ବୁଗୁଡ଼ା, (ବି.ବି.ନୁ୍ୟଜ୍): ବୁଦ୍ଧଖୋଲ ପାଦଦେଶରେ ବୁଦ୍ଧଖୋଲ ମହୋତ୍ସବ କାର୍ଯ୍ୟକ୍ରମର ଦ୍ୱିତୀୟ ସନ୍ଧ୍ୟାରେ ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇଥିଲେ । ଆସିକା ସାଂସଦ ପ୍ରମିଳା ବିଷୋୟୀ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍, ତହସିଲଦାର ସଂଗ୍ରାମ କେଶରୀ ଜେନା, ବିଡିଓ ତନ୍ମୟ କୁମାର ପାତ୍ର, ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବୁଦ୍ଧଖୋଲ ପାଦଦେଶରେ ଏକ ଇକୋ ପାର୍କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଡିଏଫ୍ଓ ସୁରେଶ ପନ୍ଥ, ଏସିଏଫ ପ୍ରଭାକର ନାୟକ, ଶଙ୍କର୍ଷଣ ବେହେରା, ରେଞ୍ଜର ଫକୀର ଚରଣ ବେହେରା ଉପସ୍ଥିତ ଥିଲେ । ଇକୋ ପାର୍କ ନିର୍ମାଣ ପାଇଁ ୨.୫୮ କୋଟି ଟଙ୍କା ମଞ୍ଜୁର ହୋଇଛି । ନିର୍ମାଣ କାର୍ଯ୍ୟ ଏକ ବର୍ଷ ଭିତରେ ସାରିବା ପାଇଁ ଲକ୍ଷ୍ୟ ରହିଥିବା ମନ୍ତ୍ରୀ ଆରୁଖ କହିଛନ୍ତି । ଆଗାମୀ ବର୍ଷଠାରୁ ପଲ୍ଲଶ୍ରୀ ମେଳା କରିବା ପାଇଁ ଜିଲ୍ଲାପାଳ ଘୋଷଣା କରିଥିଲେ । ବୁଦ୍ଧଖୋଲ ମନ୍ଦିର ପାଇଁ ଏକ ରୋପୱେ କରାଯିବ । ଧାରାବାହିକ ପଲିଟିକାଲ ସର୍କସର କଳାକାରଙ୍କ ସହ କଣ୍ଠଶିଳ୍ପୀ ସ୍ୱୟଂ ପାଢୀ ଓ ନାଭ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏଥିସହ ଆଞ୍ଚଳିକ ଲୋକନୃତ୍ୟ ସହ ରାମଲୀଳା, ଭାରତଲୀଳା, ଘୁଡୁକି, ଦାସକାଠୀ ଆଦି ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ବୈଷ୍ଣବ ଚରଣ ଦାଶ ବେଦ ପାଠ କରିଥିଲେ । ସମିତି ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ଧନ୍ୟବାଦ ଦେଇଥିଲେ । ପ୍ରବଳ ଶୀତ ସତ୍ତେ୍ୱ ମହୋତ୍ସବ ଦେଖିବାକୁ ଆଖପାଖରୁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା ।
Comments are closed, but trackbacks and pingbacks are open.