ଭୁବନେଶ୍ୱର,(ବି.ବି.ବୁ୍ୟରୋ): ହକ୍ ହାସଲ ପାଇଁ ସରକାରଙ୍କ ସହ ଲଢେ଼ଇ କରିବାକୁ ଆସିଥିଲେ । ଭାଷଣ ଜରିଆରେ ସରକାରଙ୍କୁ ନିଜ ଦାବି ଜଣାଉଥିଲେ । ହେଲେ ସରକାରଙ୍କ ପାଖରେ ତାଙ୍କ ସ୍ୱର ପହଞ୍ଚିବା ପୂର୍ବରୁ ଟଳିପଡିÿଲେ । ଡାକ୍ତରଖାନା ନେବା ପୂର୍ବରୁ ଆଖି ବୁଜିଦେଲେ । ଲୋୟର ପିଏମ୍ଜିରେ ଆଜି ଧାରଣାରତ ଜଣେ ଶିକ୍ଷକଙ୍କ ଏମିତି ଅକାଳମୃତୁ୍ୟ ଘଟିଛି । ଲୋୟର ପିଏମ୍ଜିରେ ଅସ୍ୱାଭାବିକ ଭାବେ ମୃତୁ୍ୟଲାଭ କରିଥିବା ଏହି ପ୍ରାଥମିକ ଶିକ୍ଷକ ହେଲେ ନିରଞ୍ଜନ ବାରିକ(୩୮) । ସେ ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସ କ୍ୟାଡର) ମହାସଂଘର ମୟୂରଭଞ୍ଜ ଜିଲ୍ଲା ସଭାପତି ଥିଲେ । ଆଜି ଘଟିଥିବା ଏଭଳି ଅଭାବନୀୟ ଘଟଣା ପୂରା ଶିକ୍ଷକ ସମାଜକୁ ସ୍ତବ୍ଧ କରିଦେଇଛି ।
ମିଳିଥିବା ସୂଚନା ମୁତାବକ, ନିରଞ୍ଜନଙ୍କ ଘର ହେଉଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ବଡଖୁଣ୍ଟା ଗାଁରେ । ସଂଘ ପକ୍ଷରୁ ଆନେ୍ଦାଳନର ଡାକରା ପାଇଁ ନିଜ ଜିଲ୍ଲାରୁ ଶତାଧିକ ଶିକ୍ଷକଙ୍କୁ ଏକାଠି କରି ଧାଇଁ ଆସିଥିଲେ ରାଜଧାନୀକୁ । ମାଷ୍ଟରକ୍ୟାଣ୍ଟିନରୁ ଏକ ଶୋଭାଯାତ୍ରାରେ ବିକ୍ଷୋଭ ପ୍ରଦର୍ଶନ କରି ଲୋୟର ପିଏମ୍ଜିରେ ପହଞ୍ଚିଥିଲେ । ସେଠାରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଭେଟିବାକୁ ଦେଇନଥିଲା ପୁଲିସ ଫୋର୍ସ । ତେଣୁ ଶିକ୍ଷକଗଣ ରାସ୍ତା ଉପରେ ବସି ପ୍ରତିବାଦ କଲେ । ଜଣ ଜଣ କରି ଶିକ୍ଷକ ନେତା ଭାଷଣ ଦେଉଥିଲେ । ନିରଞ୍ଜନ ମଧ୍ୟ ହାତରେ ମାଇକ୍ ଧରି ନିଜ ଜୀବନର ଦୁଃଖ କାହାଣୀ ଧାରଣାରତ ଶିକ୍ଷକଙ୍କ ସାମ୍ନାରେ ବଖାଣିଥିଲେ । ଓଟିଇଟି ପରୀକ୍ଷାରେ ବିଭ୍ରାଟ ସମ୍ପର୍କରେ ସରକାରଙ୍କ ଶିବିରକୁ ପ୍ରଶ୍ନ କରିଥିଲେ । ଲଢେ଼ଇ ଜାରି ରଖିବାକୁ ଶିକ୍ଷକମାନଙ୍କୁ ଆହ୍ୱାନ ଦେଇଥିଲେ । ଠିକ୍ ଅପରାହ୍ଣ ସାଢେ଼ ୨ଟା ବେଳେ ସେ ଭାଷଣ ଦେଉଥିବା ବେଳେ ହଠାତ୍ ଷ୍ଟେଜ ଉପରେ ଟଳିପଡ଼ିଲେ । କାଳେ ସେ ବେହୋସ ହୋଇପଡିଲେ ଭାବି ଉପସ୍ଥିତ କିଛି ଶିକ୍ଷକ ତାଙ୍କୁ ପାଣି ଛିଞ୍ଚି ଉଠାଇବାକୁ ଚେଷ୍ଟା କରିଥିଲେ । ଉପସ୍ଥିତ ପୁଲିସ ଓ ଶିକ୍ଷକମାନେ ତୁରନ୍ତ ନିରଞ୍ଜନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
କ୍ୟାପିଟାଲ ଥାନା ପୁଲିସ ତାଙ୍କ ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲ ଶବାଗାରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି । ସେପଟେ ହୃଦଘାତ୍ ଯୋଗୁଁ ତାଙ୍କର ମୃତୁ୍ୟ ହୋଇ ଥାଇପାରେ ବୋଲି ଡାକ୍ତର କହୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହୁଛି । ଶିକ୍ଷକ ସଂଘ ନିରଞ୍ଜନଙ୍କ ମୃତୁ୍ୟକୁ ନେଇ ସମବେଦନା ଜଣାଇଛି । ତୁରନ୍ତ ମୃତ ଶିକ୍ଷକଙ୍କ ପରିବାରରୁ ଜଣଙ୍କୁ ଚାକିରି ଓ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସଂଘ ପକ୍ଷରୁ ସରକାରଙ୍କୁ ଦାବି କରାଯାଇଛି । ସଂଘର ଉପସଭାପତି ଜୟନ୍ତିଲାଲ୍ ସାହୁ କହିଛନ୍ତି, ମୃତୁ୍ୟ କେଉଁ ମୁହୂର୍ତ୍ତରେ ଆସିବ, ତାହା କହି ହେବନି । ମୃତ ଏକ୍ସ କ୍ୟାଡର ଶିକ୍ଷକଙ୍କ ପରିବାରବର୍ଗ ଓ ଅସ୍ଥାୟୀ ଭାବେ ଦୀର୍ଘ ଦିନ ଧରି ଖଟୁଥିବା ଶିକ୍ଷକଙ୍କ ନିୟମିତ ନିଯୁକ୍ତି ପାଇଁ ଚାଲିଥିବା ଏ ଲଢେ଼ଇ ଜାରି ରହିବ । ଆଗକୁ ଆନେ୍ଦାଳନ ଜୋରଦାର ହେବ ।
Comments are closed, but trackbacks and pingbacks are open.