ଜଗତସିଂହପୁର,(ବି.ବି.ନୁ୍ୟଜ୍): ଜବରଦଖଲରେ ଥିବା ଦୋକାନ ଗୃହ ଉଚ୍ଛେଦକୁ କେନ୍ଦ୍ର କରି ରଘୁନାଥପୁରରେ ଆଜି ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ଉଚ୍ଛେଦ ବେଳେ ବ୍ୟବସାୟୀ ଓ ପୁଲିସ ମୁହାଁମୁହିଁ ହେବାରୁ ଉଭୟପକ୍ଷଙ୍କ ଭିତରେ ଖଣ୍ଡଯୁଦ୍ଧ ହୋଇଛି । ଧସ୍ତାଧସ୍ତି ଓ ଧାରଣା ଯୋଗୁଁ ଉଚ୍ଛେଦ କାର୍ଯ୍ୟ ସମ୍ଭବ ହୋଇନାହିଁ ।
ବ୍ୟବସାୟୀମାନଙ୍କ ପରିବାର ଲୋକେ ଧାରଣାରେ ସାମିଲ ହେବା ସହ ବୁଲଡୋଜର ଆଗରେ ଶୋଇ ପଡ଼ିଥିଲେ । ରାସ୍ତାରେ ଧାରଣା ଯୋଗୁଁ ରଘୁନାଥପୁର-ଗାନ୍ଧିଛକ ରାସ୍ତା ସଂପୂର୍ଣ୍ଣ ଅବରୋଧ ହୋଇଥିଲା । ଏହାସହ କଟକ-ପାରାଦୀପ ରାସ୍ତାରେ କିଛି ସମୟ ପାଇଁ ଗାଡ଼ି ମୋଟର ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ପୁଲିସ ବଳ ପ୍ରୟୋଗ କରି ଧାରଣାକାରୀଙ୍କୁ ଉଠାଇବାକୁ ଚେଷ୍ଟା କରି ମାଡ଼ ଦେଇଥିବା ଅଭିଯୋଗ ହୋଇଛି । ପୁଲିସ ମାଡ଼ରେ ସ୍ଥାନୀୟ ଚା’ ଦୋକାନୀ ରବିନ୍ଦ୍ର ରାଉତ ଅଚେତ ହୋଇପଡ଼ିବା ସହ ୨ ଜଣ ଆହତ ହୋଇଥିବା କୁହାଯାଉଛି । ପୁଲିସ ମାଡ଼ରେ ପାନ ଦୋକାନୀ ଅକ୍ଷୟ ସାହୁ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ପୁଲିସର ଲାଠିମାଡ଼ ପରେ ଉତ୍ତ୍ୟକ୍ତ ଜନତା ସଂଘବଦ୍ଧ ଭାବେ ତିର୍ତ୍ତୋଲ ଥାନାର ଜଣେ ଏସ୍ଆଇଙ୍କ ପୋଷାକରେ ଲାଗିଥିବା ତାରା (ଷ୍ଟାର୍)କୁ ଛିଡ଼ାଇ ଦେବା ସହ ପୋଷାକକୁ ଚିରିଦେଇଛନ୍ତି । ପାଖାପାଖି ଏକ ଘଣ୍ଟା ଧରି ପୁଲିସ ଓ ବ୍ୟବସାୟୀଙ୍କ ଭିତରେ ଛକାପଞ୍ଝା ଲାଗି ରହିଥିଲା । ତୀବ୍ର ବିରୋଧ ଓ ଉତ୍ତେଜନା ଭିତରେ ଉଛେଦ ସମ୍ଭବପର ନହେବାରୁ ଶେଷରେ ପୁଲିସ ଓ ତହସିଲ ପ୍ରଶାସନ ଘଟଣାସ୍ଥଳରୁ ପଛକୁ ହଟି ଯାଇଥିଲେ ।
Comments are closed, but trackbacks and pingbacks are open.