ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଗତ କିଛି ଦିନ ହେଲା ନେତୃତ୍ୱ ପରିବର୍ତ୍ତନ ନେଇ ଚାଲିଥିବା ଚର୍ଚ୍ଚାରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି । ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା (୭୮) ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ଖୁବଶୀଘ୍ର ନୂଆ ମୁଖ୍ୟମନ୍ତ୍ରୀ ଚୟନ କରାଯିବ । ତେବେ ୟେଦିୟୁରପ୍ପାଙ୍କ ଉତ୍ତରାଧିକାରୀ କିଏ ହେବେ ତାହା ବିଜେପି ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ ବୋଲି ଦଳ ପକ୍ଷରୁ କୁହାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ବାଛିବା ଲାଗି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ସେମାନେ ମଙ୍ଗଳବାର ବେଙ୍ଗାଲୁରୁରେ ପହଞ୍ଚôବା ପରେ ବିଧାୟକ ଦଳ ବୈଠକ ଡକାଇବେ । ବୈଠକରେ ନୂଆ ନେତା ନିର୍ବାଚନ କରାଯିବ ବୋଲି ସୂଚନା ମିଳିଛି ।
ରାଜ୍ୟରେ ଆଜି ୟେଦିୟୁରପ୍ପାଙ୍କ ନେତୃତ୍ୱରେ ବିଜେପି ସରକାରର ଦୁଇବର୍ଷ ପୂରଣ ହୋଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ସେ ପହଞ୍ଚିଥିଲେ । ସେଠାରେ ସେ ଇସ୍ତଫା ସଂପର୍କରେ ଘୋଷଣା କରିଥିଲେ । ଇସ୍ତଫା ଘୋଷଣା କରିବା ବେଳେ ୟେଦିୟୁରପ୍ପା ଭାବବିହ୍ୱଳ ହୋଇପଡିଥିଲେ । ପରେ ରାଜଭବନ ପହଞ୍ଚି ରାଜ୍ୟପାଳ ଥାୱାରଚନ୍ଦ ଗେହଲଟଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ । ରାଜ୍ୟପାଳ ତାଙ୍କ ଇସ୍ତଫାକୁ ସ୍ୱୀକାର କରିଛନ୍ତି । ତେବେ ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତି ହେବାଯାଏ ସେ ଅସ୍ଥାୟୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବେ ।
ଇସ୍ତଫାପତ୍ର ଦାଖଲ କରିବା ପରେ ୟେଦିୟୁରପ୍ପା କହିଛନ୍ତି, ହାଇକମାଣ୍ଡଙ୍କ ନିକଟରୁ କୌଣସି ପ୍ରକାର ଚାପ ନାହିଁ । ମୁଁ ନିଜେ ଇସ୍ତଫା ଦେଇଛି । ମୋ’ ପରେ ମୁଖ୍ୟମନ୍ତ୍ରୀ ହେବା ପାଇଁ କାହା ନାମ ସୁପାରିଶ କରିନାହିଁ । ଦଳକୁ ମଜଭୁତ କରିବା ଲାଗି କାମ କରିବି । ରାଜ୍ୟବାସୀଙ୍କ ସେବା କରିବା ଲାଗି ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଉଛି । ୟେଦିୟୁରପ୍ପା ତାଙ୍କ ରାଜନୈତିକ ଜୀବନରେ ୪ ଥର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟଲାଭ କରିଛନ୍ତି । କିନ୍ତୁ କେବେ ବି ୫ ବର୍ଷ କାର୍ଯ୍ୟକାଳ ପୂରା କରିପାରିନାହାନ୍ତି ।
ସେପଟେ କର୍ଣ୍ଣାଟକରେ ୨୦୨୩ରେ ବିଧାନସଭା ନିର୍ବାଚନ ଅନୁÂିତ ହେବାର ଅଛି । ୟେଦିୟୁରପ୍ପା ଲିଙ୍ଗାୟତ ସଂପ୍ରଦାୟର ଟାଣୁଆ ନେତା ହୋଇଥିବାରୁ ତାଙ୍କର ଇସ୍ତଫା ପରେ ସେହି ସଂପ୍ରଦାୟର ଭୋଟ ପାଇବା ବିଜେପି ପାଇଁ ବଡ଼ ଚାଲେଞ୍ଜ ହେବ ବୋଲି ଆକଳନ କରାଯାଉଛି । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ବାସବରାଜ ବୋମାଇଙ୍କ ନାମ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି । ବୋମାଇ ରାଜ୍ୟର ଗୃହମନ୍ତ୍ରୀ ହେବା ସହ ସଂସଦୀୟ ବ୍ୟାପାର ଓ ଆଇନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ବିଜେପି ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଶ୍ୱେଶର ହେଗଡେ କଗେରିଙ୍କ ନାମ ସଂପର୍କରେ ବି ବିଚାର କରିପାରନ୍ତି । କଗେରି ରାଜ୍ୟରେ ବ୍ରାହ୍ମଣ ଚେହେରା ହୋଇଥିବାବେଳେ ବର୍ତ୍ତମାନ ବିଧାନସଭାର ବାଚସ୍ପତି ଅଛନ୍ତି । ରାଜ୍ୟର ଖଣିମନ୍ତ୍ରୀ ଏମଆର ନିରାନି ମଧ୍ୟ ନୂଆ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି । ସେ ମଧ୍ୟ ଲିଙ୍ଗାୟତ ସଂପ୍ରଦାୟର । ଏମାନଙ୍କ ବ୍ୟତୀତ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି ।
Comments are closed, but trackbacks and pingbacks are open.