
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକସ୍ଥିତ ଇନ୍ଦ୍ରାବତୀ ପ୍ରକଳ୍ପର ପଥର ଗାର୍ଡୱାଲକୁ ଖୋଳି ନେଉଛନ୍ତି ଟ୍ରକ, ଟ୍ରାକ୍ଟର ମାଲିକ । ୱାଲ ପଥରକୁ ଭାଙ୍ଗି ଶ୍ରମିକଙ୍କ ଜରିଆରେ ଚିପ୍ସ ପ୍ରସ୍ତୁତ କରି ଚାଲାଣ କମରୁଛନ୍ତି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ପ୍ରକଳ୍ପ ଅଧିକାରୀ ଓ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଜଣାପଡିଛି ।
ସୂଚନା ଅନୁସାରେ, ଅଞ୍ଚଳର କେତେଜଣ ଟ୍ରକ ଓ ଟ୍ରାକ୍ଟର ମାଲିକ ଏହି କାମ କରୁଛନ୍ତି । ଶ୍ରମିକ ଲଗାଇ ଗାର୍ଡୱାଲ ପଥରକୁ ଭାଙ୍ଗି ମେଟାଲ ଓ ଚିପ୍ସ ପ୍ରସ୍ତୁତ କରୁଛନ୍ତି । ପରେ ଏହାକୁ ଗାଡି ସାହାଯ୍ୟରେ ଚାଲାଣ କରୁଛନ୍ତି । ସରକାରକା ମାଲ୍ ଦରିଆ ମେ ଡାଲ୍ ଭଳି କାମ ହେଉଛି । ଅଞ୍ଚଳବାସୀ ଏହାକୁ ଦେଖି ମଧ୍ୟ କିଛି କରିପାରୁ ନାହାନ୍ତି । ଇନ୍ଦ୍ରାବତୀ ପ୍ରକଳ୍ପ ଅଧିକାରୀ ଏ ବିଷୟରେ ଜାଣୁଥିଲେ ହେଁ ନିରବ ରହୁଥିବା କୁହାଯାଉଛି । ଏହି ବେଆଇନ କାମ ବାରିଆଘାଟ ସାଇଡ୍ରେ ହେଉଥିବା ଜଣାପଡିଛି । ତହସିଲ ବିଭାଗ ମଧ୍ୟ ଏ ଦିଗରେ ଚୁପ୍ ରହୁଥିବା ପରିତାପର ବିଷୟ ହୋଇଛି । ଏ ସମ୍ପର୍କରେ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗଗନ ବିହାରୀ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଏଭଳି ବେଆଇନ କାର୍ଯ୍ୟ ବିଷୟରେ ଜାଣିନି । ଆସନ୍ତା ଗୁରୁବାର କର୍ମଚାରୀଙ୍କୁ ପଠାଇ ଅବା ନିଜେ ଯାଇ ଘଟଣାର ଅନୁଧ୍ୟାନ କରିବେ । ଆଇନ ଅନୁସାରେ ପଦକ୍ଷେପ ନିଆଯିବ ।


Comments are closed, but trackbacks and pingbacks are open.