ଜୟପୁର: ଇଟାରେ ଛେଚି ଜଣେ ବ୍ୟକ୍ତିଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି । ରକ୍ତ ଛିଟାରେ ଦୋକାନ କାନ୍ଥ ଏବଂ ପାଖରେ ପଡ଼ିଥିବା ଇଟା ଖଣ୍ଡ ଲାଲ୍ ହୋଇଯାଇଛି । ଦୁର୍ବୃତ୍ତର ଇଟା ମାଡ଼ରେ ବିକୃତ ହୋଇଯାଇଛି ମୃତକଙ୍କ ମୁହଁ । ମୃତକ ହେଉଛନ୍ତି ସ୍ଥାନୀୟ ସଉରାସାହିର କେ. ଜଗଦୀଶ୍ୱର ରାଓ(୫୦) । ୨୬ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀଇନ୍ଦିରା ପଣ୍ଡା ଛକ ନିକଟରେ ଘଟିଛି ଏହି ବିଭତ୍ସକାଣ୍ଡ । ଏ ସମ୍ପର୍କରେ ଟାଉନ ଥାନାରେ ରୁଜୁ ହୋଇଛି ହତ୍ୟା ମାମଲା । ଘଟଣାସ୍ଥଳରେ ଡଗ୍ ସ୍କ୍ୱାଡ୍ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା କରିଛି । କିନ୍ତୁ ଜଗଦୀଶ୍ୱରଙ୍କୁ କିଏ ଏବଂ କ’ଣ ପାଇଁ ହତ୍ୟା କଲା, ତାହା ସ୍ପଷ୍ଟ ହୋଇନି । ପୁଲିସ ଶବ ବ୍ୟବଚ୍ଛେଦ କରାଇ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଥିବା ଏସଡିପିଓ ଅରୂପ ଅଭିଶେକ ବେହେରା କହିଛନ୍ତି ।
ଲକ୍ଷ୍ମୀ ପଣ୍ଡାଙ୍କ ପ୍ରତିମୂର୍ତ୍ତି ପଛ ପଟେ ରହିଛି ଏକ ଚା’ ଦୋକାନ । ଦୋକାନ ମାଲିକ ସୁକାନ୍ତି ନାୟକଙ୍କ ସୂଚନା ଅନୁଯାୟୀ, ଦୋକାନ ଉତ୍ତର ଦିଗରେ ଥିବା ଖାଲି ସ୍ଥାନରେ ଜଣେ ବ୍ୟକ୍ତି ଗତ ମାସେ ହେଲା ରାତି ବିତାଉଥିଲେ । ତାଙ୍କ ନାଁ କିମ୍ବା ଠିକଣା ସେ ଜାଣିନଥିଲେ । ବ୍ୟକ୍ତି ଜଣଙ୍କ ଦିନ ତମାମ ସହରରେ ବୁଲାବୁଲି କରି ଜ୍ୟୋତିଷ ବିଦ୍ୟା କରୁଥିଲେ । ଯାହା ରୋଜଗାର ହେଉଥିଲା ସେଥିରେ ଚଳୁଥିଲେ । ରାତି ହେଲେ ଦୋକାନ ପରିସରରେ ବିଶ୍ରାମ ନେଉଥିଲେ । ସବୁ ଦିନ ପରି ଆଜି ପାହାନ୍ତିଆ ୫ଟାରେ ସୁକାନ୍ତି ଦୋକାନରେ ପହଞ୍ଚିଥିଲେ । ଦୋକାନ ଖୋଲିବା ଆଗରୁ ଉକ୍ତ ବ୍ୟକ୍ତିଙ୍କୁ ଉଠାଇବାକୁ ଯାଇଥିଲେ । ପରିସରରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ । ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏ ସମ୍ପର୍କରେ ଅନ୍ୟମାନଙ୍କୁ ଖବର ଦେଇଥିଲେ । ଖବର ପାଇ ଏସଡିପିଓ ଶ୍ରୀ ବେହେରା, ଟାଉନ ଥାନା ଆଇଆଇସି ସଞ୍ଜୟକୁମାର ମଣ୍ଡଳ, ସଦର ଥାନା ଓଆଇସି ଆଦିତ୍ୟ ମହାକୁଡ଼ ପ୍ରମୁଖ ପହଞ୍ଚିଥିଲେ । ପାରିପାଶ୍ୱିର୍କ ଅବସ୍ଥାରୁ କେହି ଦୁର୍ବୃତ୍ତ ଇଟାରେ ଛେଚି ହତ୍ୟା କରିଥିବା ଅନୁମାନ କରିଥିଲେ । ମୃତକଙ୍କ ଠିକଣା କିମ୍ବା ନାଁ ଜଣାନଥିବାରୁ ବିଭିନ୍ନ ଲୋକଙ୍କ ସହାୟତା ନିଆଯାଇଥିଲା । ଖବର ପାଇ ପହଞ୍ଚିଥିଲେ ମୃତକଙ୍କ ଭଣଜା । ଶବ ତାଙ୍କ ମାମୁଙ୍କର ବୋଲି ଚିହ୍ନଟ କରିଥିଲେ । କୋରାପୁଟରୁ ଡଗ୍ ଏବଂ ସାଇଣ୍ଟିଫିକ୍ ଟିମ୍ ସଦସ୍ୟ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଥିଲେ । ପୁଲିସ କୁକୁର ଡେଙ୍ଗାତୋଟା ଶ୍ମଶାନ(ଗାଗନାପୁର ରାସ୍ତା) ପାଖ ରାସ୍ତାରେ କିଛି ବାଟ ଯାଇ ଫେରି ଆସିଥିଲା । ମୃତଦେହ ଚିହ୍ନଟ ପରେ ବ୍ୟବଚ୍ଛେଦ ଲାଗି ଡିଏଚଏଚ୍କୁ ନିଆଯାଇଥିଲା । ଆଇଆଇସି ଶ୍ରୀ ମଣ୍ଡଳ ମାମଲାର ତଦନ୍ତକାରୀ ଅ%ିକାରୀ ଅଛନ୍ତି ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.