ଲଣ୍ଡନ: ଆଗାମୀ ଆସେସ ପାଇଁ ୧୪ଜଣିଆ ଇଂଲଣ୍ଡ ଦଳ ଘୋଷଣା କରାଯାଇଛି । ଗତ ବିଶ୍ୱକପ୍ରେ ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇ ଦେଇଥିବା ଯୁବ ଫାଷ୍ଟ ବୋଲର ଜୋଫ୍ରା ଆର୍ଚ୍ଚରଙ୍କୁ ଦଳରେ ସ୍ଥାନ ମିଳିଛି । ଇଂଲଣ୍ଡ ପକ୍ଷରୁ ଖେଳିବାକୁ ସୁଯୋଗ ପାଇବାର ୨ ମାସ ମଧ୍ୟରେ ଆର୍ଚ୍ଚର ଐତିହାସିକ ଆସେସ ଦଳରେ ସ୍ଥାନ ପାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଅଭିଜ୍ଞ ଅଲ୍ ରାଉଣ୍ଡର ବେନ୍ ଷ୍ଟୋକ୍ସ ୨ ବର୍ଷ ପରେ ପୁଣି ଥରେ ଟେଷ୍ଟ ଦଳର ଉପ ଅଧିନାୟକ ପଦ ଫେରି ପାଇଛନ୍ତି ।
ଗତ ମେ ମାସରେ ଆର୍ଚ୍ଚରଙ୍କୁ ପ୍ରଥମ ଥର ପାଇଁ ଇଂଲଣ୍ଡ ପକ୍ଷରୁ ଖେଳିବାକୁ ସୁଯୋଗ ମିଳିଥିଲା । ବିଶ୍ୱକପ୍ରେ ସେ ଦ୍ରୁତ ବୋଲିଂ କରି ବହୁ ବ୍ୟାଟ୍ସମ୍ୟାନଙ୍କୁ ଆହତ କରିଥିଲେ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ସେ ୨୦ଟି ୱିକେଟ୍ ମଧ୍ୟ ନେଇଥିଲେ । ବିଶ୍ୱକପ୍ ସଫଳତା ବଳରେ ସେ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି । ଇଂଲଣ୍ଡ ଦଳର ଦୁଇ ପ୍ରମୁଖ ଖେଳାଳି ବେନ୍ ଷ୍ଟୋକ୍ସ ଓ ଜୋସ ବଟଲର ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗତ ଆୟର୍ଲାଣ୍ଡ ବିପକ୍ଷ ୪ ଦିନିଆ ଟେଷ୍ଟରୁ ଉଭୟଙ୍କୁ ବିଶ୍ରାମ ଦିଆଯାଇଥିଲା । ବିଶ୍ୱକପ୍ ସଫଳତା ପରେ ଷ୍ଟୋକ୍ସ ଟେଷ୍ଟ ଦଳର ଉପ ଅଧିନାୟକ ପଦ ଫେରି ପାଇଛନ୍ତି । ୨୦୧୭ରେ ଏକ ନାଇଟ୍ କ୍ଲବ୍ରେ ଗଣ୍ଡଗୋଳ ଘଟଣାକୁ କେନ୍ଦ୍ର କରି ଷ୍ଟୋକ୍ସ ଟେଷ୍ଟ ଦଳରୁ ବାଦ ପଡ଼ିଥିଲେ । ପରେ ସେ ଦଳକୁ ଫେରିଥିଲେ ହେଁ ଉପ ଅଧିନାୟକ ପଦ ମିଳି ନଥିଲା ।
ଦଳ: ଜୋ ରୁଟ୍(ଅଧିନାୟକ), ମୋଇନ ଅଲି, ଜିମ୍ମି ଆଣ୍ଡରସନ, ଜୋଫ୍ରା ଆର୍ଚର, ଜନି ବେୟାରଷ୍ଟୋ, ଷ୍ଟୁଆର୍ଟ ବ୍ରଡ୍, ରୋରି ବର୍ଣ୍ଣସ, ଜୋସ ବଟଲର, ସାମ କୁରାନ, ଜୋ ଡେନ୍ଲି, ଜାସନ ରୟ, ବେନ୍ ଷ୍ଟୋକ୍ସ(ଉପ ଅଧିନାୟକ), ଓଲି ଷ୍ଟୋନ, କ୍ରିସ୍ ୱକ୍ସ ।


Comments are closed, but trackbacks and pingbacks are open.