ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ସ୍ଥାନୀୟ ସରକାରୀ ଆଇଟିଆଇକୁ ଆଉ ଏକ ଜାତୀୟସ୍ତରର ଏକ ସଫଳତା । ଆଇଟିଆଇ କ୍ୟାମ୍ପସ୍ରେ ଏହାର ପ୍ରଶିକ୍ଷାର୍ଥୀଙ୍କ ଦ୍ୱାରା ନିର୍ମିତ ଓ ସ୍ଥାପିତ ସୁନ୍ଦର କାରୁକାର୍ଯ୍ୟ ଭରା ବିଭିନ୍ନ ସ୍କ୍ରାପ୍ କଳାକୃତି ସମ୍ପନ୍ନ ପାର୍କକୁ ମିଳିଛି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ମାନ୍ୟତା । ରଦ୍ଧି ଓ ଅବ୍ୟବହୃତ ସାମଗ୍ରୀରୁ ନିର୍ମିତ ବିଭିନ୍ନ କଳାକୃତି ଥିବା ଏହି ଖୋଲା ପାର୍କକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ୨୦୨୧ ଅନ୍ତର୍ଗତ ‘ଲାର୍ଜେଷ୍ଟ୍ ଓପନ୍ ଏୟାର୍ ସ୍କ୍ରାପ୍ ସ୍କଲ୍ପଚର୍ ମୁ୍ୟଜିୟମ୍’ ଟାଇଟଲ୍ ପ୍ରଦାନ କରାଯାଇଛି । ଏଥିସହ ସମ୍ପୃକ୍ତ କର୍ତ୍ତୃପକ୍ଷ ପ୍ରଶିକ୍ଷାର୍ଥୀ ଓ ଆଇଟିଆଇ ପ୍ରଶାସନର ପ୍ରୟାସ, ପରିଶ୍ରମ ତଥା ଧୌର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଆଇଟିଆଇ ପ୍ରଶିକ୍ଷାର୍ଥୀଙ୍କ କଳାକୌଶଳ ଓ ଦକ୍ଷତାକୁ ସ୍ୱୀକୃତି ପ୍ରଦାନ ସହ ଏସବୁ ସ୍କ୍ରାପ୍ ସ୍କଲ୍ପଚର୍କୁ ବ୍ୟାପକ ପରଖିବା ପରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଏଡିଟୋରିଆଲ୍ ବୋର୍ଡ ଶ୍ରେÂ କୃତିକୁ ଅନୁମୋଦନ କରିଥିବା ଦର୍ଶାଯାଇଛି ।
ଆଇଟିଆଇ କ୍ୟାମ୍ପସ୍ର ଏହି ଓପନ୍ ଏୟାର୍ ସ୍କ୍ରାପ୍ ପାର୍କ ଭାରତର ସର୍ବବୃହତ୍ ବୋଲି ଜଣାଯାଇଛି । ୧୦ ହଜାର ବର୍ଗ ମିଟର ଅଞ୍ଚଳରେ ଥିବା ଏହି ସ୍ଥାପତ୍ୟ କଳାକୃତିକୁ ‘ଦ ହାର୍ଟ, ମାଇଣ୍ଡ୍ ଆଣ୍ଡ୍ ହ୍ୟାଣ୍ଡ୍ ସୋ’ ଭାବେ ନାମିତ କରିଛନ୍ତି ଆଇଟିଆଇ କର୍ତ୍ତୃପକ୍ଷ । ଏଥିରେ ୨୦ଟି ବଡ଼ ଓ ବୃହତ୍ କଳାକୃତି ସ୍ଥାନ ପାଇଛି । ସେଥିରେ ରହିଛି ଜିଆଣ୍ଟ୍ ଗୀଟାର୍ (ବୃହତ୍ ଗୀଟାର୍), ଆଇରନ୍ ମ୍ୟାନ୍, ଟର୍ମିନେଟର୍ ଓ ପ୍ରିଡେଟର୍ (ହଲିଉଡ୍ ମୁଭି କାଳ୍ପନିକ ଚରିତ୍ର), ଡଲ୍ଫିନ୍, ଟର୍ଟଲ୍ (କଇଁଛ), ହେଲିକେପ୍ଟର୍, ଚେତକ୍, ସ୍ପଟ୍ଡ୍ ଡିଅର୍ (ହରିଣ), ରୋବୋଟ୍, ରିଇନ୍ଡିଅର୍, ଲିଜାର୍ଡ (ଝିଟିପିଟି), ପିକକ୍ (ମୟୁର), ଏନୋରୋମସ୍ କାଓ (ଗାଈ), କିଙ୍ଗ୍କଙ୍ଗ୍ (ବିଶାଳ ଗରିଲା), ଫିସିଂ ଲୁ୍ୟର୍, ଟ୍ୟାଙ୍କ୍ (ଯୁଦ୍ଧାସ୍ତ୍ର), ହ୍ୟାଙ୍ଗିଂ ଫିଶ୍ (ଝୁଲନ୍ତା ବଡ଼ ମାଛ), ଜିରାଫ୍ ଓ ଅନ୍ୟ ଏକ କଳାକୃତି ।
ପୂର୍ବରୁ ଜିଆଣ୍ଟ୍ ଗୀଟାର୍, ଜିରାଫ୍ ଆଦି କଳାକୃତି ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଜିନିଷ ଭାବେ ବିଭିନ୍ନ ରେକର୍ଡ ବୁକ୍ରେ ସ୍ଥାନ ପାଇଥିଲା । ଏବେ ସବୁ କଳାକୃତିସମ୍ପନ୍ନ ପାର୍କ ସାମୂହିକ ଭାବେ ରେକର୍ଡରେ ମାନ୍ୟତା ପାଇଥିବା କହିଛନ୍ତି ଆଇଟିଆଇ ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ । ସେ ଦର୍ଶାଇଛନ୍ତି ଯେ- ପ୍ରଶିକ୍ଷାର୍ଥୀଙ୍କ କଠିନ ପରିଶ୍ରମ ଓ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପକୁ ଏବେ ରାଜ୍ୟ, ଜାତୀୟସ୍ତରରେ ସ୍ୱୀକୃତି ମିଳିବାରେ ଲାଗିଛି । ଏଭଳି ରେକର୍ଡ ଦ୍ୱାରା ବ୍ରହ୍ମପୁର ଆଇଟିଆଇ ସାରା ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରୁଛି ବୋଲି ସେ କହିଛନ୍ତି । ଏହି ମାନ୍ୟତା ଇଣ୍ଡିଆ ବୁକ୍ ରେକର୍ଡସ୍ ପବ୍ଲିକେସନ୍ରେ ଉଲ୍ଲେଖ ରହିବ । ପ୍ରତ୍ୟେକଟି ପାଇଁ ଟାଇଟଲ୍ ଏକ୍ସକ୍ଲୁସିଭ୍ ହେବ ।


Comments are closed, but trackbacks and pingbacks are open.