ଆନନ୍ଦପୁରରେ ବ୍ୟାରେଜ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଆନନ୍ଦପୁର,(ବି.ବି.ନୁ୍ୟଜ୍):ଆନନ୍ଦପୁର ଆସି ମୁଁ ବହୁତ ଖୁସି ଅନୁଭବ କରୁଛି । ଆନନ୍ଦପୁର ବ୍ୟାରେଜ ଉଦ୍ଘାଟନ ହେବା ଫଳରେ ଚାଷୀ ମାନେ ବହୁଳ ମାତ୍ରାରେ ଉପକୃତ ହୋଇପାରିବେ । କୃଷି ପାଇଁ ଜଳସେଚନ ସୁବିଧା ନିମନ୍ତେ ମୋ ସରକାର ଅଧିକ ଗୁରୁତ୍ୱ ଦେଉଛି । କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଆଗକୁ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ବିଭିନ୍ନ କ୍ଷେତ୍ରରେ ବର୍ତ୍ତମାନ ଓଡ଼ିଶା ଆପଣମାନଙ୍କ ସହଯୋଗରେ ଆଗେଇ ଚାଲିଛି । ସମଗ୍ର ଭାରତରେ ଓଡ଼ିଶା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆପଣଙ୍କ ସହଯୋଗ ରହିଲେ ଏହାର ସଫଳତା ଅଧିକ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶୁକ୍ରବାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନନ୍ଦପୁର ଗସ୍ତରେ ଆସିଥିଲେ । ବି.ଏନ.ହାଇସ୍କୁଲ ଠାରେ ତିଆରି ହେଲିପ୍ୟାଡରେ ଅବତରଣ କରିବା ପରେ କାର ଯୋଗେ ବ୍ୟାରେଜ ପ୍ରକଳ୍ପ ଗସ୍ତ କରି ବହୁ ପ୍ରତୀକ୍ଷିତ ଆନନ୍ଦପୁର ବ୍ୟାରେଜର ଶୁଭ ଉଦ୍ଘାଟନ କରିଥିଲେ । ଆନନ୍ଦପୁର ବ୍ୟାରେଜ ଡିଭିଜନ୍ ଦ୍ୱାରା ପ୍ରସ୍ତୁତ ଏହି ପ୍ରକଳ୍ପ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ସୁଇଚ୍ ଟିପି ବ୍ୟାରେଜ ଗେଟ୍ ଖୋଲିଥିଲେ । ଜାନୁୟାରୀ ୯ ତାରିଖ ୨୦୦୯ ମସିହାରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ଗସ୍ତ କରି ବ୍ୟାରେଜ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ବ୍ୟାରେଜ ପ୍ରକଳ୍ପରେ ଜଳ ସଂରକ୍ଷଣ କରାଯାଇ ବୈତରଣୀ ବାମପାଶ୍ୱର୍, ଡାହାଣପାଶ୍ୱର୍, ସାଳନ୍ଦୀ ବାମପାଶ୍ୱର୍ କେନାଲ ଯୋଗେ କେନ୍ଦୁଝର ଓ ବାଲେଶ୍ୱର ଜିଲାର ୬୦ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ହେବାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

କେନ୍ଦୁଝର ଜିଲାର ଘସିପୁରା, ହାଟଡିହୀ, ଆନନ୍ଦପୁର, ବାଲେଶ୍ୱର ଜିଲାର ଖଇରା, େଓାପଦା, ସୋରୋ, ବାହାନଗା, ନିଳଗିରି, ରେମୁଣା, ବାଲେଶ୍ୱର ଆଦି ଅଞ୍ଚଳର ଚାଷୀମାନେ ଏହାଦ୍ୱାରା ବେଶ୍ ଉପକୃତ ହେବାର ଲକ୍ଷ୍ୟ ରଖାଯାଇଛି । ୪୭୫ କୋଟି ଟଙ୍କା ବ୍ୟାୟ ଅଟକଳରେ ନିର୍ମିତ ଏହି ବ୍ୟାରେଜର ୩୫୦ ଲକ୍ଷ ଘନ ମିଟର ଜଳଧାରଣ କ୍ଷମତା ରହିଛି । ଏଥିରେ ୩୩ ଗୋଟି ଗେଟ୍ର ବ୍ୟବସ୍ଥା ରହିଥିବାବେଳେ ୮ ଗୋଟି ସ୍ଲୁଇସ୍ ଗେଟ୍ ଦ୍ୱାରା ଜଳ ବଣ୍ଟନର ସୁବିଧା କରାଯାଇଛି । ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଜିଲା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପାଟଣା ବିଧାୟକ ଜଗନ୍ନାଥ ନାୟକ, ଚମ୍ପୁଆ ବିଧାୟକ ମୀନାକ୍ଷୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।
ଆନନ୍ଦପୁର ବ୍ୟାରେଜ ଉଦ୍ଘାଟନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବପୁରାତନ ଶିକ୍ଷାନୁÂାନ ବିଏନ ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମୟର ସଦୁପଯୋଗ କରିବା ପାଇଁ ଛାତ୍ରମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଜୁବୁଲିର କର୍ମକର୍ତ୍ତାମାନଙ୍କ ସହିତ ରାଜ୍ୟ ମନ୍ତ୍ରୀ , ଜିଲ୍ଲା ମନ୍ତ୍ରୀ, ଜିଲାର ବିଧାୟକ, ସାଂସଦ ଯୋଗଦେଇ ବିଦ୍ୟାଳୟର ଉନ୍ନତି କରାଯିବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଏହି ଅବସରରେ ପିପିଳିଆ-ପାଟଣାର ରାସ୍ତାର ଉନ୍ନତିକରଣ ପାଇଁ ୧୨୨୪.୧୬ ଲକ୍ଷ ଟଙ୍କାର ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ,ସାତକୁଟୁଣିଆ- ପାଟଣା ରାସ୍ତାର ବାଉଶୁଳି ପଟଣାଠାରେ ରାସ୍ତାର ସୁଦୃଢିକରଣ ନିମନ୍ତେ ୯୯୧.୧୭ ଲକ୍ଷ ଟଙ୍କାର ପ୍ରକଳ୍ପ, କେନ୍ଦୁଝର ଜିଲା କ୍ଷୀରିଟାଙ୍ଗିରି-ଭ୍ରୁଙ୍ଗାରପଶି-ଚେମଣା ରାସ୍ତାର ଉନ୍ନତିକରଣ ନିମନ୍ତେ ୯୯୬.୭୮ ଲକ୍ଷ ପ୍ରକଳ୍ପ ଭିତ୍ତିପ୍ରସ୍ତର, କେନ୍ଦୁଝର ଜିଲ୍ଲାର ଶାଳଣିଆ-ରତକଣା ରାସ୍ତାର ସୁଦୃଢିକରଣ ୯୯୯.୯୯ ଲକ୍ଷ ଟଙ୍କା ପ୍ରକଳ୍ପର ଭିତିପ୍ରସ୍ତର, ତେଲକୋଇ-ପାଟଣା-ହରିଚନ୍ଦନପୁର-ଘଟଗାଁ ବ୍ଲକ ପାଇଁ ୧୩୧୭.୬୬ ଲକ୍ଷର ମେଗା ପାନୀୟ ଜଳ ପ୍ରକଳ୍ପ, ଶାହାରପଡା ବ୍ଲକ ପାଇଁ ୨୦୪.୨୦ ଲକ୍ଷର ମେଗା ପାନୀୟ ଜଳ ପ୍ରକଳ୍ପ, ଘସିପୁରା ବ୍ଲକ ଓ ଆନନ୍ଦପୁର ବ୍ଲକର ୭ ଗୋଟି ପଞ୍ଚାୟତ ପାଇଁ ୧୭୪.୯ ଲକ୍ଷର ପାନୀୟ ଜଳ ପ୍ରକଳ୍ପ, ଆନନ୍ଦପୁର ବ୍ଲକ ପାଇଁ ୧୨୫.୮୫ ଲକ୍ଷର ମେଗା ପାନୀୟ ଜଳ ପ୍ରକଳ୍ପ, ଚାନ୍ଦପଶି-ଦେଓବନ୍ଧ-ବିନିଡା ରାସ୍ତାର ଉନ୍ନତିକରଣ ପାଇଁ ୩୫୭୩.୨୯ ଲକ୍ଷ ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ଭୁମିହୀନ ବସ୍ତି ବାସିନ୍ଦାଙ୍କୁ ସେ ପଟ୍ଟା ପ୍ରଦାନ କରିଥିଲେ । ସଭାରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ସେବା ଯୋଗାଇବାକୁ ପ୍ରତିଶ୍ରୁତି ଦେବା ସହିତ ଆମ ରାଜ୍ୟ ବିକାଶ ପଥରେ ଆଗେଇ ଚାଲିଥିବା କଥା କହିଥିଲେ । ଆନନ୍ଦପୁର ବିଧାୟକ ଭାଗିରଥି ସେଠି, ଆନନ୍ଦପୁର ମହାବିଦ୍ୟାଳୟକୁ ସରକାରୀ କରଣ କରିବା, ପ୍ରସ୍ତାବିତ ଆନନ୍ଦପୁରକୁ ରେଳପଥର ବ୍ୟବସ୍ଥା, ଆନନ୍ଦପୁରରେ ଅତିରିକ୍ତ ପରିବହନ ବିଭାଗ କାର୍ଯ୍ୟଳୟ କରିବା, ଆନନ୍ଦପୁର ମିନି ଷ୍ଟାଡିୟମ୍ ପୂର୍ଣ୍ଣ ଷ୍ଟାଡିୟମରେ ପରିଣତ କରିବା ଦିଗରେ ଦାବି ଉପସ୍ଥାପନ କରିଥିଲେ । ସାଧାରଣ ସଭାରେ ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାଶ, ଜିଲା ମନ୍ତ୍ରୀ ପ୍ରେମାନନ୍ଦ ନାୟକ. କେନ୍ଦୁଝର ସାଂସଦ ଚନ୍ଦ୍ରାଣି ମୁର୍ମୁ, ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ପ୍ରମୁଖ ସରକାରଙ୍କ ଜନହିତକର କାର୍ଯ୍ୟ ସମ୍ପର୍କରେ ବଖାଣିଥିଲେ । ପାଟଣା ବିଧାୟକ ଜଗନ୍ନାଥ ନାୟକ, ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons