ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦରମା ୭ ହଜାର ୫୦୦ ଟଙ୍କା । ହେଲେ ଭୁବନେଶ୍ୱରରେ ମାଳ ମାଳ କୋଠା । ପ୍ଲଟ୍ ସଂଖ୍ୟା ଗଣି ଗଣି ଭିଜିଲାନ୍ସ ଅଧିକାରୀ ତାଜୁବ । ଟଙ୍କା, ସୁନା ଓ ଗାଡ଼ି ଅକଳନ । ଏ ହେଉଛି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା କୋରଡକଣ୍ଟାର ଅଙ୍ଗନବାଡ଼ି କର୍ମୀ କବିତା ମାଥାନ୍ଙ୍କ ଘରୁ ମିଳିଥିବା ବିପୁଳ ପରିମାଣରେ ସମ୍ପତ୍ତି । ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନ ଅଙ୍ଗନବାଡ଼ି କେନ୍ଦ୍ର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର ସହ ମୋଟ ୬ଟି ଜାଗାରେ ଚଢ଼ଉ କରିଥିଲା । ଏହି ସମୟରେ ତାଙ୍କ ଘରୁ ୪ କୋଟି ଟଙ୍କାର ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି । ଭିଜିଲାନ୍ସ ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ମଙ୍ଗଳବାର ପୂର୍ବାହ୍ନରେ ୬ ଟିମ୍ ଏକା ସାଙ୍ଗରେ ଆରମ୍ଭ କରିଥିଲେ ଅପରେସନ୍ । ଭୁବନେଶ୍ୱର କେଶୁରା ମଙ୍ଗରାଜ ପଏଣ୍ଟ୍ ଠାରେ ୧ ଟି ୨ ମହଲା ଘର ଏବଂ ଝାରପଡ଼ାସ୍ଥିତ ୨ଟି ୩ ମହଲା ଘର ସହିତ ସେଠାରେ ଥିବା ଆଉ ଏକ ଘରେ ଚଢ଼ଉ କରାଯାଇଛି । ସେହିପରି କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇସ୍ଥିତ ତାଙ୍କ ପୈତୃକ ଘର ଓ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧୀନ ବାହାରଣା ପଞ୍ଚାୟତ ସୋଗଲ (ଜଇନାବାଦ)ରେ ଥିବା ଶାଶୂ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି । ସେଠାରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରା ଯାଇଥିବା ଜଣାପଡ଼ିଛି । ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, ଭୁବନେଶ୍ୱରରେ ଥିବା ୪ ଟି ଉଚ୍ଚ ଅଟ୍ଟାଳିକା, ଭୁବନେଶ୍ୱରରେ ୧୫ ଟି ପ୍ଲଟ୍, ୧ ଟି ଚାରି ଚକିଆ, ୩ ଟି ୨ ଚକିଆ ଗାଡି, ୨.୨ ଲକ୍ଷ ଟଙ୍କାର ବୀମା, ୨୧୨ ଗ୍ରାମ୍ ସୁନା । ତା’ଛଡା ବାଲିକୁଦା ତହସିଲ ଅଧୀନ ବାହାରଣା ଆର୍ଆଇ ସର୍କଲ ଓ ଥାଇଳୋ ଆର୍ଆଇ ସର୍କଲ ଅଧୀନ ବିଭିନ୍ନ ମୌଜାରେ ୧ ଏକର ମୂଲ୍ୟବାନ ଜମି ରହିଛି । କେବଳ ବାହାରଣା ଆର୍ଆଇ ସର୍କଲ ତଳକୁସୁମା ମୌଜା ବାଲିକୁଦା-ତଣ୍ଡିକୁଳ ମୁଖ୍ୟ ରାସ୍ତାର ଜନତା କୋଠି ବଜାର ମୁଖ୍ୟରାସ୍ତା ପାଶ୍ୱର୍ରେ ଶ୍ରୀମତୀ ମାଥାନ୍ଙ୍କ ନାଁରେ ରହିଛି ଏକରେରୁ ଅଧିକ ମୂଲ୍ୟବାନ ଜମି । ସେହିପରି ଥାଇଳୋ ଆର୍ଆଇ ସର୍କଲ ଅଧୀନ ଟୁଣୁଟୁଣା ଓ ଥାଇଳୋ ଗହିରରେ ୨ ଏକରରୁ ଅଧିକ ଚାଷ ଜମି ଥିବା ତଦନ୍ତରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ଉକ୍ତ ଟିମ୍ ତାଙ୍କ ନଣନ୍ଦ ତଥା ସ୍ୱାମୀ ବାନାମ୍ବର ନାୟକଙ୍କ ୨ ଭଉଣୀ ଥାଇଳୋ ଓ ଦୁର୍ଦ୍ଧା ଗାଁରେ ଥିବା ସେମାନଙ୍କ ଘର ଉପରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଥିଲା । ଜଣେ ଅଙ୍ଗନବାଡ଼ି କର୍ମୀ ହୋଇ କିପରି କୋଟି ଲୋଟି ଟଙ୍କାର ମାଲିକାଣୀ ହେଲେ ଓ କେଉଁଠୁ ଏତେ ଟଙ୍କା ଆଣିଲେ ତାହାର ତଦନ୍ତ ଚଳାଇଛି ଭିଜିଲାନ୍ସ ଟିମ୍ ।
ତେବେ ଏନେଇ ଅଙ୍ଗନବାଡ଼ି କର୍ମୀ କବିତା କହିଛନ୍ତି “ଆମେ ଜିରୋରୁ ହିରୋ ହୋଇଛୁ । ଶାଗଖିଆକୁ ପେଜ ଖିଆ ମଣିଷ ଦେଖିପାରନ୍ତି ନାହିଁ । ସେଥିପାଇଁ କେହି ଆମ ନାଁରେ ଅଭିଯୋଗ କରିଛନ୍ତି । ବରା, ପିଆଜି ବିକିବା ସହ ଟୁ୍ୟସନ ମଧ୍ୟ କରିଛି । ସ୍କୁଲରେ କ୍ୟାଣ୍ଟିନ କରିଥିଲି । ଏମିତିକି କାକୁଡ଼ିରୁ ଚୋପା ଛଡ଼ାଇ ବିକ୍ରି କରି ଉପରକୁ ଉଠିଛି । ମୋର ଆୟ ବହିର୍ଭୂତ ସମ୍ପତ୍ତି ନାହିଁ । ମୁଁ ଜୀବନରେ ବହୁ କଷ୍ଟ କରି ଉପରକୁ ଉଠିଛି । ମୋ ସ୍ୱାମୀ ଜମି ବେପାର କରନ୍ତି । ଆମର ଧୂପ ଓ ଫିନାଇଲ ଫ୍ୟାକ୍ଟ୍ରି ବି ଅଛି । ଏନେଇ ଭିଜିଲାନ୍ସ ଅଧିକାରୀ କହିଛନ୍ତି, ତାଙ୍କ ବିରୋଧରେ ବହୁତ ପ୍ରମାଣ ରହିଛି । ଏବେ ଘଟଣାର ତଦନ୍ତ ଚାଲିଛି । ସବୁ ପ୍ରମାଣ ଆମେ କୋର୍ଟରେ ଦାଖଲ କରିବୁ ।


Comments are closed, but trackbacks and pingbacks are open.