ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କରେ ଡକାୟତି: ଲୁଟିଲେ ୨.୮୭ ଲକ୍ଷ

Get real time updates directly on you device, subscribe now.

ସୁନ୍ଦରଗଡ: ଜିଲ୍ଲା ସଦର ଥାନା ଅନ୍ତର୍ଗତ କିରାଇ ଠାରେ ଥିବା ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ କନ୍ଦାବାହାଲ ଶାଖାରେ ଦିନ ଦ୍ୱିପ୍ରହରରେ ହୋଇଛି ଡକାୟତି । ଡକାୟତମାନେ ବ୍ୟାଙ୍କ କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ କରିବା ସହ ୨ ଲକ୍ଷ ୮୭ ହଜାର ଟଙ୍କା ଲୁଟି ନେଇଛନ୍ତି । ଡକାୟତମାନେ ଯିବା ସମୟରେ ମହିଳା କ୍ୟାସିୟରଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଛନ୍ତି । ଏହି ଘଟଣା ଘଟିବା ପରେ ଝାଡଖଣ୍ଡ ଓ ଛତିଶଗଡ଼ ସୀମାନ୍ତଙ୍କୁ ପୁଲିସ୍ ପକ୍ଷରୁ ସିଲ୍ କରାଯାଇ ଡକାୟତମାନନଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରହିଛି ।
ସୁନ୍ଦରଗଡ଼ରୁ ଝାରସୁଗୁଡ଼ା ଯାଇଥିବା ବିଜୁ ଏrପ୍ରେସ ୱେର ରାସ୍ତା କଡ଼ରେ ଥିବା କିରାଇ କନ୍ଦାବାହାଲ ଗ୍ରାମ ମଝିରେ ନିର୍ମାଣ ହେଉଥିବା ଏକ କୋଠାରେ ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ ଖୋଲା ଯାଇଛି । ବ୍ୟାଙ୍କର ସୁରକ୍ଷା ପାଇଁ କୌଣସି ସିକୁ୍ୟରିଟି ଗାର୍ଡ ନାହାନ୍ତି । ପ୍ରତ୍ୟେକ ଦିନ ପରି ମଙ୍ଗଳବାର ମଧ୍ୟ ବ୍ୟାଙ୍କ ଖୋଲିଥିଲା । ଭିତରେ ଥିଲେ ୪ ଜଣ କର୍ମଚାରୀ । ଅପରାହ୍ନ ୨ଟା ୪୦ ମିନିଟ୍ ସମୟ । ହଠାତ ୪ ଜଣ ମୁଖା ପିନ୍ଧା ଡକାୟତ ଦୁଇଟି ଦୁଇଟି ବାଇକ୍ରେ ଆସି ବ୍ୟାଙ୍କ ଭିତରକୁ ପଶି ଯାଇଥିଲେ । କର୍ମଚାରୀମାନେ କିଛି ବୁଝିବା ପୂର୍ବରୁ ଡକାୟତମାନେ ସେମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ସମସ୍ତଙ୍କ ମୋବାଇଲ ଫୋନ ନେଇ ଯାଇଥିଲେ । ଏହା ପରେ କ୍ୟାସିୟର ରାକ୍ଷୀ କୁଜୁରଙ୍କ ପାଖକୁ ଯାଇ ତାଙ୍କୁ ଧମକଚମକ ଦେଇଥିଲେ । କ୍ୟାସିୟରଙ୍କ ପାଖରେ ଥିବା ୨ ଲକ୍ଷ ୮୭ ହଜାର ଟଙ୍କା ନେବା ପରେ ରାକ୍ଷୀ ପିନ୍ଧିଥିବା ସୁନା ଚେନ୍କୁ ମଧ୍ୟ ଝାମ୍ପି ନେଇଥିଲେ । ଏହି କାଣ୍ଡ ଭିଆଇ ଡକାୟତମାନେ ବ୍ୟାଙ୍କରୁ ବାହାରି ବାଇକ ଯୋଗେ ଝାରସୁଗୁଡ଼ା ପଟକୁ ଯାଇଥିବା ବ୍ୟାଙ୍କ ପରିଚାଳକ ନୀଳକାନ୍ତ କୁମାର ପୁଲିସ୍କୁ ଦେଇଥିବା ଏତଲାରେ ଦର୍ଶାଇଛନ୍ତି । ଡକାୟତି ସମ୍ପର୍କରେ ଖ୍ବର ପାଇ ଏସ୍ପି ସାଗରିକା ନାଥ, ଏସ୍ଡିପିଓ ମଧୁସିକ୍ତା ମିଶ୍ର ଓ ସଦର ଥାନା ଅଧିକାରୀ ଆର.କେ.ମାହାନା ଖବର ପାଇ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଡକାୟତମାନଙ୍କୁ ଧରିବା ଲାଗି ସୁନ୍ଦରଗଡ଼ ଜିଲ୍ଲାକୁ ଲାଗି ରହିଥିବା ଛତିଶଗଡ଼ ଏବଂ ଝାଡଖଣ୍ଡ ସୀମାନ୍ତକୁ ସିଲ କରାଯାଇଛି । ଝାରସୁଗୁଡ଼ା ପଟକୁ ଡକାୟତମାନେ ଯାଇଥିବାରୁ ଏ ନେଇ ଝାରସୁଗୁଡ଼ା ଏସ୍ପି ଓ ବାମଣ୍ଡା ପୁଲିସ୍କୁ ଆଲର୍ଟ କରାଯାଇଛି ବୋଲି ସୁନ୍ଦରଗଡ଼ ଏସ୍ପି ଜଣାଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons