ଆଦିବାସୀଙ୍କ ନିଆରା ଜନା ପରବ

Get real time updates directly on you device, subscribe now.

ଟିକିରି,(ବି.ବି.ନୁ୍ୟଜ୍): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମକାପଦର, ସେମିଳିଗୁଡା, ଜାମୁଗୁଡା, ସର୍ଗିଗୁଡା, ମଇଳିଗୁଡା, ଟିକିରି, କୁଚେଇପଦର ସମେତ ଅନ୍ୟ ଆଦିବାସୀ ଗାଁଗୁଡିକରେ ଜନା(ମକା) ପର୍ବ ପାଳିତ ହୋଇଯାଇଛି । ନୁଆ ମକା ଖାଇବା ପୂର୍ବରୁ ଦେବାଦେବୀ ଓ ଡୁମ୍ବା(ପୂର୍ବପୁରୁଷ)ଙ୍କୁ ପୂଜାର୍ଚ୍ଚନା କରାଯାଇଛି । ଗାଁରେ ବେଜୁଣୀ ଓ ଦିଶାରୀମାନେ କୁକୁଡା, ପାରା ଅଦି ବଳିଦେଇ ମାଟି ମା’ଙ୍କୁ ପୂଜା କରିଥିଲେ । ଏହି ଅବସରରେ ଗାଁର ପ୍ରବେଶ ରାସ୍ତାରେ ଏକ ମାଟିର ରାକ୍ଷାସ ତିଆରି କରାଯାଇଥିଲା । ମାଟି ରାକ୍ଷାସ ନିକଟରେ କେହି କେହି ପୋଢ ଓ ଗାଈ ବଳି ଦେଇ ଗାଁକୁ କୌଣସି ରିଷ୍ଟ(ଦୋଷ) ଯେପରି ଆସିବ ନାହିଁ ପ୍ରାର୍ଥନା କରିଥିଲେ । ପ୍ରତି ପରିବାର ସେମାନଙ୍କ ଜମିର ଉପôାଦିତ ମକା ଫସଲକୁ ମାଟି ରାକ୍ଷସ ନିକଟରେ ଭୋଗ ଚଢାଇଥିଲେ । ଏହି ପୂଜା ପରେ ଗାଁ ରାସ୍ତାରେ ସମସ୍ତ ଆଦିବାସୀ ମହିଳା ବାଉଁଶ କୁଲାରେ ଧୂପଦୀପ ଓ ଅରୁଆ ଭାତ ରଖି ସେମାନଙ୍କ ପୂର୍ବ ପୁରୁଷଙ୍କୁୁ ଆବାହନ କରିଥିଲେ । ଏହି ଦିନ ନୂତନ ବସ୍ତ୍ର ପରିଧାନ କରି ପରିବାରର ସମସ୍ତେ ଧୁମଧାମରେ ମକା ନୂଆ ଖାଇବା ବିଧି ରହିଥିବା କୁଚେଇପଦର ଗାଁ ମୁଖିଆ କୃପାନିଧି ଦିଶାରୀ କହିଛନ୍ତି ।
ଟିକିରି ଅଞ୍ଚଳରେ ଦୋରା ସମ୍ପ୍ରଦାୟର ଲୋକମାନେ ପରିବାର ସହ ଗାଁର ମଙ୍ଗଳ ମନାସି ବାଟ ବଲାଣି ପୂଜା କରିଥିିଲେ । ସାହିର ମହିଳା ଓ ପୁରୁଷମାନେ ବାଜା ବଡାଇ ରାସ୍ତାଘାଟକୁ ଆସି ସେଠାରେ ନଡିଆ ଭାଙ୍ଗିବା ସହ କୁକୁଡା, ପାରା ବଳି ଦେଇଥିଲେ । ପୂର୍ବପୁରୁଷ ଓ ଡୁମ୍ବାମାନଙ୍କୁ ସନ୍ତୁଷ୍ଟ କଲେ ପରିବାରର ମଙ୍ଗଳ ହୋଇଥାଏ ବୋଲି ଆଦିବାସୀଙ୍କ ମଧ୍ୟରେ ବିଶ୍ୱାସ ରହିଆସିଛି । ସେମାନଙ୍କ ଜୀବନଜୀବିକା ସହ ପ୍ରକୃତିର ଉପାସନା ଯୋଡି ହୋଇରହିଛି । ଫସଲ ଅମଳ ପୂର୍ବରୁ କୃଷିଭିତ୍ତିକ ଏହି ଆଦ୍ୟ ପର୍ବ ପ୍ରତିବର୍ଷ ପାଳନ କରାଯାଉଥିବା ଗ୍ରାମବାସୀ କହିଛନ୍ତି । ଆଦିବାସୀ ପରମ୍ପରାରେ ଭିନ୍ନ ଭିନ୍ନ ଋତୁକୁ ନେଇ ବିଭିନ୍ନ ପରବ କରାଯାଉଥିଲେ ମଧ୍ୟ ସବୁମୂଳରେ ଡୁମ୍ବା ଓ ଦେବାଦେବୀ ରହିଥାନ୍ତି । ଚଇତି, ମାଣ୍ଡିଆରାଣୀ, ଜନାନୂଆଖାଇ ପାଳନ କରାଯାଉଛି । ରୋଗ ପୋକ ଦାଉରୁ ଫସଲକୁ ରକ୍ଷା କରିବା, ଗାଁକୁ ରୋଗବୈରାଗରରୁ ଦୂରରେ ରଖିବା ପାଇଁ ପୂଜା ବିଧି ହେଉଥିବା କୁଚେଇପଦର ଦିଶାରି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons