ଆନନ୍ଦପୁର ପୁଲିସ ପଞ୍ଝାରେ କୁଖ୍ୟାତ ଠକ

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ୍): ଭୁବନେଶ୍ୱର ଏମ୍ସ ପରିସରରେ ଘୁରି ବୁଲୁଛନ୍ତି କୁଖ୍ୟାତ ଠକ । ଠକଙ୍କ ଟାର୍ଗେଟରେ ରହୁଛନ୍ତି ରୋଗୀ । ଏକୁଟିଆ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀଙ୍କୁ ହିଁ ଏହି ଗ୍ୟାଙ୍ଗ ସାହାଯ୍ୟ କରିବା ଆଳରେ ଲୁଟୁଛନ୍ତି । ଏହିଭଳି ଉପାୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ଜମାଖାତାରୁ ୧ ଲକ୍ଷ ୬୦ ହଜାର ଟଙ୍କା ହରଣଚାଳ କରି ନେଇଥିବା ଜଣେ ପେସାଦାର ଠକର ସନ୍ଧାନ ମିଳିଛି । ତେବେ ଅଭିଯୁକ୍ତକୁ ନିଜ ପଞ୍ଝାକୁ ନେବା ପୂର୍ବରୁ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ପୁଲିସ ହାତରେ ଏହି ଠକ ଧରା ପଡ଼ିଯାଇଛି । ଜଗତସିଂହପୁର ପୁଲିସ ଟିମ୍ ଆନନ୍ଦପୁରରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତକୁ ସେଠାକାର ପୁଲିସ ଗିରଫ କରି କୋର୍ଟଚାଲାଣ କରିଦେଇଥିବା ଖବର ମିଳିଛି । ବାଧ୍ୟ ହୋଇ ଜଗତସିଂହପୁର ପୁଲିସ ସେହି ଠକକୁ ରିମାଣ୍ଡରେ ଆଣିବା ଯୋଜନାରେ ରହିଛି ।
ଚେହେରାରୁ ବୟସ ଅଧିକ ଲାଗୁଥିଲେ ସୁଦ୍ଧା ଭଣ୍ଡେଇ ଲୋକଙ୍କ ଠାରୁ ଅର୍ଥ ହଡ଼ପ କରିବାରେ ମାଷ୍ଟର ଡିଗ୍ରୀ ହାସଲ କରିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ନସିରପୁର ଗ୍ରାମର ମହେନ୍ଦ୍ର ମିଶ୍ର । ତା’ ନାମରେ ବାଦାମବାଡ଼ି, ଜଗତସିଂହପୁର ଓ ନନ୍ଦିପଦା ଥାନାରେ ମାମଲା ରହିଥିବା ସାମ୍ନାକୁ ଆସିଛି । ତେବେ ଏହାଠାରୁ ଅଧିକ କେସ୍ ତା’ ନାମରେ ରହିଥିବା ସନେ୍ଦହ କରାଯାଉଛି । ତଥାପି ଏହି ପେସାଦାର ଠକ ନିଜ ଜାଲରେ ଜଗତସିଂହପୁର ଅଞ୍ଚଳର ଶିକ୍ଷୟିତ୍ରୀ ଗୀତାରାଣୀ ଭୋଇଙ୍କୁ ଛନ୍ଦିଥିଲେ । ୨୦୧୮ ମସିହା ନଭେମ୍ବର ମାସ ୧୦ ତାରିଖ ଦିନ ବାମ ଗୋଡ଼ ଆଣ୍ଠୁର ଚିକିତ୍ସା ପାଇଁ ଗୀତାରାଣୀ ଭୁବନେଶ୍ୱରସ୍ଥିତ ଏମ୍ସକୁ ଯାଇଥିଲେ । ଏମ୍ସରେ ପହଞ୍ଚିବା ପରେ ସେଠାରେ ଜଣେ ଅପରିଚିତ ଲୋକ ଭେଟ ହୋଇଥିଲେ । ଗୋଡ଼ ଫୁଲି ଯାଇଥିବାରୁ ଗୀତାରାଣୀ ଚାଲିବା ବେଳେ କଷ୍ଟ ଅନୁଭବ କରୁଥିଲେ । ଏଣେ ଯେହେତୁ ଏକୁଟିଆ ଥିଲେ ତେଣୁ ବାଧ୍ୟରେ ଔଷଧ ଓ ଚିକିତ୍ସା ନିମନ୍ତେ ଟିକେଟ୍ କରିବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ । ଏହି ଅସୁବିଧାର ଫାଇଦା ଉଠାଇବାକୁ ଯାଇ ପ୍ରଥମେ ଅପରିଚିତ ବ୍ୟକ୍ତି ଜଣଙ୍କ ଶିକ୍ଷୟିତ୍ରୀ ଗୀତାରାଣୀଙ୍କ ନିକଟତର ହୋଇ ନିଜକୁ ଭୁବନେଶ୍ୱର ରେଳ ଷ୍ଟେସନ୍ର କର୍ମଚାରୀ ମହେନ୍ଦ୍ର ମିଶ୍ର ବୋଲି ପରିଚୟ ଦେଇଥିଲେ । ଏହାସହ ପତ୍ନୀଙ୍କ ଅପରେସନ୍ ପାଇଁ ଏଠାକୁ ଆସିଥିବା ଜଣାଇଥିଲେ । ଉଭୟ ଆଲୋଚନା କରିବା ଭିତରେ ଗୀତାରାଣୀଙ୍କ ଫୋନ୍ ନମ୍ବର ନେଇଥିଲେ ମହେନ୍ଦ୍ର ।
ଗୋଟିଏ ସପ୍ତାହ ପରେ ପୁଣି ଔଷଧ ଆଣିବାକୁ ଏମ୍ସ ଯିବା ଭିତରେ ମହେନ୍ଦ୍ରଙ୍କ ସହ ଗୀତାରାଣୀଙ୍କ ଭେଟ ହୋଇଥିଲା । ପୂର୍ବରୁ ପରିଚିତ ହୋଇଥିବାରୁ ନିଜ ଜିନିଷପତ୍ର ମହେନ୍ଦ୍ରଙ୍କ ଜିମାରେ ରଖି ପାଖ କ୍ୟାଣ୍ଟିନ୍କୁ ଖାଇବାକୁ ଯାଇଥିଲେ ଗୀତାରାଣୀ । ପରେ ସବୁ କାମ ସାରି ଗୀତାରଣୀ ଜଗତସିିଂହପୁର ଫେରି ଆସିଥିଲେ । ଏହାର କିଛି ଦିନ ପରେ ମହେନ୍ଦ୍ର ଫୋନ୍ କରି ଟଙ୍କା ଧାର ମାଗିଥିଲେ । ଟଙ୍କା ନିହାତି ଜରୁରି ଥିବାରୁ କାକୁତିମିନତି ହୋଇଥିଲେ । ବିଶ୍ୱାସ କରି ଗୀତାରାଣୀ ଗତ ବର୍ଷ ଡିସେମ୍ବର ମାସ ୫ ତାରିଖରେ ମହେନ୍ଦ୍ରଙ୍କ ଜମାଖାତାକୁ ୪୦ ହଜାର ଟଙ୍କା ପଠାଇଥିଲେ । ଏତକ ଟଙ୍କା ପାଇବା ପରେ ଆଉ ଏକ ଚାଲ ଖେଳିଥିଲା ମହେନ୍ଦ୍ର । ଦରମା ବନ୍ଦ ହୋଇଛି । ପ୍ରତି ମାସରେ ୭୦ ହଜାର ଟଙ୍କା ଦରମା ହୋଇଥାଏ । ଏଣେ ସ୍ତ୍ରୀ ଦେହ ଖରାପକୁ ଅର୍ଥର ଅଭାବ । କହିବାକୁ ଭଲ ଲାଗୁ ନାହିଁ । ମାତ୍ର ଟଙ୍କା ଦରକାର ପଡ଼ୁଥିବାରୁ ଦୟାକରି ଆଉ ୪୦ ହଜାର ଟଙ୍କା କରଜ ସୂତ୍ରରେ ଦିଅ ବୋଲି ଗୀତାରାଣୀଙ୍କୁ ଫୋନ୍ କରି ଅନୁରୋଧ କରିଥିଲେ ମହେନ୍ଦ୍ର ।
ଲଗାତାର ଭାବେ ଅନୁନୟ ବିନୟ ହେବା ପରେ ଗୀତାରାଣୀ ଗତ ବର୍ଷ ଡିସେମ୍ବର ମାସ ୧୨ ତାରିଖରେ ଏହି ଅର୍ଥ ମହେନ୍ଦ୍ରଙ୍କ ଜମାଖାତାକୁ ପଠାଇଥିଲେ । ଦୁଇ ଥରରେ ୮୦ ହଜାର ଟଙ୍କା ନେବା ପରେ ବି ମହେନ୍ଦ୍ରଙ୍କ ଲୋଭ ବଢି ଚାଲିଥିଲା । କାରଣ ଏମ୍ସରେ ବ୍ୟାଗ୍ ଜଗିବା ସମୟରେ ଗୀତାରାଣୀଙ୍କ କ୍ରେଡିଟ୍ କାର୍ଡକୁ ସେ ଚୋରାଇ ନେଇଥିଲା ମହେନ୍ଦ୍ର, ଯାହାର ଟେର ପାଇନଥିଲେ ସଂପୃକ୍ତା ଶିକ୍ଷୟିତ୍ରୀ । ଆଉ ଏଣେ ୮୦ ହଜାର ପାଇବା ପରେ ଗୀତାରାଣୀଙ୍କ ଫୋନ୍ କଲ୍କୁ ଉଠାଇ ନ ଥିଲା ମହେନ୍ଦ୍ର । ମନରେ ଶଙ୍କା ପଶିବା ପରେ ଗୀତାରାଣୀ ନିଜ କ୍ରେଡିଟ୍ କାର୍ଡ ଖୋଜି ପାଇନଥିଲେ । ଶେଷରେ ବ୍ୟାଙ୍କକୁ ଦୌଡି କ୍ରେଡିିଟ୍ କାଡର଼୍କୁ ବ୍ଲକ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ । ହେଲେ ସେତେବେଳକୁ କ୍ରେଡ଼ିଟ୍ କାଡର଼୍ରୁ ବି ୮୦ ହଜାର ଟଙ୍କା ଉଠାଇ ନିଆଗଲାଣି । ଆଉ ଏହି ଅର୍ଥରେ ମହେନ୍ଦ୍ର ଅନ୍ଲାଇନ୍ ଜରିଆରେ ବହୁ ସାମଗ୍ରୀ ବିଭିନ୍ନ ଏଜେନ୍ସିରୁ କିଣି ସାରିଥିବା ବ୍ୟାଙ୍କ ଷ୍ଟେଟମେଣ୍ଟରୁ ଜାଣିବାକୁ ପାଇଥିଲେ ଗୀତାରାଣୀ । କ୍ରେଡ଼ିଟ୍ କାର୍ଡର୍ ଖୋଳରେ ସିକ୍ରେଟ ନମ୍ବର ଲେଖିଥିବାରୁ ଗୀତାରାଣୀ ସହଜରେ ଠକେଇରେ ପଡ଼ିଥିଲେ । ମହେନ୍ଦ୍ର ବିରୋଧରେ ବାଦାମବାଡ଼ି ଥାନାରେ ବଳାକ୍ରାର ମାମଲା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons