ଆନ୍ଧ୍ର ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ

Get real time updates directly on you device, subscribe now.

ବିଜୟୱାଡ଼ା: ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ବରିଷ୍ଠ ବିଜେପି ନେତା ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ବୁଧବାର ଶପଥ ଗ୍ରହଣ କରିଛନ୍ତି । ବିଜୟୱାଡ଼ାସ୍ଥିତ ନବନିର୍ମିତ ରାଜଭବନ ପରିସରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଆନ୍ଧ୍ର ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସି ପ୍ରବୀଣ କୁମାର ବିଶ୍ୱଭୂଷଣଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।
ଶପଥ ଗ୍ରହଣ ଉତ୍ସବରେ ନବ ନିର୍ବାଚିତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନ ମୋହନ ରେଡ୍ଡୀ, ତାଙ୍କ ମନ୍ତ୍ରିମଣ୍ଡଳ ସହଯୋଗୀ, ସମସ୍ତ ବିଧାୟକ, ମୁଖ୍ୟ ସଚିବ ଏଲ୍ ଭି ସୁବ୍ରମଣ୍ୟମ୍ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଏହାବ୍ୟତୀତ ରାଜ୍ୟ ବିଧାନସଭା ବାଚସ୍ପତି ତାମିନେନି ସୀତାରାମ ଓ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଉପସ୍ଥିତ ଥିଲେ ।
ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ବିଶ୍ୱଭୂଷଣ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ରେଡ୍ଡୀ ଏବଂ ଅନ୍ୟମାନଙ୍କ ସହ ସାକ୍ଷାତ କରିଥିଲେ । ଏହି ଅବସରରେ ପାରମ୍ପରିକ ଭାବେ ରାଜ୍ୟପାଳଙ୍କ ସହ ରେଡ୍ଡୀ ଓ ତାଙ୍କ ମନ୍ତ୍ରିମଣ୍ଡଳ ସହଯୋଗୀମାନେ ଗ୍ରୁପ୍ ଫଟୋ ନେଇଥିଲେ । ଉଲ୍ଲେଖଯୋଗ୍ୟ, ଆନ୍ଧ୍ର ବିଭାଜନ ପରେ ବିଶ୍ୱଭୂଷଣ ହେଉଛନ୍ତି ରାଜ୍ୟର ପ୍ରଥମ ପୂର୍ଣ୍ଣକାଳୀନ ରାଜ୍ୟପାଳ । ୨୦୧୪ରେ ଆନ୍ଧ୍ରଠାରୁ ତେଲଙ୍ଗାନା ପୃଥକ୍ ହୋଇଥିଲା । ଶପଥ ଗ୍ରହଣ ପୂର୍ବରୁ ମଙ୍ଗଳବାର ବିଶ୍ୱଭୂଷଣ ସପରିବାର ତିରୁପତି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।
୮୫ ବର୍ଷୀୟ ବିଶ୍ୱଭୂଷଣ ଓଡ଼ିଶାର ଏକ ସ୍ୱାଧୀନତା ସଂଗ୍ରାମୀ ପରିବାରରେ ୧୯୩୪ ଅଗଷ୍ଟ ୩ରେ ଜନ୍ମଗ୍ରହଣ କରିଥିଲେ । ୧୯୬୧ରେ ସେ ଓଡ଼ିଶା ହାଇକୋର୍ଟରେ ଜଣେ ଓକିଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ୧୯୭୧ରେ ସେ ଭାରତୀୟ ଜନ ସଂଘରେ ସାମିଲ ହୋଇଥିଲେ । ୧୯୭୭ରେ ସେ ପ୍ରଥମେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ରେ ବିଶ୍ୱଭୂଷଣ ବିଜେପିରେ ସାମିଲ ହୋଇଥିଲେ । ସେ ଦଳର ରାଜ୍ୟ ମୁଖ୍ୟ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ସେ ଓଡ଼ିଶା ବିଧାନସଭାକୁ ୫ ଥର ନିର୍ବାଚିତ ହୋଇଥିଲେ । ୨୦୦୪ରେ ବିଜେଡି-ବିଜେପି ମେଣ୍ଟ ସରକାରାରେ ବିଶ୍ୱଭୂଷଣ ଜଣେ କ୍ୟାବିନେଟ୍ ମନ୍ତ୍ରୀ ରହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons