ପୁରୀ,(ବି.ବି.ବ୍ୟୁରୋ): ଆମେରିକାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ପୁରୀ ପୁଅ ସୁଦର୍ଶନ ପ;ନାୟକ ‘ପିପୁଲ୍ସ ଚଏସ୍ ଆୱାର୍ଡ଼’ ହାସଲ କରିଛନ୍ତି । ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତି ଥିଲା ତାଙ୍କ ବିଷୟବସ୍ତୁ । ମହାସାଗରକୁ ପ୍ଲାଷ୍ଟିକ ପ୍ରଦୂଷଣମୁକ୍ତ କରିବା ଉଦ୍ଦେଶ୍ୟରେ ସେ ବାଲୁକା କଳା ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ । ସବୁଠାରୁ ଅଧିକ ସଂଖ୍ୟକ ଦେଖଣାହାରୀ ତାଙ୍କ ସପକ୍ଷରେ ମତଦାନ କରିଥିଲେ । ଫଳତଃ ତାଙ୍କୁ ପିପୁଲସ୍ ଚଏସ୍ ଆୱାର୍ଡ଼ ମିଳିଛି ।
ମହୋତ୍ସବରେ ବେଲଜିୟମ୍କୁ ଭାସ୍କର୍ଯ୍ୟ ଚଏସ୍ ଓ କାନାଡ଼ାକୁ ଜୁରୀସ୍ ଚଏସ୍ ଆୱାର୍ଡ଼ ମିଳିଛି । ବୋଷ୍ଟନ୍ ସହରରେ ଚଳିତ ମାସ ୨୬ରୁ ୨୮ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ମହୋତ୍ସବରେ ଭାରତକୁ ମିଶାଇ ମୋଟ ୧୫ଜଣ ଅଂଶଗ୍ରହଣକାରୀ ଥିଲେ । ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ସମ୍ବର୍ଦ୍ଧନାର ସୁଅ ଛୁଟିଛି । ଉପ-ରାଷ୍ଟ୍ରପତି ଭେଙ୍କୟାନାଇଡ଼ୁ, ବଲିଉଡ୍ ଅଭିନେତା ଅନୁପମ୍ ଖେର୍, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି । ସୁଦର୍ଶନ ମୁଖ୍ୟତଃ ବାଲୁକା କଳା ମାଧ୍ୟମରେ ସାମାଜିକ ସଚେତନତା ସୃଷ୍ଟି କରିଥାନ୍ତି । ୬୦ରୁ ଅଧିକ ଅନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗିତାରେ ଭାଗ ନେଇଥିବା ସୁଦର୍ଶନ ୨୦୧୪ରେ ପଦ୍ମଶ୍ରୀ ସମ୍ମାନ ଲାଭ କରିଥିଲେ ।
Comments are closed, but trackbacks and pingbacks are open.