ଭୁବନେଶ୍ୱର,(.ବି.ବି.ବ୍ୟୁରୋ): ୟୁନିସେଫ୍ ସହଯୋଗରେ ଆଜି ପୁଲିସ୍ ଭବନ ଠାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିମ୍ ଶିବିର ଆୟୋଜିତ ହୋଇଛି । ଏହା ଚାରି ଦିନ ଧରି ଚାଲିବ । ଜୁନ ମାସରେ ଅନୁଷ୍ଠିତ ତାଲିମ ଶିବିରରେ ଯେଉଁ ୨୦୦ଅଫିସର ଶିକ୍ଷା ନେଇଥିଲେ ପୁଣି ସେମାନଙ୍କୁ ଚାରିଦିନିଆ ତାଲିମ ଦିଆଯାଉଛି । କାରଣ ସାଇବର ବିଶେଷଜ୍ଞମାନଙ୍କ ଠାରୁ ଅଫିସରମାନେ ଯେଉଁ ଜ୍ଞାନ ଆହରଣ କରିଥିଲେ ତାହା ଭୁଲି ଯାଇଛନ୍ତି । ଫଳରେ ପୁଣି ଥାନା ଗୁଡ଼ିକରେ ସମସ୍ୟା ଉପୁଜିଛି । ସାଇବର ଅପରାଧ ଜନିତ ଅଭିଯୋଗ ଆସିଲେ ଥାନା କର୍ମଚାରୀ ସାଇବର ଥାନାକୁ ଯିବାକୁ ଏତଲାକାରୀଙ୍କୁ ପରାମର୍ଶ ଦେଉଛନ୍ତି । ଏଥିପାଇଁ ସାଇବର ଥାନାରେ ଅଭିଯୋଗ ଗଦା ହେଉଛି । ଏହାକୁ କମ୍ କରିବାକୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି ।
ପ୍ରଥମ ଦିନରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୦୦ ଜଣ ପୁଲିସ ଅଫିସରଙ୍କୁ ତାଲିମ୍ ଦିଆଯାଇଛି । ରାଜ୍ୟ ବାହାରୁ ଆସିଥିବା ସାଇବର ବିଶେଷଜ୍ଞମାନେ ସାଇବର ଅପରାଧର ତଦନ୍ତ ପାଇଁ ଅତ୍ୟାଧୁନିକ ଓ ନୂଆ କୌଶଳ ସମ୍ପର୍କରେ ବୁଝାଉଛନ୍ତି । ତାଲିମ୍ ଶିବିରରେ ସୋସିଆଲ ମିଡିଆ ପରିଚାଳନା, ସନ୍ଦିଗ୍ଧଙ୍କୁ ଧରିବା କୌଶଳ, ବ୍ୟାଙ୍କ୍ ଆକାଉଣ୍ଟରୁ ଟଙ୍କା ଗାଏବ, ଫେକ୍ ଆଇଡି ପରିଚାଳନାକାରୀଙ୍କୁ ଧରିବା, ଭାଇରସ ଚିହ୍ନଟ କରିବା କୌଶଳ ସମ୍ପର୍କରେ ତାଲିମ୍ ଦେଉଛନ୍ତି ।
ଏହି ୪ ଦିନିଆ ତାଲିମ ପରେ କ୍ରାଇମ୍ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ୨ ଶହ ଅଫିସରମାନଙ୍କର ଏକ ପରୀକ୍ଷା କରିବେ । ସେଥିରେ ଉତ୍ତୀର୍ଣ୍ଣ ହେବା ଅଫିସରଙ୍କୁ ଅଧିକ ତାଲିମ ଦିଆଯିବ । ଜୁନ୍ରେ ଯାହା ତାଲିମ ଦିଆ ଯାଇଥିଲା ସେହି ବିଷୟ ଉପରେ ଆଜି ପରୀକ୍ଷା ନେଇଥିଲେ ସାଇବର ବିଶେଷଜ୍ଞମାନେ । ତେବେ ୭୦ ପ୍ରତିଶତ ଅଫିସର ଏଥିରେ ଫେଲ୍ ମାରିଥିଲେ ।
ବର୍ତ୍ତମାନ ଥାନାକୁ ସାଇବର ସଂକ୍ରାନ୍ତୀୟ ଅଭିଯୋଗ ଆସିଲେ, ଥାନା କର୍ମଚାରୀ ଲୋକଙ୍କୁ ପ୍ରଥମେ ସାଇବର ଥାନାକୁ ଯିବାକୁ ପରାମର୍ଶ ଦେଉଛନ୍ତି । ଯାହାକି ଦୂରଦୂରାନ୍ତ ଲୋକଙ୍କ ପାଇଁ ଅସୁବିଧାର କାରଣ ସାଜୁଛି । ଏଥିଯୋଗୁ ଅନେକ ଘଟଣାରେ ଅଭିଯୋଗ ହୋଇପାରୁନି । ବର୍ତ୍ତମାନ କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲ୍ପୁରରେ ୪ଟି ସାଇବର ଥାନା ଅଛି । ଏହି ୨ଶହ ଅଫିସର ସମ୍ପୂର୍ଣ୍ଣ ତାଲିମପ୍ରାପ୍ତ ହେଲେ ସବୁ ଜିଲ୍ଲାର ମୁଖ୍ୟାଳୟରେ ସାଇବର ସେଲ୍ ଖୋଲାଯିବ ବୋଲି କ୍ରାଇମ୍ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।
୨୦୧୮ ମସିହାରେ ମୋଟ୍ ୮୬୭ଟି ସାଇବର ମାମଲା ରୁଜୁ ହୋଇଥିଲା । ସେଥିମଧ୍ୟରୁ ୧୪୪ ଟି ମାମଲାର ଚାର୍ଜସିଟ୍ ହୋଇଛି । ୨୦୧୯ ଜାନୁଆରୀରୁ ମେ’ ପର୍ଯ୍ୟନ୍ତ ଅର୍ଥାତ୍ ପାଞ୍ଚ ମାସ ମଧ୍ୟରେ ସାଇବର ମାମଲା ସଂଖ୍ୟା ୪୦୬ରେ ପହଞ୍ଚିଥିବା ବେଳେ ଯାଜପୁର ଜିଲ୍ଲାରେ ସର୍ବାଧିକ ୩୭ଟି ମାମଲା ରୁଜୁ ହୋଇଛି । ଏହି ସମୟ ମଧ୍ୟରେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାରେ ୩୦ଟି ମାମଲା ରୁଜୁ ହୋଇଥିବା ବେଳେ ବଲାଙ୍ଗୀରରେ ୨୩, ଗଞ୍ଜାମରେ ୨୧ ଓ ରାଉରକେଲା ପୁଲିସ ଜିଲ୍ଲାରେ ୧୮ଟି ମାମଲା ରୁଜୁ ହୋଇଛି । ଏହି ମାମଲାଗୁଡ଼ିକ ମଧ୍ୟରୁ ମାତ୍ର ୪ଟି ମାମଲାରେ ପୁଲିସ୍ ଚାର୍ଜସିଟ୍ ଦାଖଲ କରିଛି । ଏହି କାର୍ଯ୍ୟକ୍ରମରେ ପୁଲିସ୍ କ୍ରାଇମ୍ବ୍ରାଞ୍ଚ ଏସ୍ପି ସନ୍ଦୀପ ମାଡ଼କର ପ୍ରମୁଖଙ୍କ ସମେତ ୟୁନିସେଫ୍ ଓଡ଼ିଶାର ବରିଷ୍ଠ କର୍ମଚାରୀମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.