ଆସିଲାନି ୧୦୨ :ଭାରରେ ୬ କିମି ବୁହାହେଲେ ଗର୍ଭବତୀ

Get real time updates directly on you device, subscribe now.

ଝରିଗାଁ,(ବି.ବି.ନ୍ୟୁଜ୍): ପହଞ୍ଚି ପାରିଲାନି ୧୦୨ । ଛଅ କିମି ଭାରରେ ବୁହାହେଲେ । ଶେଷରେ ମେଡିକାଲ ଯିବା ରାସ୍ତାରେ ପ୍ରସବ କଲେ ଗର୍ଭବତୀ । ଏଭଳି ଅଭାବନୀୟ ଘଟଣା ଘଟିଛି ସ୍ଥାନୀୟ କେଲାପଦର ପଞ୍ଚାୟତ ଡୋକ୍ରିକୋଟ ଗାଁରେ । ରାସ୍ତା ଖରାପ ଯୋଗୁ ଗର୍ଭବତୀ ଜଣକ ଏଭଳି ଅକଥନୀୟ ଦୁର୍ଦ୍ଦଶା ଭୋଗିଛନ୍ତି ।
ସୂଚନା ଅନୁସାରେ, ଗାଁର ପଦୁ ମାଝିଙ୍କ ସ୍ତ୍ରୀ ସେବତୀ(୨୨) ଗର୍ଭବତୀ ଥିଲେ । ରବିବାର ଅପରାହ୍ଣ ପ୍ରାୟ ୩ ଟାରେ ତାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା । ପରିବାର ଲୋକେ ତାଙ୍କୁ ମେଡିକାଲ ନେବାକୁ ୧୦୨ ଆମ୍ବୁଲାନ୍ସକୁ ଫୋନ କଲେ । ତେବେ ଡୋକ୍ରିକୋଟକୁ ରାସ୍ତା ଭଲ ନଥିବାରୁ ଗାଡି ଯାଇପାରିବ ନାହିଁ ବୋଲି ଆମ୍ବୁଲାନ୍ସ କର୍ତ୍ତୃପକ୍ଷ କହିଥିଲେ । ତେବେ ଯୋଡାଆମ୍ବ ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ବୋହି ଆଣିବାକୁ ପରାମର୍ଶ ଦେଇଥିଲେ । ପରାମର୍ଶ ଅନୁସାରେ, ପରିବାର ଲୋକେ ଓ ଅଙ୍ଗନବାଡି କର୍ମୀ ଦଇନା ଜାନି ପ୍ରମୁଖ ସେବତୀଙ୍କୁ ଏକ ଷ୍ଟ୍ରେଚର ଜରିଆରେ ବୋହିକରି ଆଣିବାକୁ ବ୍ୟବସ୍ଥା କରିଥିଲେ । ଦୀର୍ଘ ୬ କିମି ପଥୁରିଆ, ଖାଲୁଆ ରାସ୍ତା ଅତିକ୍ରମ କରି ଯୋଡାଆମ୍ବ ପର୍ଯ୍ୟନ୍ତ ସେବତୀ ବୁହାହେଲେ । ଏଠାରେ ସମସ୍ତେ ୧୦୨ କୁ ଅପେକ୍ଷା କରି ରହିଲେ । ଅଧଘଣ୍ଟା ପର୍ଯ୍ୟନ୍ତ ଗାଡି ଆସିଲା ନାହିଁ । ଏଣେ ସେବତୀ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ ବାଧ୍ୟ ହୋଇ ଏକ ଅଟୋ ଭଡା କରି ଝରିଗାଁ ଡାକ୍ତରଖାନା ଅଭିମୁଖେ ବାହାରିଥିଲେ । କିଛି ବାଟ ଯାଇ ଇଚ୍ଛାପୁର ନିକଟରେ ସେବତୀ ଅଟୋ ଭିତରେ ଏକ ଶିଶୁ ପୁତ୍ର ପ୍ରସବ କରିଥିଲେ । ପ୍ରସବ ପରେ ସେବତୀଙ୍କ ଅବସ୍ଥା ଗୁରୁତର ହୋଇ ପଡିବାରୁ ପରିବାର ଲୋକେ ତାଙ୍କ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେବା ବଦଳରେ ସଙ୍ଗେସଙ୍ଗେ ଇଚ୍ଛାପୁର ପ୍ରାଥମିକ ସ୍ୱାସ୍ଥକେନ୍ଦ୍ରକୁ ନେଇଥିଲେ । ରାତି ପ୍ରାୟ ୯ଟାରେ ମେଡିକାଲରେ ପହଞ୍ଚିବା ପରେ ସେବତୀଙ୍କର ଚିକିତ୍ସା କରାଯାଇଥିଲା । ଇଚ୍ଛାପୁର ମେଡିକାଲ ବାଟରେ ୧୦୨ ଆମ୍ବୁଲାନ୍ସ ଆସିଥିଲେ ହେଁ ଝରିଗାଁ ଯିବାକୁ ପରିବାର ଲୋକେ ମନା କରିଦେଇଥିଲେ । ଚିକିତ୍ସା ପରେ ଉଭୟ ମା ଓ ଶିଶୁ ସୁସ୍ଥ ଥିବାବେଳେ ସୋମବାର ଅପରାହ୍ଣରେ ଉଭୟ ମୋଟର ସାଇକେଲ ଯୋଗ ଗାଁକୁ ଫେରିଥିବା ଜଣାପଡିଛି । ସୂଚନାଯୋଗ୍ୟ, ଡୋକ୍ରିକୋଟରୁ ଗାଈବନ୍ଧା ଗାଁ ପର୍ଯ୍ୟନ୍ତ ୨ କିମି ରାସ୍ତା ଅତି ଖରାପ ହୋଇଯାଇଛି । କୌଣସି ରୋଗୀ ଅବା ଗର୍ଭବତୀଙ୍କୁ ମେଡିକାଲ ନେବାକୁ ହେଲେ ଆମ୍ବୁଲାନ୍ସ ଆସି ଯୋଡାଆମ୍ବ ନିକଟରେ ଅଟକି ରହୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons