ଚୌଦ୍ୱାର, (ବି.ବି.ନୁ୍ୟଜ୍): ଆଜି ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ । ଗଲା ଜାନୁଆରୀ ୧୬ ତାରିଖରେ ଲୋକମାନ୍ୟ ତିଳକ ଏrପ୍ରେସ୍ ମଙ୍ଗୁଳି ନିର୍ଗୁଣ୍ଡି ଷ୍ଟେସନ ମଧ୍ୟରେ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଲାଇନଚୁ୍ୟତ ହୋଇଥିଲା । ଏଥିରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଆଜି ପୁଣି ସେହି ୧୬ ତାରିଖରେ ଘଟିଛି ଅଘଟଣ । ଅବଶ୍ୟ ଏଥର କାହାର କିଛି କ୍ଷତି ହୋଇନଥିବା ଜଣାଯାଇଛି ।
ସୂଚନା ଅନୁସାରେ, ଆଜି ସକାଳ ୮ଟା ୨୨ ମିନିଟ୍ରେ ନିର୍ଗୁଣ୍ଡି ଷ୍ଟେସନ ଦେଇ ଭୁବନେଶ୍ୱରରୁ-ମୁମ୍ୱାଇ ଯାଉଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ ଶାଳଗାଁ-ଚୌଦ୍ୱାର ଚାରବାଟିଆ ଷ୍ଟେସନ୍ ପଳାସିଆ ଗାଁ ନିକଟରେ ପହଞ୍ଚିବା ପରେ ହଠାତ୍ ଇଞ୍ଜିନ ସହ ଦୁଇଟି ବଗି ଅଟକି ଯାଇ ପାସେଞ୍ଜର ବଗି ଅଲଗା ହୋଇ ଯାଇଥିଲା । ଟ୍ରେନ୍ର ଇଞ୍ଜିନ୍ ଓ ବଗି ମଧ୍ୟରେ ଥିବା ସଂଯୋଗ ସ୍ଥାନରୁ କଳା ଧୂଅାଁ ବାହାରି ସଂଯୋଗ ସ୍ଥାନରୁ ହୋସ୍ ପାଇପ୍ ଫାଟି ଯାଇଥିଲା । ଫଳରେ ଇଞ୍ଜିନ ଓ ବଗି ମଧ୍ୟରେ ଥିବା ଲକ୍ ବାହାରିଯିବାରୁ ଇଞ୍ଜିନ୍ ବଗିକୁ ଛାଡି ୫ଶହ ମିଟର ପର୍ଯ୍ୟନ୍ତ ପଳାଇ ଅଟକିଥିଲା । ହେଲେ ପାସେଞ୍ଜର ବଗି ଗୁଡିକ ଲାଇନଚୁ୍ୟତ ନହୋଇ ଲାଇନ ମଧ୍ୟରେ ରହିଯାଇଥିଲା । ଯେଉଁଥିପାଇଁ ନିଶ୍ଚିତ ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲେ ଯାତ୍ରୀ । ପାସେଞ୍ଜର ବଗିରେ ଥିବା ଯାତ୍ରୀମାନେ କଳା ଧୂଅାଁ ଦେଖି ଭାବିଥିଲେ ଟ୍ରେନ୍ରେ ନିଅାଁ ଲାଗିଯାଇଛି । ହେଲେ ଘଟଣା ଜାଣିବା ପରେ ଯାତ୍ରୀମାନେ ଆଶ୍ୱସ୍ତି ଲାଭ କରିଥିଲେ । ପୂର୍ବତଟ ରେଳ ଅଧିକାରୀ ଏବଂ ଟେକ୍ନିକାଲ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମରାମତି କରିବା ପରେ ପ୍ରାୟ ସାଢେ ୯ଟାରେ ଟ୍ରେନ୍ ମୁମ୍ୱାଇ ଅଭିମୁଖେ ଯାତ୍ରା କରିଥିଲା । ରେଳବାଇ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଥିବା କୁହାଯାଉଛି । ଜାନୁଆରୀ ୧୬ ତାରିଖରେ କଟକ ନିର୍ଗୁଣ୍ଡି ଷ୍ଟେସନ୍ର ୨ଶହ ମିଟର ଦୂରରେ ଠିଆ ହୋଇଥିବା ମାଲବାହୀ ଟ୍ରେନ୍କୁ ମୁମ୍ୱାଇରୁ ଯାତ୍ରୀ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଲୋକମାନ୍ୟ ଏକ୍ସପ୍ରେସ ଧକ୍କାଦେଇଥିଲା । ଯାହାଫଳରେ ୧୩ଟି ବଗି ଲାଇନଚୁ୍ୟତ ହୋଇଥିଲା । ହେଲେ ଆଜି ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ଟି ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ନିର୍ଗୁଣ୍ଡି ଓ ଶାଳଗାଁ ଷ୍ଟେସନ ସଂଯୋଗ ପଥରେ ଏକ ବଡ ବୁଲାଣି ଟ୍ରାକ୍ଥିବାରୁ ଟ୍ରେନର ଗତି କମ ଥିବାରୁ ବଗି ଗୁଡିକ ଲାଇନଚୁ୍ୟତ୍ ନ ହୋଇ ରହିଯାଇଥିଲା ।


Comments are closed, but trackbacks and pingbacks are open.