ଭୁବନେଶ୍ୱର: ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର ପାଇଁ ସହାୟତାର ହାତ ଲମ୍ବାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୬୪ ହଜାର ୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ (ପିଭିଟିଜି) ୫ ହଜାର ଟଙ୍କା ଲେଖାଏଁ ‘ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ୍ ସହାୟତା’ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡର ଦ୍ୱିତୀୟ ଲହରୀରେ ଏହି ଆଦିମ ଜନଜାତି ପରିବାରମାନଙ୍କୁ ଆର୍ଥିକ ସୁରକ୍ଷା ଦେବା ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଜାଣେ କରୋନା ମହାମାରୀ ଯୋଗୁ ଗରିବ ଲୋକଙ୍କ ରୋଜଗାର ଉପରେ ବଡ଼ ପ୍ରଭାବ ପଡ଼ିଛି । ଆପଣମାନଙ୍କ ରୋଜଗାର ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ତେବେ ଏ ସଙ୍କଟ ସମୟରେ ଆପଣମାନେ ନିଜକୁ ଏକା ଭାବନ୍ତୁ ନାହିଁ । ସରକାର ଆପଣଙ୍କ ସାଥୀରେ ଅଛନ୍ତି । ଆପଣଙ୍କ କଲ୍ୟାଣ ପାଇଁ ସରକାର କାମ କରୁଛି ।
ରାଜ୍ୟରେ ସମୁଦାୟ ୧୬୭୯ଟି ପିଭିଟିଜି ଗାଁ ଅଛି । କୋଭିଡ୍ ସମୟରେ ରାଜ୍ୟ ସରକାର ମାସ୍କ, ସାନିଟାଇଜର, ସାବୁନ ବଣ୍ଟନ ସହିତ ସଙ୍ଗରୋଧ କେନ୍ଦ୍ର, ଟିକାକରଣକୁ ପ୍ରାଥମିକତା ଦେଇଛନ୍ତି । ପିଭିଟିଜି ଜନଜାତିଙ୍କ ମଧ୍ୟରୁ ୩୧୪ ଜଣ କୋଭିଡ୍ ପୀଡ଼ିତ ହୋଇଥିବାବେଳେ ଗୋଟିଏ ବି ଜୀବନ ହାନି ହୋଇନାହିଁ ବୋଲି ଜଣାପଡ଼ିଛି । ପିଭିଟିଭି ଗାଁରେ ୧୮ଟି ଆମ୍ବୁଲାନ୍ସ ସହ କୋଭିଡ୍ ପରିଚାଳନାକୁ ତ୍ୱରାନ୍ୱିତ କରାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରି କହିଛନ୍ତି, ମୁଁ ବହୁତ ଖୁସି ଯେ ଆଜି ଆପଣଙ୍କ ବ୍ୟାଙ୍କ ଖାତାରେ ମୁଖ୍ୟମନ୍ତ୍ରୀଙ୍କ ସହାୟତାରେ ଭାବରେ ୫ହଜାର ଟଙ୍କା ଜମା କରାଗଲା । ରାଜ୍ୟର ସବୁ ପିଭିଟିଜି ଜନଜାତି ଗାଁର ସବୁ ପରିବାର ଏହି ସହାୟତା ପାଇବେ । ଆମର ପିଭିଟିଜି ଜନଜାତି ଭାଇଭଉଣୀଙ୍କ ମଧ୍ୟରୁ ୩ ଶହରୁ ଅଧିକ ଲୋକ କରୋନାରେ ପୀଡ଼ିତ ଥିଲେ । ସେତେବେଳେ ସେମାନଙ୍କୁ ୨୫୦୦ ଟଙ୍କାର ରାସନ କିଟ୍ ଦିଆଯାଇଥିଲା । ତା’ସହିତ ମଜୁରୀ କ୍ଷତି ଭରଣା ପାଇଁ ୧୪୦୦ ଟଙ୍କା ଲେଖାଏଁ ଦିଆଯାଇଥିଲା ।
ସମସ୍ତେ ସଚେତନ ରହିବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ବିଷୟରେ ଆମେ ବିଶେଷ କିଛି ଜାଣିନାହୁଁ । ତେଣୁ ଆମକୁ ସାବଧାନ ରହିବାକୁ ହେବ । ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ସଫା କରିବା । ଭିଡ଼ରୁ ଦୂରରେ ରହିଲେ, କରୋନା ଆମଠାରୁ ଦୂରେଇଯିବ । ତା’ସହିତ ସମସ୍ତଙ୍କ ପାଇଁ ଦୁଇ ଡୋଜ ଟିକା ଖୁବ ଜରୁରୀ । ଅନେକ ଜଣ ଟିକା ନେଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ନିଜେ ଟିକା ନେବା ସହ, ପରିବାର, ବନ୍ଧୁ ଓ ସମସ୍ତଙ୍କୁ ଟିକା ନେବାକୁ କହିବାକୁ ସେ ଅନୁରୋଧ କରିଛନ୍ତି ।
ଏସସି, ଏସଟି ଛାତ୍ରଛାତ୍ରୀଙ୍କ ବୃତ୍ତି ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ଯୋଗୁ ପିଲାମାନେ ଗତ ୧ ବର୍ଷରୁ ଅଧିକ ସମୟ ହେଲାଣି ହଷ୍ଟେଲ ଛାଡ଼ି ଘରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଘରେ ରହିଲେ ମଧ୍ୟ ସମସ୍ତେ ନିଜ ପାଠ ପଢ଼ି ଧ୍ୟାନ ଦେବା ଆବଶ୍ୟକ । ବଡ଼ ମଣିଷ ହୁଅ । ତୁମ ପରିବାର, ତୁମ ଗାଁ, ତୁମ ସମାଜକୁ ବିକାଶ ସହ ଯୋଡ଼ି ପରିବର୍ତ୍ତନର ସାରଥୀ ହୁଅ ।
୬୦ ହଜାର ଏସ-ଏସଟି ଛାତ୍ରଛାତ୍ରୀଙ୍କୁ ଏପ୍ରିଲ, ମେ, ଜୁନ୍ ମାସ ପାଇଁ ଏକକାଳୀନ ପ୍ରାକ୍ ମାଟ୍ରିକ ଛାତ୍ରବୃତ୍ତି ଦିଆଗଲା ଆଜି । ପିଲାମାନଙ୍କ ଅଭିଭାବକଙ୍କ ବ୍ୟାଙ୍କ ଖାତାରେ ଏହି ଟଙ୍କା ଜମା ହେଲା । ଝିଅଙ୍କୁ ୨୪୦୦ ଟଙ୍କା ଓ ପୁଅଙ୍କୁ ୨୨୫୦ ଟଙ୍କା ଲେଖାଏଁ ଦିଆଯାଇଛି ।
ଏ କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ସହ ଚିତ୍ରକୋଣ୍ଡା ଓ କରଞ୍ଜିଆ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାୟଗଡ଼ା, କଳାହାଣ୍ଡି ଜିଲ୍ଲାର କେତେକ ଆପଦଗ୍ରସ୍ତ ଆଦିମ ଆଦିବାସୀ ପରିବାର ସହିତ ଆଲୋଚନା କରିଥିଲେ । ରାୟଗଡ଼ାର ଲହରୀ ଗୁଣ୍ଡିଆ, କଳାହାଣ୍ଡିର ରତନ ମାଝି ଏହି ସହାୟତା ପାଇଁ ନବୀନଙ୍କୁ ଧନ୍ୟବାଦ ଜଣାଇଥିଲେ । ସମସ୍ତେ ଟିକା ନେଲେଣି କି ନାହିଁ ମୁଖ୍ୟମନ୍ତ୍ରୀ ପଚାରିଥିବାବେଳେ ସବୁ ଟିକା ନେଇଥିବା ଜଣାଇଥିଲେ ।
ଛାତ୍ର ବୃତ୍ତି ପାଇଁ ସମ୍ବଲପୁରର ଜ୍ୟୋତି ସିଂ, ବିଦୁସ୍ମିତା ମୁଣ୍ଡା, ମୟୂରଭଞ୍ଜର ସୋନାଲି ସୋରେନ, ପାର୍ବତୀ ସୋରେନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।
ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ୍ ସହାୟତା ବାବଦରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ବିଭାଗୀୟ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.