ଆଦିତ୍ୟ ଦାଶଙ୍କ ଆତ୍ମହତ୍ୟା ଘଟଣା: ପୋଷ୍ଟମର୍ଟମ ପରେ ସ୍ପଷ୍ଟ ହେବ ହତ୍ୟା କି ଆତ୍ମହତ୍ୟା

Get real time updates directly on you device, subscribe now.

ଭୁବନେଶ୍ବର: ଅନ୍ୟକୁ ବଞ୍ଚିବାର ମହତ୍ତ୍ବ ଓ ଜୀବନର ମାନେ ବୁଝାଉଥିଲେ। ଭାଙ୍ଗି ପଡ଼ିଥିବା ମଣିଷକୁ ଆଶ୍ବାସନାର ଆଶାବାଡ଼ି ଧରାଉ ଥିଲେ ଯୁବ ସମାଜସେବୀ ଆଦିତ୍ୟ ଦାଶ। ସେଥିପାଇଁ ଖୁବ୍‌ କମ ବୟସରୁ ସେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ପାଲଟିଥିଲେ। ଫେସବୁକରେ ତାଙ୍କର ୮୦ ହଜାରରୁ ଅଧିକ ଅନୁଗାମୀ ଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଗୋଟିଏ ଗୋଟିଏ ଭିଡିଓ ୧ ଲକ୍ଷରୁ ୫ ଲକ୍ଷ ପର୍ୟ୍ୟନ୍ତ ଲୋକ ଦେଖୁଥିଲେ। ଗତମାସରେ (ଜୁନ୍‌ ୯ ତାରିଖ) ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆଉ ଦୁଇଦିନ ପରେ ତାଙ୍କ ବାହାଘରକୁ ମାସେ ପୂରିଥାଆନ୍ତା। ତେବେ ହଠାତ୍‌ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଏ ଘଟଣା ପ୍ରସାରିତ ହେବା ପରେ ତାଙ୍କ ଶୁଭେଚ୍ଛୁ ଓ ଅନୁଗାମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। କେହି ବି ଏ ଖବରକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି।
ଆଦିତ୍ୟଙ୍କୁ ଜାଣିଥିବା ବ୍ୟକ୍ତିଙ୍କ ଅନୁସାରେ ସେ ଜୀବନକୁ ଖୁବ୍‌ ଭଲ ପାଉଥିଲେ ଓ ଆତ୍ମହତ୍ୟାର ବିରୋଧୀ ଥିଲେ। ଏପରି କି କିଛିଦିନ ତଳେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଆଦିତ୍ୟ ଗୋଟିଏ ପୋଷ୍ଟ କରିଥିଲେ। ଏଥିରେ ସେ ଲେଖିଥିଲେ, “ସୁଶାନ୍ତଙ୍କ ଠାରୁ ଏଭଳି ଆଶା କରାଯାଉନଥିଲା। ଏହା ବିଚଳିତ କରିଦେବା ଭଳି କଥା। ଆତ୍ମହତ୍ୟା କେବେ ବି ଏକ ଉପାୟ ନୁହେଁ। ଦୁଃଖଦ କ୍ଷତି।”
ବାରମ୍ବାର ବଞ୍ଚିବାର ବଚନିକା ବାଣ୍ଟୁଥିବା ଆଦିତ୍ୟଙ୍କ ଆତ୍ମହତ୍ୟାକୁ ମଧ୍ୟ କେହି ଆଶା କରିନଥିଲେ। ଏହା ପଛର କାରଣ ଜଣାପଡ଼ିନାହିଁ। ଏହା ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଗତକାଲି ସେ ପତ୍ନୀ ବିଦ୍ୟାଶ୍ରୀଙ୍କ ସହ ନିଜର ଶେଷ ଭିଡିଓ ଛାଡ଼ିଥିଲେ। ଏଥିରେ ଉଭୟେ ଉତ୍ତମ ସମ୍ପର୍କରେ ଭୁଲ ବୁଝାମଣା ବାବଦରେ ବକ୍ତବ୍ୟ ରଖିଥିଲେ। ହସି ହସି ଉଭୟେ ଅନ୍ୟମାନଙ୍କୁ ଭଲପାଇବାର ଭାଷା ବୁଝାଇଥିଲେ। ଅଥଚ ଗତକାଲି ରାତି ପ୍ରାୟ ୯ଟା ବେଳେ ଆସିଥିଲା ଆଦିତ୍ୟଙ୍କ ଶେଷ ପୋଷ୍ଟ୍। ଏଥିରେ ଲେଖା ଥିଲା- ମୃତ୍ୟୁ ଯେତେବେଳେ ଆସେ ବୁହୁତ ଧୀରେ ଧୀରେ ଆସେ, କେହି ଜାଣିପାରନ୍ତି ନାହିଁ।”
ସତରେ କେହି ଜାଣିପାରିଲେ ନାହିଁ। ଏହି ଶେଷ ପୋଷ୍ଟର କିଛି ସମୟ ପରେ ସେ ଶେଷନିଶ୍ବାସ ତ୍ୟାଗ କଲେ। ଭୁବନେଶ୍ୱର ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେହିପରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ତାଙ୍କ ମର ଶରୀର ପଠାଯାଇଛି ।
ବାଲେଶ୍ବରର ଆଦିତ୍ୟ ଭୁବନେଶ୍ବର ସୁନ୍ଦରପଦାରେ ରହୁଥିଲେ। “ପିପୁଲ୍‌ ଫର୍‌ ସେବା” ନାମରେ ଅନୁଷ୍ଠାନ ଗଢ଼ି ଅସହାୟଙ୍କ ସେବାରେ ନିଜକୁ ବ୍ରତୀ କରିଥିବା ବେଳେ ବହୁ ଯୁବକ-ଯୁବତୀଙ୍କୁ ଏଥିରେ ଦୀକ୍ଷିତ କରାଇଥିଲେ। ମଦବିକ୍ରି ବିରୋଧରେ ଲଢ଼େଇ କରିବା ସହ ଭୋକିଲା ଓ ରୋଗୀଙ୍କୁ ସେବା କରିବାରେ ବ୍ରତୀ ଥିଲେ ସେ। ସର୍ବଦା ଅନ୍ୟର ଜୀବନ ବଞ୍ଚାଇବାକୁ ତତ୍ପର ଆଦିତ୍ୟ କେଉଁ କାରଣୁ ନିଜର ଜୀବନ ବଞ୍ଚାଇବାକୁ ସାହସ କଲେନାହିଁ, ତାହା ଏବେ ବି ରହସ୍ୟାବୃତ୍ତ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons