ଆଠମଲ୍ଲିକ,(ବି.ବି.ନୁ୍ୟଜ୍): ରବିବାର ରାତିରେ ରାଞ୍ଚି-ବିଜୟୱାଡ଼ା ଜାତୀୟ ରାଜପଥ ୧୫୩(ବି)ର ଆଠମଲ୍ଲିକ ଉପଖଣ୍ଡ କିଆକଟା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଯାଉଥିବା ଏକ ନାଇଟ୍ କୋଚ୍ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଠିଆ ହୋଇଥିବା ଇନୋଭା ଉପରେ ଓଲଟି ପଡ଼ିଥିଲା । ଇନୋଭା ଚାଳକଙ୍କ ସମେତ ଦୁଇ ଜଣଙ୍କର ଅକାଳ ମୃତୁ୍ୟ ଘଟିଛି । ୨୦ରୁ ଅଧିକ ବସ୍ୟାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗୁରୁତର ଆହତ ୬ ଜଣଙ୍କୁ ବୌଦ୍ଧରୁ ବୁର୍ଲା ବଡ଼ ମେଡ଼ିକାଲ୍କୁ ସ୍ଥାନାନ୍ତର କରାଯାଇଛି ।
ରାତି ପ୍ରାୟ ଗୋଟାଏ ବେଳେ ଏହି ହୃଦୟ ବିଦାରକ ଦୁର୍ଘଟଣା ଘଟିଥିଲା । ବଲାଙ୍ଗୀର ଅଞ୍ଚଳର ୮ ଜଣଙ୍କୁ ଧରି ଓଡ଼ି୦୩ଜି-୨୨୫୫ ନମ୍ବର ବିଶିଷ୍ଟ ଇନୋଭା କାର୍ଟି ଅନୁଗୁଳରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା । କିଆକଟା ଛକରେ ରାସ୍ତା କଡ଼ରେ ଇନୋଭା ଗାଡ଼ି ରଖି ୬ ଜଣ ପରିସ୍ରା କରିବାକୁ ଓହ୍ଲାଇଥିଲେ । ସେତିକିବେଳେ ଦ୍ରୁତ ଗତିରେ ଆସୁଥିବା ଶ୍ରୀକାନ୍ତ ନାମକ ଏକ ଯାତ୍ରୀବାହୀ ବସ୍ (ଓଡ଼ି୦୨ଏକେ-୮୧୮୮) କିଆକଟା ଛକ ନିକଟରେ ଭାରସାମ୍ୟ ହରାଇ ଇନୋଭା ଉପରେ ଓଲଟି ପଡ଼ିଥିଲା । ସମ୍ଭବତଃ ଆଗରେ ଇନୋଭା ଦେଖି ଚାଳକ ହଡ଼ବଡେ଼ଇ ଯାଇ ହଠାତ୍ ବ୍ରେକ୍ ଲଗାଇବାରୁ ବସ୍ ଭାରସାମ୍ୟ ହରାଇ ଇନୋଭା ଉପରେ ଓଲଟି ପଡ଼ିଥିଲା । ବସ୍ ଚାପି ହୋଇଯିବାରୁ ଇନୋଭା ମଧ୍ୟରେ ବସିଥିବା ଚାଳକ ଶ୍ରୀକୃଷ୍ଣ ପଟେଲ(୪୨) ଏବଂ ଜନାର୍ଦ୍ଧନ ମହାପାତ୍ର(୪୭)ଙ୍କ ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିଲା । ବସ୍ଟି ବୁର୍ଲ୍ଲାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଜଣାପଡ଼ିଛି । ପଛରେ ଆସୁଥିବା ଅନ୍ୟ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚô ଘଟଣା ସମ୍ପର୍କରେ ପୁଲିସ୍, ଆମ୍ବୁଲାନ୍ସ ଏବଂ ବୌଦ୍ଧ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତିନି ବିଭାଗର କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ । ସମସ୍ତ ଆହତଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଦୁଇ ଇନୋଭା ଯାତ୍ରୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଇନୋଭା ଗାଡ଼ିର ଜଣେ ଏବଂ ୫ ଜଣ ବସ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୌଦ୍ଧାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । କିଆକଟା ପୁଲିସ ଏ ସଂକ୍ରାନ୍ତରେ ଏକ କେସ୍ ରୁଜ୍ଜୁ କରି ତଦନ୍ତ ଚଳାଇଛି ।


Comments are closed, but trackbacks and pingbacks are open.