ଆସୁଛି ଆଉ ଏକ ମାନ୍ଦାବସ୍ଥା

Get real time updates directly on you device, subscribe now.

ନୂଆଦିଲ୍ଲୀ:ଆମେରିକା ଏବଂ ଚୀନ ମଧ୍ୟରେ ଦିନକୁ ଦିନ ବାଣିଜ୍ୟ ଯୁଦ୍ଧ ତୀବ୍ରତର ହେଉଛି । ଏହା ମଧ୍ୟରେ ବିଶ୍ୱ ଆଉ ଏକ ବଡ଼ ଧରଣର ମାନ୍ଦାବସ୍ଥାର ସାମ୍ନା କରିବାକୁ ଯାଉଛି । ଦଶନ୍ଧିର ପ୍ରଥମ ମାନ୍ଦାବସ୍ଥାକୁ ଖୁବ୍ଶୀଘ୍ର ବିଶ୍ୱବାସୀ ଅନୁଭବ କରିବେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।
ଏଭଳି ସ୍ଥିତିରେ ପରିସ୍ଥିତିକୁ ବଦଳାଇବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ନିବେଶକମାନେ ରାଜନୀତିଜ୍ଞ ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡିକୁ ଅନୁରୋଧ କରିଛନ୍ତି ।
କେବଳ ଆମେରିକାରେ ମାନ୍ଦାବସ୍ଥା ରିସ୍କ ଅଧିକ ରହିଛି । ଦୁଇ ମାସ ତଳେ ରିସ୍କ ଯେପରି ଥିଲା ଏବେ ତାହା ଯଥେଷ୍ଟ ବଢ଼ିଯାଇଛି ବୋଲି କହିଛନ୍ତି ଆମେରିକାର ପୂର୍ବତନ ଟ୍ରେଜେରି ସଚିବ ତଥା ହ୍ୱାଇଟ୍ ହାଉସ୍ର ଅର୍ଥନୈତିକ ଉପଦେଷ୍ଟା ଲରେନ୍ସ ସମର୍ସ । ସବୁବେଳେ ନିଆଁ ସହ ଖେଳିବା ଠିକ୍ ନୁହେଁ । ଏହା ହେଲେ ସବୁ କିଛି ଜଳିପଡ଼ି ପାଉଁଶ ହୋଇଯିବ ବୋଲି ସମର୍ସ କହିଛନ୍ତି ।
ବିଶ୍ୱ ଅର୍ଥନୀତିକୁ ମାନ୍ଦାବସ୍ଥା ବିପଦ ଥିବା ସବୁ ରାଷ୍ଟ୍ର ହୃଦୟଙ୍ଗମ କରିସାରିଲେଣି । ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଏହାର ପ୍ରମୁଖ ସୁଧହାରରେ ୩୫ ବେସିସ୍ ପଏଣ୍ଟ ହ୍ରାସ କରି ଜଣାଇ ଦେଇଛି ଯେ, ଅର୍ଥନୀତିରେ ମାନ୍ଦାବସ୍ଥା ରହିଛି ।
ଅନ୍ୟପକ୍ଷରେ, ନ୍ୟୁଜିଲାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ବୁଧବାର ଏହାର ପ୍ରମୁଖ ସୁଧହାରରେ ୫୦ ବେସିସ୍ ପଏଣ୍ଟ୍ ହ୍ରାସ କରିଥିବାବେଳେ ଥାଇଲାଣ୍ଡ୍ ୨୫ ବେସିସ୍ ପଏଣ୍ଟ ହ୍ରାସ ଘଟାଇଛି । ଆଉ ଏକ ବଡ଼ ଧରଣର ମାନ୍ଦାବସ୍ଥା ବିଶ୍ୱ ଅର୍ଥନୀତିକୁ ମାଡ଼ି ଆସୁଥିବା ହୃଦୟଙ୍ଗମ କରି ବିଶ୍ୱର ସମସ୍ତ ପ୍ରାନ୍ତରେ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।
ଚୀନ୍ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧର ପରିଣାମ ଭୟଙ୍କର ହେବ ଶିଳ୍ପ ବିଶେଷଜ୍ଞମାନେ ସଚେତନ କରୁଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୩୦୦୦୦ କୋଟି ଡଲାର ଚୀନ୍ ଉତ୍ପାଦ ଉପରେ ୧୦ଧ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛି । ଏହା ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ଆହୁରି ବିଗାଡି ଦେଇଛି । ଆଗକୁ ଉଭୟ ଦେଶ ମଧ୍ୟରେ ଜବାବ ବିନିମୟ ଚାଲୁ ରହିଲେ ପରିସ୍ଥିତି ଭୟଙ୍କର ହେବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons