ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଆଗାମୀ ଦିନରେ ଜଳ ସଙ୍କଟ ଉକ୍ରଟ ହେବାର ଆଶଙ୍କା ଥିବାରୁ ଏହାର ବ୍ୟବହାରକୁ ନିୟନ୍ତ୍ରିତ କରିବା ସକାଶେ ଜଳ ମିଟର ଲଗାଇବାକୁ କେନ୍ଦ୍ର ସରକାର ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ଜଳର ସଂରକ୍ଷଣ ଓ ସଠିକ୍ ବ୍ୟବହାର ଉପରେ କେନ୍ଦ୍ର ସରକାର ତ୍ୱରିତ ପଦକ୍ଷେପ ନେଉଥିବାବେଳେ ରାଜ୍ୟ ସରକାର ଅନୁରୂପ ପଦକ୍ଷେପ ନେବାକୁ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।\nକେନ୍ଦ୍ର ଜଳ ସମ୍ପଦ ସଚିବ ଉପେନ୍ଦ୍ର ପ୍ରସାଦ ସିଂହ ପ୍ରତ୍ୟେକ କ୍ଷେତ୍ରରେ ମିତବ୍ୟୟିତା ସହ ଜଳ ବ୍ୟବହାର ଉପରେ ତୁରନ୍ତ ପଦକ୍ଷେପ ନେବା ଲାଗି ରାଜ୍ୟ ସରକାରଙ୍କୁ କହିଛନ୍ତି । ଶ୍ରୀ ସିଂହ ଦର୍ଶାଇଛନ୍ତି ଯେ ସମନ୍ୱିତ ଜଳ ସମ୍ପଦ ବିକାଶ ପାଇଁ ଥିବା ଜାତୀୟ କମିଶନ ଆଧାରରେ ଦେଶରେ ବାର୍ଷିକ ୪୦୦୦ ବିଲିଅନ କ୍ୟୁବିକ ମିଟରର ବର୍ଷା ଜଳ ମିଳୁଛି । ବାଷ୍ପୀଭୂତ ହେବା ପରେ ଏଥିରୁ ମାତ୍ର ୧୮୬୯ ବିଲିଅନ କ୍ୟୁବିକ ମିଟର ରହୁଛି । ବିଭିନ୍ନ କାରଣରୁ ମାତ୍ର ୧୧୨୨ ବିଲିଅନ କ୍ୟୁବିକ ମିଟର ବ୍ୟବହାରଯୋଗ୍ୟ ଜଳ ଉପଲବ୍ଧ ହେଉଛି ।\nଏହି ହିସାବ ଆଧାରରେ ୨୦୦୧ ବେଳକୁ ଦେଶରେ ବାର୍ଷିକ ମୁଣ୍ଡପିଛା ୧୮୨୦ କ୍ୟୁବିକ ମିଟର ଜଳ ଉପଲବ୍ଧ ହେଉଥିଲା । ୨୦୧୧ ବେଳକୁ ଏହା ୧୫୪୫ କ୍ୟୁବିକ ମିଟର ହୋଇଥିବାବେଳେ ୨୦୨୫ ବେଳକୁ ଏହା ୧୩୪୧ କ୍ୟୁବିକ ମିଟରକୁ ହ୍ରାସ ପାଇବ ବୋଲି ଶ୍ରୀ ସିଂହ ସତର୍କ କରାଇ ଦେଇଛନ୍ତି ।\nସେ କହିଛନ୍ତି ଯେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବରୁ ସେମାନେ ଜଳ ବ୍ୟବହାର କ୍ଷେତ୍ରରେ ମିତବ୍ୟୟିତା ଅବଲମ୍ବନ କରିପାରୁ ନାହାନ୍ତି । ଭୂତଳ ଜଳର ଅପଚୟ ଦୈନନ୍ଦିନ ଜୀବନରେ ବଢ଼ିବାରେ ଲାଗିଛି । ଲୋକେ ଶୌଚାଳୟରେ ଅଧିକ ଜଳ ବ୍ୟବହାର କରୁଥିବାବେଳେ ଗାଧୋଇବା, ରୋଷେଇ ଏବଂ ଧୋଇ ହେବାରେ ବି ଅଧିକ ଜଳ ଖର୍ଚ୍ଚ କରୁଛନ୍ତି । ଏହାବାଦ୍ ଲୋକଙ୍କ ଘରେ ଜଳ ପହଞ୍ଚିଲା ବେଳକୁ ସେଥିରୁ ବହୁ ପରିମାଣ ଅପଚୟ ହୋଇଥାଏ । ତେଣୁ ଲୋକଙ୍କୁ ଏ ସଂକ୍ରାନ୍ତରେ ସଚେତନ ସହିତ ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର ଲାଗି କେନ୍ଦ୍ରୀୟ ସଚିବ କହିଛନ୍ତି ।
Comments are closed, but trackbacks and pingbacks are open.