
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):କରୋନା କାଳରେ ଆଶାମାନେ ଜୀବନକୁ ବାଜି ଲଗାଇ ଲୋକଙ୍କ ସ୍ୱାସ୍ଥ୍ୟସେବା ଯୋଗାଇଛନ୍ତି । ନିଜ ପରିବାର ଲୋକଙ୍କୁ ପଛରେ ପକାଇ ଜିଲ୍ଲାବାସୀଙ୍କ ସ୍ୱାର୍ଥ ଦେଖିଛନ୍ତି । ତୃଣମୂଳସ୍ତରର ଏହି କର୍ମୀମାନେ ସ୍ୱାସ୍ଥ୍ୟ ବିଭାଗର ମେରୁଦଣ୍ଡ । ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲାସ୍ତରୀୟ ସମ୍ମିଳନୀରେ ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର ଯୋଗଦେଇ ଏହି କଥା କହିଛନ୍ତି । ଆଶାମାନଙ୍କ କାର୍ଯ୍ୟକୁ ଶ୍ରୀ ମିଶ୍ର ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି ।
ସୂଚନା ଅନୁସାରେ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅତିଥିଭାବେ ଜିଲ୍ଲାପାଳ ଶ୍ରୀ ମିଶ୍ର ଯୋଗ ଦେଇଥିଲେ । ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭଗବତୀ ଭତ୍ରା ଉପସ୍ଥିତ ଥିଲେ । ଏହି ଅବସରରେ ୧୦ ଜଣ ଆଶାଙ୍କୁ ସେମାନଙ୍କ ଉଲ୍ଲେଖନୀୟ ସେବା ପାଇଁ ମୁଖ୍ୟ ଅତିଥି ସମ୍ମାନିତ କରିଛନ୍ତି । ଏହି ଆଶାମାନେ ହେଲେ, ଚନ୍ଦାହାଣ୍ଡି ବ୍ଲକର ସରୋଜିନୀ ବାଗ, ଡାବୁଗାଁର ମଙ୍ଗଳଦେଈ ଦଳେଇ, ଝରିଗାଁର ମମତା ମାଝି, କୋଷାଗୁମୁଡାର କଳାବତୀ ରନ୍ଧାରୀ, ନନ୍ଦାହାଣ୍ଡିର ନୀଳା ହରିଜନ, ପାପଡାହାଣ୍ଡିର ଉର୍ମିଳ ମାଝି, ରାଇଘର ବ୍ଲକର ଫୁଲମଣି ସୁନାନୀ, ତେନ୍ତୁଳିଖୁଣ୍ଟିର ହୀରାମଣି ବିଶୋୟୀ ଓ ଉମରକୋଟର ସବିତା ଭତ୍ରା । ଜିଲ୍ଲାର ୧୦ ଟି ଗାଁ କଲ୍ୟାଣ ସମିତି, ୮ ଟି ଆରୋଗ୍ୟ ମହିଳା ସମିତି ଓ ୩ ଟି ପଞ୍ଚାୟତକୁ ସମ୍ମାନିତ କରାଯାଇଛି । ପଞ୍ଚାୟତଗୁଡିକ ହେଲା କେ.ସେମଳା, ଅଞ୍ଚଳା ଓ ବିକ୍ରମପୁର । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ନବରଙ୍ଗପୁର ଏସ୍ପି ପ୍ରହଲ୍ଲାଦ ସାହି ମୀନା, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି ପ୍ରମୁଖ ଉପସ୍ଥିତ ଥିଲେ । ସିଡିଏମଓ ଡାକ୍ତର ଶୋଭାରାଣୀ ମିଶ୍ର, ଡିପିଏମ୍ ସୁଶାନ୍ତ ପ୍ରହରାଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନବରଙ୍ଗପୁର ସହରାଞ୍ଚଳ ପାଇଁ ଦୀର୍ଘ ଓ ସ୍ଥାୟୀ କୀଟନାଶକ ଉପଚାରିତ ମଶାରି ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା ।


Comments are closed, but trackbacks and pingbacks are open.