର ଉଚ୍ଚତା, ରାସ୍ତା ଠାରୁ ବିଦୁ୍ୟତ୍ ତାରର ଦୂରତା, ବିଦୁ୍ୟତ୍ ଖୁଣ୍ଟର ଉଚ୍ଚତା ଆଦି ସରଜମିନ୍ ମାପଚୁପ କରିଛନ୍ତି । ଟିମ୍ ପ୍ରାୟ ୩ ଘଣ୍ଟା କାଳ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ । ମାପଚୁପ ବେଳେ କଙ୍କ୍ରିଟ୍ ରାସ୍ତାରୁ ବିଦୁ୍ୟତ୍ ତାର ୧୧ ଫୁଟ ୪ ଇଞ୍ଚ ଉପରେ ଥିବା ସ୍ପଷ୍ଟ ହୋଇଛି । ଏହା ବିଦୁ୍ୟତ୍ ତାରର ନିର୍ଦ୍ଧାରିତ ଉଚ୍ଚତା ଠାରୁ ଯଥେଷ୍ଟ କମ୍ ବୋଲି ଜଣାଯାଇଛି । ତେଣୁ କେଉଁ ଆଧାରରେ ଆମ ବିଭାଗକୁ ଦୋଷାରୋପ କରାଯାଉଛି ତାହା ତଦନ୍ତସାପେକ୍ଷ ବୋଲି ଟିମ୍ର ଜଣେ ଯନ୍ତ୍ରୀ ନିଜ ନାମ ଉଲ୍ଲେଖ ନକରିବା ସର୍ତ୍ତରେ କହିଛନ୍ତି । ଏହି ମାପଚୁପ ବେଳେ ସ୍ଥାନୀୟ ସରପଞ୍ଚ ଜି.ମୋହନ ରେଡ୍ଡି, ଗ୍ରାମ ନାଇଡୁ ଗୋବିନ୍ଦ ରେଡ୍ଡି ଓ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ଗ୍ରାମବାସୀ ମଧ୍ୟ ମିଳିତ ଭାବେ ବିଦୁ୍ୟତ୍ ବିଭାଗ ଅବହେଳାକୁ ଆର୍ଡି ବିଭାଗୀୟ ଅଧିକାରୀଙ୍କ ଆଗରେ ଦୋଷାରୋପ କରିଥିଲେ ।
ଅପରପକ୍ଷରେ ମଙ୍ଗଳବାର ବିଦୁ୍ୟତ୍ ବିଭାଗ ଜରୁରି ମରାମତି କାମ କରିବା ବେଳେ ଗ୍ରାମବାସୀଙ୍କ ବିରୋଧରେ ସମ୍ମୁଖୀନ ହୋଇଛି । ତରବରିଆ କାମ ସାରିବାକୁ ଚେଷ୍ଟା କରୁଛ ବୋଲି ଅଭିଯୋଗ କରି ବିଦୁ୍ୟତ୍ ବିଭାଗ କର୍ମଚାରୀଙ୍କୁ ଏକରକମ ଘଉଡ଼ାଇ ଦେଇଥିଲେ । ବିଦୁ୍ୟତ୍ ବିଭାଗ ତରଫରୁ ମେଣ୍ଢରାଜପୁର ଛକରୁ ଡଙ୍କଲପାଡୁ ପର୍ଯ୍ୟନ୍ତ ବିଭାଗୀୟ ଠିକାଦାରଙ୍କ ଦ୍ୱାରା ସଠିକ୍ ଜାଗା ନିରୂପଣ କରି ୨୦ ଫୁଟ ଉଚ୍ଚ ସିମେଣ୍ଟ୍ ପୋଲ ପୋତିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ବିଦୁ୍ୟତ୍ ବିଭାଗ କର୍ମଚାରୀମାନେ ତରବରିଆ ଭାବେ ବସ୍ ଟ୍ରାଜେଡି ସ୍ଥାନରେ ୨ଟି ଗାତ ଖୋଳି ଉଚ୍ଚ ଇଲେକଟ୍ରିକ୍ ଖୁଣ୍ଟ ପୋତିବାକୁ ଚେଷ୍ଟା କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଗ୍ରାମବାସୀ ବିରୋଧ କରିବାରୁ କାମ କରୁଥିବା କର୍ମଚାରୀମାନେ ଘଟଣାସ୍ଥଳରୁ ପଳାଇଥିଲେ । ଏକାଥରକେ ୨୦ଟି ଉଚ୍ଚ ଖୁଣ୍ଟ ପୋତି ବିଦୁ୍ୟତ୍ ତାରକୁ ଉଚ୍ଚକୁ ନେଲେ ହିଁ ଆମେ ବିଦୁ୍ୟତ୍ କର୍ମଚାରୀଙ୍କୁ ଗାଁରେ ପୂରାଇ ଦେବୁ, କାମ କରିବାକୁ ଦେବୁ ବୋଲି ଚେତାଇ ଦେଇଛନ୍ତି ଗ୍ରାମବାସୀ । ନଚେତ୍ ବିଦୁ୍ୟତ୍ ବିଭାଗର ମନ୍ତ୍ରୀ, ଯନ୍ତ୍ରୀ ଆସିଲେ ମଧ୍ୟ ଛାଡ଼ିବୁ ନାହିଁ ବୋଲି ମଧ୍ୟ ଉତ୍ତ୍ୟକ୍ତ ଲୋକ ଚେତାଇ ଦେଇଥିଲେ ।
ମଙ୍ଗଳବାର ମଧ୍ୟାହ୍ଣରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଦ ଦତ୍ତାତ୍ରୟ ଭାଉସାହେବ ଅନ୍ୟ ଅଧିକାରୀମାନଙ୍କ ସହ ଡଙ୍କଲପାଡୁ ଗାଁକୁ ଯାଇ ମୃତାହତଙ୍କ ପରିବାରକୁ ଭେଟିଥିଲେ । ଶୋକସନ୍ତପ୍ତ ପରିବାର ଲୋକଙ୍କୁ ଭେଟି ସେମାନେ ସମବେଦନା ଜଣାଇଛନ୍ତି । ବାପା ମାଆ ଛେଉଣ୍ଡ ଦୁଇ ନାବାଳିକାଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ପାଠ ପଢ଼ା ଜାରି ରଖିବାକୁ ପରାମର୍ଶ ଦେବା ସହ ଯେତେବେଳେ ଯାହା ସହାୟତା ଆବଶ୍ୟକ ପ୍ରଶାସନ ଯୋଗାଇଦେବ ବୋଲି ଆଶ୍ୱସନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ- ବାପା ଛେଉଣ୍ଡ ବି. ଦ୍ରୌପଦୀ ଓ ବି.ଜ୍ୟୋଛନାଙ୍କ ମାଆ ବି.ଇରାମ୍ମାଙ୍କ ଏହି ଅଘଟଣରେ ମୃତୁ୍ୟ ଘଟିଛି । ଫଳରେ ଏକରକମ ଅସହାୟ ହୋଇଯାଇଛନ୍ତି ଉଭୟ ନାବାଳିକା । ଘରେ କେହି ନଥିବାରୁ ଏବେ ସେମାନେ ଆଶଙ୍କାଗ୍ରସ୍ତ ଅବସ୍ଥାରେ ଅନ୍ୟ ଘରେ ମୁଣ୍ଡ ଗୁଞ୍ଜିଛନ୍ତି । ସେମାନଙ୍କ ପିତା ବି.ଚେନ୍ନାୟାଙ୍କ ପୂର୍ବରୁ ମୃତୁ୍ୟ ହୋଇ ସାରିଥିଲା । ଦ୍ରୌପଦୀ ୧୦ମ ଓ ଜ୍ୟୋଛନା ୮ମ ଶ୍ରେଣୀ ପଢୁଛନ୍ତି । ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ପ୍ରାୟ ୧୦ ମିନିଟ୍ କାଳ ସେମାନଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ଚିକିଟି ତହସିଲଦାର ହରପ୍ରସାଦ ଭୋଇ, ସରପଞ୍ଚ ପି.ସୁଧାକର ରେଡ୍ଡି ଉପସ୍ଥିତ ଥିଲେ । ସେହିପରି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଚିକିଟି ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରା ମଙ୍ଗଳବାର ଡଙ୍କଲପାଡୁ ଗ୍ରାମକୁ ଯାଇ ମୃତକଙ୍କ ପରିବାରକୁ ଭେଟିଛନ୍ତି ।
Comments are closed, but trackbacks and pingbacks are open.