ଉଗ୍ରରୂପ ନେଲା ଲୋୟରଇନ୍ଦ୍ର ବିସ୍ଥାପିତଙ୍କ ଆନେ୍ଦାଳନ

Get real time updates directly on you device, subscribe now.

ନୂଆପଡ଼ା,(ବି.ବି.ନୁ୍ୟଜ): ଉଗ୍ରରୂପ ନେଇଛି ନୂଆପଡ଼ା ଜିଲ୍ଲା ଲୋୟର ଇନ୍ଦ୍ର ବିସ୍ଥାପିତଙ୍କ ଆନେ୍ଦାଳନ । ଥଇଥାନ ଦାବିରେ ଆନେ୍ଦାଳନକାରୀ ଆଜି ଜିଲ୍ଲାପାଳ ଅଫିସକୁ ଧସେଇ ପଶି ଭଙ୍ଗାରୁଜା କରିଛନ୍ତି । ଆଗ ଥଇଥାନ କର, ପରେ ଡ୍ୟାମ୍ କାମ କରାଯାଉ ବୋଲି ନାରାବାଜି କରିଥିଲେ । ପ୍ରାୟ ଦୁଇଘଣ୍ଟା ଯାଏ ଜିଲ୍ଲାପାଳ କାର୍ଯ୍ୟାଳରେ ଉତ୍ତେଜନା ଲାଗି ରହିଥିଲା । ପରେ ପୁଲିସ ଫୋର୍ସ ଆସି ସ୍ଥିତି ନିୟନ୍ତ୍ରଣ କରିଥିଲେ । ଏହି ଘଟଣାରେ ସଦର ଥାନା ପୁଲିସ ୧୪ଜଣ ଆନେ୍ଦାଳନକାରୀଙ୍କୁ ଗିରଫ କରିଛି ।
ଆନେ୍ଦାଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ଥଇଥାନ ଏବଂ ସହାୟତା ରାଶି ପ୍ରଦାନ ପାଇଁ ଅଗଷ୍ଟ ୩ରେ ବିସ୍ଥାପିତମାନେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ । ହେଲେ କିଛି ପଦକ୍ଷେପ ନିଆଯାଇନଥିଲା । ଏଥିରେ ବିସ୍ଥାପିତମାନେ ଅସନ୍ତୁଷ୍ଟ ହୋଇ ଯୁବନେତା ଅଲେଖ ଜଗତଙ୍କ ନେତୃତ୍ୱରେ କାଲିମାଟି, ଝାଲକୁସୁମ, ଲମ୍ବିପାଣି, କୋନାବିରା, ବୋଡାଛାପର, ସନବାହାଲି, ରଘୁପାଲି, ହରିପୁର,ଦରଗାଁ, କୋଟାମାଲ ସମେତ ୩୧ ଖଣ୍ଡ ଗାଁର ଶତାଧିକ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଆଜି ମଧ୍ୟାହ୍ନ ୧୨ଟାରେ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ । ପୁଲିସ କଡନକୁ ଛିନଛତ୍ର କରି ମୁଖ୍ୟଗେଟ୍ ଭାଙ୍ଗି ଭିତରକୁ ଧସେଇ ପଶିଥିଲେ । ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ତାଙ୍କ କକ୍ଷ ସମ୍ମୁଖରେ ଧାରଣାରେ ବସିଥିଲେ । ଜିଲ୍ଲାପାଳ ଅଫିସ ଭିତରେ ଦୁଇଘଣ୍ଟା ଧରି ଉତ୍ତେଜନା ଲାଗି ରହିଥିଲା । ଅପରାହ୍ନ ୨ଟାରେ ସଦର ଆଇଆଇସି ନିର୍ମଳ ପାଣିଗ୍ରାହୀଙ୍କ ନେତୃତ୍ୱରେ ଫୋର୍ସ ପହଞ୍ଚି ୧୪ଜଣ ବିସ୍ଥାପିତଙ୍କୁ ଗିରଫ କରିଥିଲେ । ଅପରାହ୍ନ ୨ଟା ପରେ ପରିସ୍ଥିତି ସ୍ୱଭାବିକ ହେବାରୁ ବିସ୍ଥାପିତ ଓ କ୍ଷତିଗ୍ରସ୍ତମାନେ ଫେରି ଯାଇଥିଲେ । ତୁରନ୍ତ ବିସ୍ଥାପିତ ଓ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ସନ୍ଧ୍ୟା ସୁଦ୍ଧା ୧୪ ଜଣ ବିସ୍ଥାପିତଙ୍କୁ ପୁଲିସ ଅଟକ ରଖିଥିଲା । ଏନେଇ ସଦର ଆଇଆଇସି ଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରୁ ରାତିରେ ଆନେ୍ଦାଳନକାରୀଙ୍କୁ ନୋଟିସ କରି ଛାଡିଦେବୁ ବୋଲି କହିଥିଲେ ।
ପ୍ରକାଶ ଯେ, କୋମନା ଓ ଖଡିଆଳ ବ୍ଲକର ମଧ୍ୟସ୍ଥ ତିଖାଲିରେ ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରେ ଜଳସେଚନ ପାଇଁ ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା । ଏଥିରେ ୧୦ଟି ଗାଁ ସମ୍ପୂର୍ଣ୍ଣ ବୁଡ଼ିଥିବା ବେଳେ ୨୧ ଗାଁ ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା । ଏଥିରେ ୪୮୬୫ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୯୩୭ ମୂଳ ବିସ୍ଥାପିତ ଥିଲେ । ୨୦୧୭ରେ ପ୍ରକଳ୍ପର ଥଇଥାନ ଓ ପୁନର୍ବାସ ବିଭାଗ ସର୍ଭେ କରି ୧ ହଜାର ବିସ୍ଥାପିତ, କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରିଥିଲେ । ସେଥିରୁ ୩ ଶହ ଆବେଦନ ପତ୍ରରେ ତ୍ରୁଟି ଦର୍ଶାଇଥିଲେ । ୭ଶହ ତାଲିକା ଭିତରୁ ଜଳସମ୍ପଦ ବିଭାଗରେ ୩୫୦ ଜଣଙ୍କ ମଞ୍ଜୁରୀ ହୋଇଥିବା ବେଳେ ୩୫୦ ଜଣଙ୍କ ଆବେଦନ ପଡ଼ିରହିଛି । ଫଳରେ ଶତାଧିକ ବିସ୍ଥାପିତ ସହାୟତା ପାଇନାହାନ୍ତି । ଏଭଳି ପ୍ରାୟ ୮ ଶହ ଜଣ ପ୍ରକୃତ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଥଇଥାନ ଓ ଅନ୍ୟାନ୍ୟ ସହାୟତା ପାଇବାରୁ ବଞ୍ଚିତ ଅଛନ୍ତି । ଏନେଇ ସେମାନେ ଅନେକ ଥର ପ୍ରକଳ୍ପର ଥଇଥାନ ଓ ପୁନର୍ବାସ ଅଧିକାରୀ, ଜିଲ୍ଲାପାଳ, ଜଳ ସମ୍ପଦ ସଚିବଙ୍କୁ ସହାୟତା ପାଇଁ ଗୁହାରୀ କରିଥିଲେ ବି ସୁଫଳ ପାଇନାହାନ୍ତି । ଏଣୁ ଆଜି ବିସ୍ଥାପିତମାନେ ଆନେ୍ଦାଳନାତ୍ମକ ପନ୍ଥା ଆପଣାଇଥିବା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons