
ନୂଆଦିଲ୍ଲୀ: ଆଉ ୪ ଦିନ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆଗତ କରିବେ ୨୦୧୯-୨୦ ଆର୍ଥିକବର୍ଷର ପୂଣ୍ଣ ର୍ାଙ୍ଗ ବଜେଟ୍ । ଏହି ବଜେଟ୍ରେ ମଧ୍ୟମ ଆୟ ବର୍ଗର ଟିକସଦାତାଙ୍କୁ ସାମାନ୍ୟ ରିହାତି ଦେବା ଲାଗି ଚିନ୍ତା କରାଯାଉଥିବା ଏକ ସୂତ୍ରରୁ ଜଣାପଡ଼ିଛି । ସେମାନଙ୍କ ଟିକସ ବୋଝ ପରିମାଣ ହ୍ରାସ କରାଯାଇପାରେ ବୋଲି ଆଶା କରାଯାଉଛି ।
ଅନ୍ୟପକ୍ଷରେ ଟିକସ ଆୟରେ ସନ୍ତୁଳନ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଉଚ୍ଚ ଆୟକାରୀଙ୍କ ଉପରେ ଟିକସ ବୋଝ ଲଦିପାରନ୍ତି ବୋଲି କୁହାଯାଉଛି । ବିଶେଷକରି ୧୦ କୋଟି ଟଙ୍କାରୁ ଅଧିକ ଆୟକାରୀଙ୍କ ଉପରେ ଟିକସ ପରିମାଣ ୪୦% ହୋଇପାରେ । କେପିଏମ୍ଜି ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଏହି ସୂଚନା ମିଳିଛି । କେପିଏମ୍ଜି ଇଣ୍ଡିଆ ଏକ ପ୍ରାକ୍ ବଜେଟ୍ ସର୍ଭେ କରି ଏଭଳି ଆକଳନ ଲଗାଇଛି ।
ସର୍ଭେ ରିପୋର୍ଟ ଅନୁସାରେ ବ୍ୟକ୍ତିଗତ ଆୟକର ଛାଡ଼ ସୀମା ବୃଦ୍ଧି କରାଯାଇପାରେ । ବର୍ତ୍ତମାନ ଏହା ୨.୫ ଲକ୍ଷ ଟଙ୍କା ରହିଛି । ୭୪% ଜବାବଦାତା ଏ ନେଇ ମତ ଦେଇଛନ୍ତି । ସେହିଭଳି ସର୍ଭେରେ ଭାଗ ନେଇଥିବା ୫୮% ଜବାବଦାତା କହିଛନ୍ତି, ଟିକସ ପରିମାଣ କମାଇଲେ ସରକାର କ୍ଷତିରେ ପଡ଼ିପାରନ୍ତି । ବିଶେଷକରି ସାମାଜିକ ସ୍କିମ୍ରେ ବ୍ୟୟ ପରିମାଣ ବଢ଼ିଥିବାରୁ ସରକାର ରାଜସ୍ୱ ଆୟ ଉପରେଧ୍ୟାନ ଦେବେ । ଏଥିପାଇଁ ଉଚ୍ଚ ଆୟକାରୀଙ୍କୁ ଟାର୍ଗେଟ୍ କରାଯିବ । ବର୍ଷକୁ ୧୦ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ଲୋକଙ୍କ କ୍ଷେତ୍ରରେ ଟିକସ ପରିମାଣ ୪୦% ପର୍ଯ୍ୟନ୍ତ ବଢ଼ିପାରେ । ଅନ୍ୟପକ୍ଷରେ ସରକାର ସମ୍ପତ୍ତି ଟିକସ ଲାଗୁ କରିପାରନ୍ତି ବୋଲି କିଛି ଦର୍ଶାଇଛନ୍ତି ।
ଅର୍ଥମନ୍ତ୍ରୀ ସୀତାରମଣ ଜୁଲାଇ ୫ ବଜେଟ୍ରେ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ବଡ଼ ସଂଶୋଧନ ଆଣିପାରନ୍ତି ବୋଲି ୫୩% ଜବାବଦାତା ଦର୍ଶାଇଛନ୍ତି । ଅନ୍ୟପକ୍ଷରେ ସୀତାରମଣ କର୍ପୋରେଟ୍ ଟିକସ ପରିମାଣ ୨୫%କୁ କମାଇବେ ନାହିଁ ବୋଲି ୪୬% ଜବାବଦାତା କହିଛନ୍ତି । ଶିଳ୍ପ ପକ୍ଷରୁ କର୍ପୋରେଟ୍ ଟିକସ ପରିମାଣ ହ୍ରାସ ପାଇଁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି । କିନ୍ତୁ ସରକାର ଏହି ପଦକ୍ଷେପ ନେବେନାହିଁ ବୋଲି ସର୍ଭେରେ ଦର୍ଶାଯାଇଛି ।
Comments are closed, but trackbacks and pingbacks are open.