ୱିଲିମିଙ୍ଗଟନ : ବରିଷ୍ଠ ଓ ଅଭିଜ୍ଞ ଡେମୋକ୍ରାଟ, ହେଲେ ୨୦୦୮ ମସିହା ପର୍ୟ୍ୟନ୍ତ ଦେଶ ବାହାରେ ଥିଲେ ଅପରିଚିତ। ତେବେ ଅଚାନକ ସିନେଟର ତଥା ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ ବାରାକ ଓବାମା ତାଙ୍କୁ ବନ୍ଧୁ ଭାବେ ସମ୍ଭୋଧିତ କରିବା ଦେଶ ଦୁନିଆରେ ରାତାରାତ ପରିଚିତ ହୋଇ ଯାଇଥିଲେ ଜୋ ବିଡେନ। ଓବାମା ରାଷ୍ଟ୍ରପତି ଥିବା ବେଳେ ସେ ଉପରାଷ୍ଟ୍ରପତି ହୋଇଥିଲେ । ସ୍ନେହରେ ଓବାମା ତାଙ୍କୁ ଡାକନ୍ତି ‘ସ୍ଲିପି ଜୋ’ । ହେଲେ ସେ ଆଉ ସେଦିନର ଜୋ ହୋଇ ନାହାନ୍ତି। ସାରା ବିଶ୍ୱରେ ତାଙ୍କୁ ଏବେ ଅଗଣିତ ଆମେରିକୀୟଙ୍କ ତ୍ରାଣକର୍ତ୍ତା ଭାବେ ଦେଖାଯାଉଛି। ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଡେମୋକ୍ରାଟ ପ୍ରାର୍ଥୀ ଜୋଙ୍କ ସପକ୍ଷରେ ଯାଇଛି। ଆମେରିକା ପ୍ରଥମ ଥର ଜଣେ ଏପରି ନେତାଙ୍କୁ ପାଇବ ଯିଏ ଜଣେ ସିଟି କାଉନସିଲ ସଦସ୍ୟ ପଦରୁ ଆରମ୍ଭ କରି ଦେଶର ଉପରାଷ୍ଟ୍ରପତି ପଦବୀ ପର୍ୟ୍ୟନ୍ତ ଅଭିଜ୍ଞତା ରଖିଛନ୍ତି। ତେବେ ଆସନ୍ତୁ ଜାଣିବା କିପରି ଥିଲା ଏହି ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ଦୀର୍ଘ ରାଜନୈତିକ ଯାତ୍ରା।
ଜୋସେଫ ରୋବିନେଟ୍ ବିଡେନ୍
ପୁରା ନାମ ଜୋସେଫ ରୋବିନେଟ୍ ବିଡେନ୍, ଯିଏ ଏବେ ସାରା ବିଶ୍ୱରେ ଜୋ ବିଡେନ ଭାବେ ବେଶ୍ ଜଣାଶୁଣା। ୨୦ନଭେମ୍ବର ୧୯୪୨ରେ ପେନସିଲଭାନିଆ ସ୍କ୍ରାଣ୍ଟନରେ ଜନ୍ମିତ ବିଡେନ ଆମେରିକାର ୪୭ତମ ଉପରାଷ୍ଟ୍ର ମଧ୍ୟ ଅବସ୍ଥାପିତ ଥିଲେ। ଜୋ ୧୦ ବର୍ଷର ହୋଇଥିବା ବେଳେ ପରିବାର ସହ ଡିଲାୱେର ଚାଲିଆସିଥିଲେ। ଡିଲାୱେର ବିଶ୍ୱବିଦ୍ୟାଳୟରୁ ସେ ଇତିହାସ ଓ ରାଜନୀତି ବିଜ୍ଞାନରେ ଏକକାଳୀନ ୨ଟି ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ପରେ ୧୯୬୮ ମସିହାରେ ସେ ସିରାକ୍ୟୁସ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ହାସଲ କରିଥିଲେ।
ଡିଲାୱେର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କାଳରେ ନିଲିଆ ହଣ୍ଟରଙ୍କ ସମ୍ପର୍କରେ ଆସିଥିଲେ ଜୋ। ଯାହାଙ୍କ ଲାଗି ସେ ସିରାକ୍ୟୁସ ବିଶ୍ୱବିଦ୍ୟାଳୟର ଆଇନ ପଢିବାକୁ ନାମ ଲେଖାଇଥିଲେ। ଆଇନ ପଢା ସରିବା ପରେ ବିଡେନ ଡିଲାୱେର ଫେରି ଆସି ଆଟର୍ଣ୍ଣି ଭାବେ କାର୍ୟ୍ୟ ଆରମ୍ଭ କରିଥିବା ବେଳେ ୧୯୬୬ ମସିହାରେ ହଣ୍ଟରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଓକିଲାତି କରୁଥିବା ବେଳେ ୧୯୭୦ ମସିହାରେ ଜୋ ଡେମେକ୍ରାଟିକ ପାର୍ଟିରେ ଯୋଗ ଦେଇଥିବା ବେଳେ ସେହି ବର୍ଷ ଦଳ ତାଙ୍କୁ ନ୍ୟୁ କାଷ୍ଟଲ ସିଟି କାଉନସିଲରୁ ପ୍ରାର୍ଥୀ କରିଥିଲା। ରାଜନୈତିକ ଜୀବନର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀତାରେ ସଫଳ ହୋଇଥିଲେ ବିଡେନ। ଏହା ଥିଲା ତାଙ୍କ ରାଜନୈତିକ ଜୀବନର ପ୍ରଥମ ନିର୍ବାଚନ ଓ ବିଜୟ।
ସର୍ବ କନିଷ୍ଠ ସିନେଟର
ସିଟି କାଉନସିଲର ଭାବେ ବର୍ଷ ୨ଟା ବି ପୂରଣ ହୋଇନଥିଲା। ସିନେଟ ନିର୍ବାଚନରେ ତାଙ୍କୁ ପୁଣି ପ୍ରାର୍ଥୀ କରିଦେଇଥିଲା। ଦଳ ରିପବ୍ଲିକାନ ପାର୍ଟିର ଅବସ୍ଥାପିତ ସିନେଟ୍ରଙ୍କୁ ଅପ୍ରତ୍ୟାସିତ ଭାବେ ପରାସ୍ତ କରିଥିଲେ ବିଡେନ। ୧୯୭୨ ମସିହାରେ ହୋଇଥିବା ଏହି ନିର୍ବାଚନ ବେଳକୁ ବିଡେନଙ୍କ ବୟସ ହୋଇଥିଲା ମାତ୍ର ୨୯। ସେତେବେଳେ ଆମେରିକା ସିନେଟକୁ ନିର୍ବାଚିତ ହେବାରେ ବିଡେନ ଥିଲେ ଦେଶର ପଞ୍ଚମ ସର୍ବ କନିଷ୍ଠ ସିନେଟର।
କାର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ପତ୍ନୀ ଓ ଶିଶୁ କନ୍ୟା
ବିଡେନଙ୍କ ରାଜନୈତିକ ଜୀବନ କିନ୍ତୁ ଏତେ ସୁଗମ ନଥିଲା। ସିନେଟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବେଳେ ଏକ କାର ଦୁର୍ଘଟଣାରେ ତାଙ୍କ ପତ୍ନୀ ନିଲିଆ ହଣ୍ଟର ଓ ଶିଶୁ କନ୍ୟା ପ୍ରାଣ ହରାଇଥିବା ବେଳେ ଆହତ ହୋଇ ବଞ୍ଚିଯାଇଥିଲେ ୨ ପୁଅ। ପତ୍ନୀ ଓ କନ୍ୟାଙ୍କ ବିୟୋଗର ଦୁଃଖ ଛାତିରେ ଚାପି ସିନେଟରେ ଯୋଗଦେଇଥିଲେ ବିଡେନ। ୧୯୭୭ ମସିହାରେ ଜିଲ ଜାକବ୍ଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଜାକୋବ ଓ ବିଡେନଙ୍କ ଝିଅଟିଏ ବି ଅଛି। ରାଜନୀତିରେ ପରିବାର ଲାଗି ସମୟ ବାହାର କରିପାରୁନଥିଲେ ବିଡେନ। ଏଣୁ କାର ଦୁର୍ଘଟଣାରେ ଆହତ ୨ ପୁଅଙ୍କ ଲାଗି ସମୟ ଅଭାବ କାରଣରୁ ସେ ରାଜନୀତି ଛାଡି ଦେବାକୁ ମଧ୍ୟ ଏକ ସମୟରେ ଚାହୁଁଥିଲେ। ଯାହାବି ହେଉ ସେ କେବଳ ରାଜନୀତିରେ ନିଜକୁ ପ୍ରତିଷ୍ଠା କରିନାହାନ୍ତି ଡିଲାୱେରରୁ ଲଗାତାର ୬ ଥର ସିନେଟକୁ ନିର୍ବାଚିତ ହୋଇଛନ୍ତି।
୩୬ ବର୍କ୍ଷ ଧରି ସିନେଟର ଭାବେ ତାଙ୍କ କାର୍ୟ୍ୟ ବେଶ୍ ଜନାଦ୍ରୁତ ହୋଇଥିଲା। ବୈଦେଶିକ ସମ୍ପର୍କ, ନ୍ୟାୟ ଓ ନିଶା ସଂସ୍କାର ତାଙ୍କର ପ୍ରାଥମିକତା ଥିଲା। ଯାହା ତାଙ୍କପ୍ରତି ଡିଲାୱେରବାସୀଙ୍କ ଆସ୍ଥାକୁ ଅଧିକ ଦୃଢ଼ କରିଥିଲା। ଏଥିରେ ନିଜ ମୂଳ ଅଧ୍ୟାବସାୟକୁ କିନ୍ତୁ ଭୁଲି ନଥିଲେ ଜୋ। ସିନେଟର ସାଙ୍ଗକୁ ୧୯୮୭ରୁ ୯୫ ମସିହା ପର୍ୟ୍ୟନ୍ତ ୮ ବର୍ଷ ଧରି ବିଚାରବିଭାଗୀୟ କମିଟିର ଅଧ୍ୟକ୍ଷତା ମଧ୍ୟ କରିଥିଲେ। ହେଲେ ଥକିପଡିନଥିଲେ ବିଡେନ। ତାଙ୍କ ଆଗ୍ରହର ବିଷୟ ବୈଦେଶିକ ସମ୍ପର୍କ ଲାଗି ସେ ୨୦୦୧ରୁ ୨୦୦୩ ପର୍ୟ୍ୟନ୍ତ ଚାରିବର୍ଷ ଧରି ବୈଦେଶିକ ସମ୍ପର୍କ କମିଟି ସଭାପତି ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ହେଲେ ଦାୟିତ୍ୱ କିନ୍ତୁ ପିଛା ଛାଡି ନଥିଲା। ଓବାମା ରାଷ୍ଟ୍ରପତି ଥିବା ବେଳେ ୨୦୦୭ରୁ ୨୦୦୯ ମସିହା ପର୍ୟ୍ୟନ୍ତ ଦେଶର ଉପରାଷ୍ଟ୍ରପତି ମଧ୍ୟ ନିଯୁକ୍ତ ହୋଇଥିଲେ।
ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ପୂର୍ବରୁ ୨ ଥର ମିଳିଥିଲା ସୁଯୋଗ
ଜଣେ ବରିଷ୍ଠ ଓ ଲୋକପ୍ରୀୟ ରାଜନେତା ଭାବେ ଜୋ ବିଡେନଙ୍କୁ ଦଳ ପୂର୍ବରୁ ୨ ଥର ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଚାହିଁଥିଲା। ହେଲେ ସମୟ ତାଙ୍କ ଲାଗି ପ୍ରତିକୂଳ ହୋଇଥିଲା। ୧୯୮୮ ଓ ୨୦୦୮ରେ ତାଙ୍କ ପ୍ରାର୍ଥୀତ୍ୱ ଲାଗି ପ୍ରବଳ ସମ୍ଭାବନା ଥିଲା। ୧୯୮୮ ମସିହାରେ ସେ ଦଳର ପ୍ରାର୍ଥୀ ମଧ୍ୟ ହୋଇଥିଲେ। ହେଲେ ଓହରିଯାଇଥିଲେ। ଏହାର ୨୦ ବର୍ଷ ପରେ ଦ୍ୱିତୀୟବାର ବିଡେନ ପ୍ରାର୍ଥୀ ହେବାର ସୁଯୋଗ ସୃଷ୍ଟି ହୋଇଥିଲା। ସେ ପ୍ରଚାର ମଧ୍ୟ ଆରମ୍ଭ କରିଥିଲେ। ହେଲେ ପ୍ରଭାବହୀନ ପ୍ରଚାର ଲାଗି ସେ ପ୍ରାଇମେରୀ ସ୍ତରରେ ନିର୍ବାଚନରୁ ଓହରିଯାଇଥିଲେ। ୨୦୧୫ରେ ମଧ୍ୟ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଚାହିଁଥିଲେ ବିଡେନ। ହେଲେ ସେ ବର୍ଷ ତାଙ୍କ ବଡ ପୁଅ ମସ୍ତିଷ୍କ କର୍କଟରେ ପ୍ରାଣ ହରାଇବା ଯୋଗୁ ବିଡେନ ରାଜନୀତିରୁ ଦୂରେଇ ଯାଇଥିଲେ।
ଏବେ ଇତିହାସର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୋଡରେ ପହଞ୍ଚିସାରିଛନ୍ତି ବିଡେନ୍। ଜୀବନର ପ୍ରଥମ ନିର୍ବାଚନ ଭଳି ଥରକରେ ସଫଳ ମଧ୍ୟ ହେବାକୁ ଯାଉଛନ୍ତି । ହେଲେ ତାଙ୍କ ସମ୍ପର୍କରେ ଏତିକି କୁହାଯାଇପାରେ ଯେ ସେ ଆମେରିକା ରାଜନୀତି ଇତିହାସରେ କିଛି ଏପରି ଛାପ ଛାଡିଛନ୍ତି ଯାହାକୁ ଚାହିଁଲେ ବି କେହି ଲିଭାଇପାରିବେନି ।
Comments are closed, but trackbacks and pingbacks are open.