ଇତିହାସ ପାଲଟିବ ଡେବିଟ୍ କାର୍ଡ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଇତିହାସ ପାଲଟିବ ଡେବିଟ୍ କାର୍ଡ । ନଗଦ ଉଠାଣ ଓ ଅନ୍ୟ ଦେଣନେଣ ପାଇଁ ଏହାକୁ ବ୍ୟବହାର କରାଯିବ ନାହିଁ । ୱେବ୍ସାଇଟ୍ ଓ ଆପ୍ରେ ହେବ ସବୁ କାରବାର । ସର୍ବବୃହତ୍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ମଙ୍ଗଳବାର ଏହି ବଡ଼ ଘୋଷଣା କରିଛି ।
ଏସ୍ବିଆଇ ଏହାର ସମସ୍ତ ଏଟିଏମ୍/ଡେବିଟ୍ କାର୍ଡକୁ ହଟାଇଦେବ । ଏହାର ଗ୍ରାହକମାନେ ବ୍ୟାଙ୍କର ‘ୟୋନୋ’ ସେବା ଆପଣାଇବେ । ୟୋନୋ କ୍ୟାସ୍ପଏଣ୍ଟରେ ଲୋକମାନେ ନଗଦ ଉଠାଣ ଠାରୁ ଆରମ୍ଭ କରି ଅନ୍ୟ କାରବାର କରିପାରିବେ । ସପିଙ୍ଗ୍ ବି କରାଯାଇ ପାରିବ । ଏସ୍ବିଆଇ ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି, ଆମ ଗ୍ରାହକମାନେ ଡେବିଟ୍ କାର୍ଡ ପରିବର୍ତ୍ତେ ୟୋନୋ ପ୍ଲାଟ୍ଫର୍ମରେ ସମସ୍ତ ଆର୍ଥିକ କାରବାର ଖୁବ୍ ସହଜରେ କରିବେ । ଏଥିପାଇଁ ବ୍ୟାଙ୍କ ସମସ୍ତ ବ୍ୟବସ୍ଥା ଯୋଗାଇଦେବ ।
ପୂର୍ବରୁ ବ୍ୟାଙ୍କ ୬୮,୦୦୦ ‘ୟୋନୋ କ୍ୟାସ୍ପଏଣ୍ଟ’ ସ୍ଥାପନ କରିସାରିଛି । ଆଗାମୀ ୧୮ ମାସ ମଧ୍ୟରେ ଏହାକୁ ୧୦ ଲକ୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହାଛଡ଼ା ନଗଦ ଉଠାଣ ପାଇଁ ଦେଶରେ ଥିବା ଏସ୍ବିଆଇର ପାଖାପାଖି ୧୬,୫୦୦ ଏଟିଏମ୍ରେ ୟୋନୋ କ୍ୟାସ୍ ବ୍ୟବସ୍ଥାର ଉପଯୋଗ କରାଯାଇ ପାରିବ । ତେବେ ଅନ୍ୟ ବ୍ୟାଙ୍କଗୁଡ଼ିକ ଏଭଳି ବ୍ୟବସ୍ଥା ଗ୍ରହଣ କରିବେ କି ନାହିଁ, ସେ ବାବଦରେ ସୂଚନା ଦେଇନାହାନ୍ତି ।
ଉଲ୍ଲେଖଯୋଗ୍ୟ, ଡେବିଟ୍ କାର୍ଡ ବ୍ୟବହାରକୁ ଏଡ଼ାଇବା ପାଇଁ ଏବେ ବି ଅନେକ ବିକଳ୍ପ ବ୍ୟବସ୍ଥା ରହିଛି । ଲୋକମାନେ ପେଟିଏମ୍, ଫୋନ୍ପେ ଭଳି ଡିଜିଟାଲ ୱାଲେଟ୍ ଅଥବା ୟୁପିଆଇଭିତ୍ତିକ ପେମେଣ୍ଟ ଆପ୍ ‘ଭୀମ୍’ ମାଧ୍ୟମରେ କାରବାର କରୁଛନ୍ତି । ଏମିତି କି ନେଟ୍ ବ୍ୟାଙ୍କିଙ୍ଗ୍ ସୁବିଧା ବି ରହିଛି । ତଥାପି ଲୋକମାନେ ଡେବିଟ୍ କାର୍ଡ ବହୁଳ ପରିମାଣରେ ବ୍ୟବହାର କରୁଛନ୍ତି । ଦେଶରେ ଏବେ ପାଖାପାଖି ୯୦ କୋଟି ଡେବିଟ୍ କାର୍ଡ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons