ଆସ୍ଥାଭୋଟରେ କଂଗ୍ରେସ ବିଜୟୀ

Get real time updates directly on you device, subscribe now.

ଜୟପୁର: ରାଜସ୍ଥାନରେ ଦୀର୍ଘ ଏକ ମାସରୁ ଅଧିକ ଦିନ ଧରି ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତ ଘଟିଛି । ଶୁକ୍ରବାର ବିଧାନସଭା ଅଧିବେଶନରେ ହୋଇଥିବା ଆସ୍ଥାଭୋଟରେ କଂଗ୍ରେସ ବାଜିମାତ କରିଛି । ଏହା ସହ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଆସନ ସୁରକ୍ଷିତ ହୋଇଯାଇଛି । ରାଜସ୍ଥାନ କଂଗ୍ରେସର ଯୁବ ଚେହେରା ସଚିନ ପାଇଲଟଙ୍କ ଘର ବାହୁଡା ପରେ କଂଗ୍ରେସ ସଂଖ୍ୟା ଗରିÂତା ହାସଲ କରିବା ନିଶ୍ଚିତ ହୋଇସାରିଥିଲା । କିନ୍ତୁ ବିଜେପି ଅନାସ୍ଥା ପ୍ରସ୍ତାବ ଆଣିବାରୁ କଂଗ୍ରେସ ଆସ୍ଥାଭୋଟ ଆଗତ କରିଥିଲା । ଧ୍ୱନିମତରେ କଂଗ୍ରେସ ଆସ୍ଥାଭୋଟରେ ବିଜୟୀ ହୋଇଛି । ଏହା ସହ ବାଚସ୍ପତି ରାଜସ୍ଥାନ ବିଧାନସଭାକୁ ଆସନ୍ତା ଅଗଷ୍ଟ ୨୧ ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ।
ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ଶାନ୍ତି ଧରିୱାଲ ବିଧାନସଭାରେ ଆସ୍ଥା ଭୋଟ ଆଗତ କରିବା ପରେ ଗୃହ ମଧ୍ୟରେ ବିତର୍କ ହୋଇଥିଲା । ଉଭୟ ପକ୍ଷ ନିଜ ସପକ୍ଷରେ ଦୃଢ଼ ଯୁକ୍ତି ବାଢ଼ିଥିଲେ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିତର୍କରେ ଭାଗ ନେଇ କହିଥିଲେ, ବିଜେପି ରାଜ୍ୟ ସରକାର ଭାଙ୍ଗିବାକୁ ଅନେକ ଚେଷ୍ଟା କରିଥିଲା । ଅରୁଣାଚଳପ୍ରଦେଶ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ବିଜେପି ରଚିଥିବା ଷଡଯନ୍ତ୍ରକୁ ପୂରା ଦେଶ ଦେଖିଛି । ସମାନ କୌଶଳ ରାଜସ୍ଥାନରେ ମଧ୍ୟ ପ୍ରୟୋଗ କରାଯାଉଥିଲା । କିନ୍ତୁ କଂଗ୍ରେସ ନେତା ମଜବୁତ ହୋଇ ବିଜେପିର ଏହି ପ୍ରୟାସକୁ ବିଫଳ କରିଦେଲେ । ବିଜେପି ରାଜସ୍ଥାନ ନିର୍ବାଚନରେ ପରାଜୟ ହେବା ଦିନଠାରୁ ହିଁ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିଲା ବୋଲି ଗେହଲଟ ଅଭିଯୋଗ କରିଥିଲେ । ଉପ-ମୁଖ୍ୟମନ୍ତ୍ରୀ ନୁହେଁ ବରଂ କେନ୍ଦ୍ରର ନିଦେ୍ର୍ଧଶ କ୍ରମେ ବିଜେପି ନେତାମାନେ ଏହି ଷଡଯନ୍ତ୍ର କରିଥିଲେ ବୋଲି ଗେହଲଟ କହିଥିଲେ । ନେତାମାନଙ୍କୁ କିଣିବାକୁ ବିଜେପିର କେନ୍ଦ୍ର ମନ୍ତ୍ରୀ ଚେଷ୍ଟା କରୁଥିବା ଅଡିଓ ଟେପରୁ ପ୍ରମାଣ ହୋଇସାରିଥିବା ଗେହଲଟ ଦାବି କରିଥିଲେ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପରେ ବର୍ଷି ସେ କହିଥିଲେ, ସେ ପ୍ରଦେଶ ସରକାରକୁ ଭାଙ୍ଗିବାକୁ ସ୍ୱପ୍ନ ଦେଖୁଛନ୍ତି । କିନ୍ତୁ ସେ ଏଥିରେ କେବେ ସଫଳ ହେବେନି । ସେହିଭଳି ଗେହଲଟ ବିଜେପି ନେତ୍ରୀ ବସୁନ୍ଧରା ରାଜେଙ୍କ ସହ ହାତ ମିଳାଇଥିବା ବୋଲି ହେଉଥିବା ଚର୍ଚ୍ଚାକୁ ମଧ୍ୟ ଖଣ୍ଡନ କରିଥିଲେ ।
କଂଗ୍ରେସ ଦଳ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ଥିବା ସତ୍ତେ୍ୱ ସେ ଅନ୍ୟ ଉପରେ ଦୋଷ ଲଦୁଥିବା ବିଜେପିି ନେତା ଅଭିଯୋଗ କରିଥିଲେ । ଏହାର ଉତ୍ତରରେ ସଚିନ ପାଇଲଟ କହିଥିଲେ, କଂଗ୍ରେସ ସରକାର ସୁରକ୍ଷିତ ଅଛି । ସମସ୍ତ ନେତା ବିଧାନସଭାରେ ଅଛନ୍ତି । ଏଣୁ ଆଜିର ବାସ୍ତବିକତା ଉପରେ ବିଜେପି ଏହାର ଧ୍ୟାନ କେନ୍ଦ୍ରୀତ କରୁ । କଂଗ୍ରେସର ସବୁ ନେତା ଏକାଠି ଥିବାର ପ୍ରମାଣିତ ହୋଇଛି ବୋଲି ପାଇଲଟ ଯୁକ୍ତି ବାଢ଼ିଥିଲେ । ସବୁବେଳେ ବିଧାନସଭାର ଆଗଧାଡିରେ ଶୋଭା ପାଉଥିବା ପାଇଲଟ ଆଜି ବିଧାନସଭାର ଶେଷ ଧାଡିରେ ବସିଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ପଷ୍ଟୀକରଣ ଦେଇ ସେ କହିଥିଲେ ଯେ ଦେଶ ସୁରକ୍ଷା ପାଇଁ ସୀମାକୁ ସବୁଠାରୁ ପରାକ୍ରମୀ ଯୋଦ୍ଧାକୁ ପଠା ଯାଇଥାଏ । ଏଣୁ ମୁଁ ଯେତେ ପର୍ଯ୍ୟନ୍ତ ଏଠି ଅଛି, ସରକାର ସୁରକ୍ଷିତ ଅଛି । ଏହାବ୍ୟତୀତ କିଏ କେଉଁଠି ବସିବ ବାଚସ୍ପତି ଏ ନିଷ୍ପତ୍ତି ନେଉଥିବାରୁ ତାଙ୍କର ଏଥିନିମନ୍ତେ କୌଣସି ଅଭିଯୋଗ ନାହିଁ ବୋଲି ସେ କହିଥିଲେ ।
ଉଲ୍ଲେଖଯୋଗ୍ୟ, ରାଜସ୍ଥାନ ବିଧାନସଭାରେ ସମୁଦାୟ ୨୦୦ଟି ଆସନ ରହିଥିବା ବେଳ ଆଜିର ଆସ୍ଥାଭୋଟରେ କଂଗ୍ରେସ ୧୨୨ଟି ଭୋଟରେ ବିଜୟୀ ହୋଇଥିଲା । ଏଥିମଧ୍ୟରୁ ୧୦୭ ଜଣ ବିଧାୟକ କଂଗ୍ରେସରୁ ରହିଛନ୍ତି, ଯେଉଁଥିରେ ବିଏସ୍ପିରୁ କଂଗ୍ରେସ ମିଶିଥିବା ୬ ବିଧାୟକ ସାମିଲ ଅଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ନିକଟରେ ସହଯୋଗୀ ଦଳର ୫ ବିଧାୟକ ଏବଂ ୧୦ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି । ବିଜେପି ନିକଟରେ ୭୫ ଜଣ ବିଧାୟକଙ୍କର ସମର୍ଥନ ଥିବା ବେଳେ ଏଥିମଧ୍ୟରୁ ୭୨ ଜଣ ବିଜେପିର ଏବଂ ୩ ଜଣ ବିଜେପିର ସହଯୋଗୀ ଦଳ ଆର୍ଏଲ୍ପିରୁ ରହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons