ଆମ୍ବୁଲାନ୍ସ ନେଲାନି, ଜୀବନ ଚାଲିଗଲା

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ତୁମେ ଆସୁଥିଲ କାହିଁକି… କୁହାହୋଇଥିଲା ନା, ଫୋନ୍ କରି ଅଣାଯାଇଥିଲା… ମୁଁ ଛୋଟ ପିଲା ନୁହେଁ… ମୁଁ ନିୟମ କିଛି ଜାଣିନି, ତୁମେ କାହିଁକି ନେଉନ… ଇଏ ହେଉଛି ଜଣେ ନାବାଳକ ପୁଅର ୧୦୮ ଆମ୍ବୁଲାନ୍ସ ଡ୍ରାଇଭର୍ ନିକଟରେ ନେହୁରା ହେବାର କେଇ ପଦ କଥା । ହେଲେ ଫଳ ଶୂନ । ସାହିବାସିନ୍ଦା, ପରିବା ଲୋକଙ୍କ ସହ ଡ୍ରାଇଭର୍ଙ୍କ ଘଣ୍ଟାଏ କାଳ ଚାଲିଲା ଯୁକ୍ତିତର୍କ । ପ୍ରଥମେ ରାଜି ହେଲେନି ଆମ୍ବୁଲାନ୍ସ ଷ୍ଟାଫ୍ । ଏହାରି ମଧ୍ୟରେ ଗୁରୁତର ହୋଇ ସାରିଥିଲା ରୋଗୀଙ୍କ ଅବସ୍ଥା । ଶେଷରେ ସାହି ଲୋକ ଏକ ଅଟୋ ଡାକି ଡାକ୍ତରଖାନା ନେବା ପାଇଁ ପ୍ରସ୍ତୁତ ହେଲେ । ଏହା ଦେଖି ଆସିବାର ପ୍ରାୟ ଘଣ୍ଟାଏ ପରେ ଆମ୍ବୁଲାନ୍ସ ଷ୍ଟାଫ୍ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସରେ ଭର୍ତ୍ତି କରିଥିଲେ । କିନ୍ତୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଡାକ୍ତର ରୋଗୀଙ୍କୁ ମୃତ ଘୋଷଣା କରିଥିଲେ । ସୋମବାର ପୂର୍ବାହ୍ଣରେ ପୁରୁଣା ବ୍ରହ୍ମପୁର, ପ୍ରହଲ୍ଲାଦ ନଗର-୨ରେ ଏଭଳି ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଛି । ପ୍ରାୟ ୪୩ ବର୍ଷ ବୟସ୍କ ମଧୁମେହ ରୋଗୀ ମନୋଜ ପ୍ରହରାଜଙ୍କୁ ଡାକ୍ତରଖାନା ନେବାକୁ ପହଞ୍ଚିଥିବା ଆମ୍ବୁଲାନ୍ସ ଏମ୍କେସିଜି ସ୍ଥାନାନ୍ତର କରିବାକୁ ଘଣ୍ଟାଏ ବିଳମ୍ବ କରିବାରୁ ତାଙ୍କର ମୃତୁ୍ୟ ଘଟିଥିବା ଅଭିଯୋଗ ହୋଇଛି । ସ୍ତ୍ରୀଙ୍କ ମଥାରୁ ସିନ୍ଦୁର ଲିଭିଗଲା, ବାପା ଛେଉଣ୍ଡ ହୋଇଗଲେ ହାଇସ୍କୁଲ ପଢୁଆ ଦୁଇ ପୁଅ ଝିଅ । ସେପଟେ ଘଟଣା ପରେ ଜିଲ୍ଲାର ସମସ୍ତ ୧୦୮ ଓ ୧୦୪ ଆମ୍ବୁଲାନ୍ସ କୋଭିଡ୍ ସନ୍ଦିଗ୍ଧଙ୍କୁ ମଧ୍ୟ ଡାକ୍ତରଖାନା ନେବେ ବୋଲି ନିଦେ୍ର୍ଧଶ ଜାରି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।
ମୃତକଙ୍କ ପୁଅ ମାନସ ରଞ୍ଜନ ପ୍ରହରାଜଙ୍କ କହିବା ମୁତାବକ ‘ଆମ୍ବୁଲାନ୍ସ ଆସିଥିଲା, ବାବାଙ୍କୁ ନେଲାନି, ଦାଣ୍ଡରେ ମରିଗଲେ । କହିଲେ ତାଙ୍କର ନିୟମ ସେଇଟା । ଆଉ ଗୋଟେ ଗାଡି ଆସିଲେ ନେବ । ୧୦୮ ଆସିଥିଲା, ୧୦୪ ଆସିଲେ ନେବ ବୋଲି କହିଲେ । ଯେତେ ରିକ୍ୱେଷ୍ଟ କଲେ ବି ନେଲେନି, ବାବା ଦାଣ୍ଡରେ ମରିଗଲେ ।’ ଅଞ୍ଚଳବାସୀଙ୍କ କହିବା ମୁତାବକ ଘର ଲୋକଙ୍କ ଫୋନ୍ ପରେ ସାହିରେ ପ୍ରାୟ ସାଢେ ୯ଟା ବେଳକୁ ପହଞ୍ଚିଥିଲା ୧୦୮ ଆମ୍ବୁଲାନ୍ସ । ଭ୍ୟାନ୍ରେ ଥିବା ଷ୍ଟେ୍ରଚର୍ରେ ରୋଗୀଙ୍କୁ ତିନି ମହଲା ଉପରୁ କୋଠାର ବାରଣ୍ଡାକୁ ଅଣାଯାଇ ଥିଲା । ହେଲେ ସେତେବେଳେ ଡ୍ରାଇଭର୍ ରୋଗୀଙ୍କୁ ଆମ୍ବୁଲାନ୍ସ ଭିତରକୁ ନେବାକୁ ମନା କରି ଦେଇଥିଲା । କହିଥିଲା ଯେ- ସେ ମଧୁମେହ ରୋଗୀ, ମେଦବହୁଳତା ମଧ୍ୟ ରହିଛି । କୋଭିଡ୍ ଲକ୍ଷଣ ଦେଖାଯାଉଛି । ତେଣୁ ତାଙ୍କୁ ଏଇ ଗାଡିରେ ନିଆଯିବନି, ଅନ୍ୟ ଗାଡି ଆସିବ, କଣ୍ଟେ୍ରାଲ୍ ରୁମ୍କୁ ଫୋନ୍ କରନ୍ତୁ । ତେବେ ମନୋଜଙ୍କ ସ୍ୱାସ୍ଥ୍ୟବସ୍ଥା କ୍ରମେ ବିଗିଡିବା ସହ ସେ ଗୁରୁତର ହୋଇ ପଡିଥିବା ଦେଖି ତାଙ୍କ ପୁଅ ମାନସଙ୍କ ସମେତ ଭଉଣୀ, ଜ୍ୱାଇଁ ଓ ସାହି ଲୋକ ଡ୍ରାଇଭର୍କୁ ନେବାକୁ ଅନୁରୋଧ କରିବାରେ ଲାଗିଥିଲେ । ହେଲେ ସୁଫଳ ମିଳି ନଥିଲା । ଏପରିକି ପରିବାରର ମହିଳା, ସାହିବାସିନ୍ଦା ଭ୍ୟାନ୍ରେ ବସିଥିବା ଡ୍ରାଇଭର୍ଙ୍କ ସହ ଗାଳିଗୁଲଜ ମଧ୍ୟ ଘଟିଥିଲା । ବାରମ୍ବାର ଅନୁରୋଧ ସତ୍ତେ୍ୱ ଡ୍ରାଇଭର୍ ଶୁଣୁ ନଥିବାରୁ ମାରପିଟ୍ ପର୍ଯ୍ୟନ୍ତ କଥା ଯାଇଥିଲା । ଆମ୍ବୁଲାନ୍ସର ଅନ୍ୟ ଦୁଇ ଷ୍ଟାଫ୍ ଲୋକଙ୍କୁ ବୁଝାସୁଝା କରିବାରେ ତଥା ସ୍ଥିତି ନିୟନ୍ତ୍ରଣରେ ଲାଗିଥିଲେ ।
ବାଧ୍ୟ ହୋଇ ପରିବାର ଲୋକ ଏକ ଅଟୋ ଆଣି ଆମ୍ବୁଲାନ୍ସ ନିକଟରେ ରଖି ଗୁରୁତର ମନୋଜଙ୍କୁ ଭର୍ତ୍ତି କରିଥିଲେ । ତେବେ ସେହି ସମୟରେ ଆମ୍ବୁଲାନ୍ସ ଷ୍ଟାଫ୍ ରାଜି ହୋଇଥିଲେ ଓ ରୋଗୀଙ୍କୁ ଭ୍ୟାନ୍ରେ ଭର୍ତ୍ତି କରି ଏମ୍କେସିଜି ମେଡିକାଲ କଲେଜ ହସ୍ପିଟାଲ୍ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ରୋଗୀଙ୍କୁ ମୃତ ଘୋଷଣା କରିବା ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ମୃତଦେହ ଘର ନିକଟକୁ ଅଣାଯାଇଥିଲା । ଘରକୁ ମୃତଦେହ ନିଆ ନଯାଇ ହରିଡାଖଣ୍ଡି ଶ୍ମଶାନକୁ ନେଇ ସେଠାରେ ଅନ୍ତିମ ସଂସ୍କାର କରିଥିଲେ ସମ୍ପର୍କୀୟ ଓ ପରିଜନ ।
ତେବେ ଅଭିଯୋଗ ହୋଇଛି ଯେ- ଆମ୍ବୁଲାନ୍ସ ଡ୍ରାଇଭର୍ ଯଦି ଘଣ୍ଟାଏ କାଳ ଯୁକ୍ତିତର୍କ କରି ବିଳମ୍ବ କରି ନଥାନ୍ତେ ଓ ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥାନ୍ତେ ତେବେ ହୁଏତ ତାଙ୍କ ଜୀବନ ରକ୍ଷା ହୋଇପାରିଥାନ୍ତା । ତାହା ନକରି ଓଲଟି ରୋଗୀଙ୍କୁ କୋଠାରୁ ତଳକୁ ଅଣାଯାଇଥିବା ଷ୍ଟେ୍ରଚର୍ ଦେଇଦିଅ, ଆମେ ଚାଲିଯିବୁ ବୋଲି କହିବା ଅମାନବିକତାର ପରିଚୟ । ଅପରପକ୍ଷରେ ଡ୍ରାଇଭର୍ଙ୍କ ଯୁକ୍ତି ଥିଲା ଯେ- ଆଗରୁ ନେଉଥିଲୁ, ଏବେ କରୋନା ଆସିବା ହେତୁ ଏମିତି ହେଉଛି… ଏତେ ଡିସ୍କସନ୍ କରନ୍ତୁ ନାହିଁ… ସରକାରୀ ରୁଲ୍ ଅଛି… ଏମିତି କେତେ କଥା । ସେ ଯାହାହେଉ ଏହି ଘଟଣା ହେତୁ ଗୋଟିଏ ସଂସାର ଉଜୁଡି ଯାଇଛି । କରୋନା ସଂକ୍ରମଣ ଭୟ ଓ ସେଥିରୁ ରୋଗୀଙ୍କୁ ଡାକ୍ତରଖାନା ନେବାରେ ପ୍ରାୟ ଘଣ୍ଟାଏ କାଳ ବିଳମ୍ବ ହେତୁ ଚାଲିଯାଇଛି ଦୁଇ ପିଲାଙ୍କ ବାପାଙ୍କ ଜୀବନ । ପ୍ରଶାସନର ନିୟମ ଦିଗହରା ହୋଇଯାଇଛି ।
ସେପଟେ ଏହି ଘଟଣା ପରେ ଜିଲ୍ଲାପାଳ ଟ୍ୱିଟ୍ ବାର୍ତ୍ତା ଜରିଆରେ ସମ୍ପୃକ୍ତ ରୋଗୀଙ୍କୁ ଆମ୍ବୁଲାନ୍ସରେ ହିଁ ଡାକ୍ତରଖାନା ନିଆଯାଇଥିବା ସଫେଇ ଦେଇଛନ୍ତି । ପରେ ନିଦେ୍ର୍ଧଶନାମା (୧୯୯୯/୨୭.୭.୨୦) ପ୍ରକାରେ ଜିଲ୍ଲାରେ ଜରୁରିକାଳୀନ ସ୍ଥିତି ହେତୁ କୋଭିଡ୍- ୧୯ ଆଇପିସି ଗାଇଡ୍ଲାଇନ୍ ଆଧାରରେ ସମସ୍ତ ୧୦୮ ଓ ୧୦୪ ଆମ୍ବୁଲାନ୍ସ ଏଣିକି କୋଭିଡ୍- ୧୯ ସନ୍ଦିଗ୍ଧଙ୍କୁ ଜରୁରୀ ସ୍ଥିତିରେ ଉପଯୁକ୍ତ ସ୍ୱାସ୍ଥ୍ୟ ସୁବିଧା (କେନ୍ଦ୍ର)କୁ ନେବା ପାଇଁ ବ୍ୟବହୃତ ହେବ । ଏଥିପାଇଁ ସମ୍ପୃକ୍ତ କ୍ଲଷ୍ଟର୍ ଲିଡର୍ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସେଣ୍ଟ୍ରାଲ୍ ଷ୍ଟୋର୍ରୁ ଆବଶ୍ୟକ ପିପିଇ (ବ୍ୟକ୍ତିଗତ ସୁରକ୍ଷା ଉପକରଣ) ସଂଗ୍ରହ କରିବେ ଓ ସମସ୍ତ ୧୦୮ ବା ୧୦୪ ଆମ୍ବୁଲାନ୍ସ ନିକଟରେ ଏହା ଯେଭଳି ଉପଲବ୍ଧ ହେବ ତାହା ନିଶ୍ଚିତ କରିବେ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଦେ୍ର୍ଧଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons