ଜୟପୁର,(ବି.ବି.ବ୍ୟୁରୋ): ସେମାନେ ଆତ୍ମନିର୍ଭରଶୀଳ ହେବାର ରାସ୍ତା ଖୋଜିଛନ୍ତି । ପରିବାର ପାଇଁ କିଛି ରୋଜଗାର କରିବାର ବାଟ ପାଇଛନ୍ତି । ଏକାଠି ହୋଇଛନ୍ତି ସ୍ଥାନୀୟ ପୁଲ୍ଲାରେଡ୍ଡୀ ପେଟାର ୧୦ ମହିଳା । ଗଢ଼ିଛନ୍ତି ଶ୍ରୀନିବାସ ସ୍ୱୟଂ ସହାୟିକା ଗୋଷ୍ଠୀ । ଖୋଲିଛନ୍ତି ଏକ କିରାନା ଦୋକାନ । ବିନା ଡେଲିଭରି ଖର୍ଚ୍ଚରେ ଗ୍ରାହକଙ୍କ ଘରେ ପହଞ୍ଚାଉଛନ୍ତି ସାମଗ୍ରୀ । ବ୍ୟବସାୟ ବଢ଼ିଲେ ଅନ୍ୟ ମହିଳାଙ୍କୁ ନିଯୁକ୍ତି ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି । ଅନ୍ୟ ଦୋକାନ ଅପେକ୍ଷା କମ୍ ଦରରେ ଉତ୍ତମ ମାନର ସାମଗ୍ରୀ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ମହିଳାମାନେ । ସହରରେ ପ୍ରଥମ ଥର ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଏଭଳି ବ୍ୟବସାୟ ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଗୋଷ୍ଠୀର ସଭାନେତ୍ରୀ ଜ୍ୟୋତି ପ;ନାୟକ କହିଛନ୍ତି, ସମସ୍ତ ସଦସ୍ୟା ବିବାହିତା । କାହାର ସ୍ୱାମୀ ଓକିଲାତି କରୁଛନ୍ତି ତ ଆଉ କିଏ ସରକାରୀ ଚାକିରି । ଆଉ କାହାର ସ୍ୱାମୀ ବ୍ୟବସାୟ କରୁଛନ୍ତି । କିନ୍ତୁ ସେମାନେ ଘରର ଚାରିକାନ୍ଥ ଭିତରେ କ’ଣ ପାଇ ବସି ରହିବେ ବୋଲି ଭାବିଲେ । କିଛି ଗୋଟେ ବ୍ୟବସାୟ କରିବା ଲାଗି ଚିନ୍ତା କଲେ । ପରିବାରର କିଛିଟା ଦାୟିତ୍ୱ ମୁଣ୍ଡାଇବାକୁ ସ୍ଥିର କଲେ । ଏ ସମ୍ପର୍କରେ ପ୍ରଥମେ ମିଳିତ ଆଲୋଚନା କରିଥିଲେ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରି ସମସ୍ତଙ୍କ ସହଯୋଗରେ ଅର୍ଥ ରୋଜଗାର କରିପାରିବେ ବୋଲି ପୌରସଂସ୍ଥାର ଜଣେ ମହିଳା କର୍ମଚାରୀ ପରାମର୍ଶ ଦେଇଥିଲେ । ତାଙ୍କ ସହଯୋଗରେ ୨୦୧୮ରେ ଏମ୍. ଲତା, ଏମ୍ କାମାକ୍ଷୀ, ସାଈଲକ୍ଷ୍ମୀ, ଏମ୍. ସ୍ୱାତୀ, ଜ୍ୟୋତି, ବି.ରେଣୁକା, ରତ୍ନା ଓ ଅନୀତାଙ୍କୁ ନେଇ ଗଠନ କରିଥିଲେ ଏହି ଗୋଷ୍ଠୀ । ପ୍ରତ୍ୟେକ ସଭ୍ୟା ମାସକୁ ୧୦୦ ଟଙ୍କା ଲେଖାଏଁ ଜମା କରିଥିଲେ । ୧୬ ମାସରେ ୧୬ ହଜାର ଟଙ୍କା ହୋଇଥିଲା । ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ଭାବେ ୧୦ ହଜାର ଟଙ୍କା ମିଳିଥିଲା । ନିୟମିତ ଟଙ୍କା ଜମା କରୁଥିବାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଋଣ ମିଳିଲା । କିରାନା ସାମଗ୍ରୀ ରିହାତି ଦରରେ ଘରେ ଘରେ ପହଞ୍ଚାଇବାକୁ ନିଷ୍ପତ୍ତି ନେଇ ଗତ ୨୫ ତାରିଖରେ ଏହି ବ୍ୟବସାୟ ଆରମ୍ଭ କରିଥିଲେ । ଋଣ ମିଳିଥିବା ଟଙ୍କାରେ ହୋଲସେଲ୍ରେ ବିଭିନ୍ନ ସାମଗ୍ରୀ କିଣିଛନ୍ତି । ଏହାକୁ ସଫା କରି ପ୍ୟାକିଂ କରିଛନ୍ତି । ତିନି ଦିନ ହେବ ଏହି ବ୍ୟବସାୟ ଆରମ୍ଭ କରିଥିବାରୁ ବ୍ୟବସାୟ ଜମିନାହିଁ । ଜାଣିବା ଲୋକେ ଘରେ କରିଥିବା ଦୋକାନରେ ପହଞ୍ଚି ସାମଗ୍ରୀ ନେଉଛନ୍ତି । ୧ ହଜାର ଟଙ୍କାରୁ ଅଧିକ ସାମଗ୍ରୀ ପାଇଁ ବରାଦ ଦେଲେ ହିଁ ଘରକୁ ପହଞ୍ଚାଇବା ବ୍ୟବସ୍ଥା କରାଯିବ । ପ୍ରତିଦିନ ଗୋଷ୍ଠୀର ୨ ଜଣ ମହିଳା ହୋମ୍ ଡେଲିଭରି ପାଇଁ ନିୟୋଜିତ ହେବେ । ପାଳି କରି ଦୁଇଜଣ ଲେଖାଏଁ ଏହି କାମ କରିବେ । ବର୍ତ୍ତମାନ ଜଣଙ୍କ ଘରେ ଏସବୁ ସାମଗ୍ରୀ ରଖି ବ୍ୟବସାୟ ଆରମ୍ଭ କରିଛନ୍ତି । ଆଗାମୀ ଦିନରେ ଭଡ଼ାରେ ଏକ ଷ୍ଟଲ୍ ନେବାକୁ ନିଷ୍ପତ୍ତି ନେଇଛନ୍ତି । ବ୍ୟବସାୟ ବଢ଼ିବା ପରେ ମସଲାଜାତୀୟ ଗୁଣ୍ଡ ପ୍ରସ୍ତୁତ କରି ବଜାରକୁ ଛାଡିବେ ବୋଲି ଶ୍ରୀମତୀ ପ;ନାୟକ କହିଛନ୍ତି ।
Comments are closed, but trackbacks and pingbacks are open.