ବ୍ରହ୍ମପୁର, (ବି.ବି.ନୁ୍ୟଜ): ହମ୍କୋ ଖାନା ମିଲ୍ଗୟା… ଇଏ ଥିଲା ଗତ ୩ ଦିନ ଧରି ଭୋକିଲା ଅବସ୍ଥାରେ ରହିଥିବା ଜଣେ ଦାଦନ ଶ୍ରମିକ ପେଟପୁରା ଖାଇବା ପରେ କହିଥିବା ପଦେ କଥା । ନିଜ ଘର ଲୋକଙ୍କୁ ଜଣେ ସହୃଦୟ ବ୍ୟକ୍ତିଙ୍କ ଫୋନ୍ ଯୋଗେ ଏହି କଥା କହିଥିଲେ ଉତ୍ତରପ୍ରଦେଶ ରାଜ୍ୟ ବନାରସ ନିକଟ ଭଦୋଇ ଜିଲ୍ଲାର ସନ୍ତୋଷ ବନବାସୀ । ତାଙ୍କ ସହ ମୋଟ ୧୦ ଜଣ ଦାଦନ ଶ୍ରମିକଙ୍କୁ ମଙ୍ଗଳବାର ଅପରାହ୍ଣରେ ବ୍ରହ୍ମପୁର ଉପକଣ୍ଠ ଆଙ୍କୁଶପୁର ରାସ୍ତାକଡରୁ ଉଦ୍ଧାର କରାଯାଇଥିଲା । ପରେ ଶ୍ରମ ବିଭାଗ ସହାୟତାରେ ସେମାନଙ୍କୁ ଖାଦ୍ୟପେୟ ଯୋଗାଇ ଦିଆଯିବା ସାଙ୍ଗକୁ ସଡ଼କ ପଥରେ ଭୁବନେଶ୍ୱର ପଠାଯାଇଛି । ସେଠାକାର ଶ୍ରମ ବିଭାଗ ଅଧିକାରୀଙ୍କ ସହଯୋଗରେ ସେମାନଙ୍କୁ ଟ୍ରେନ୍ ଯୋଗେ ନିଜ ଅଞ୍ଚଳକୁ ପଠାଯିବା ବ୍ୟବସ୍ଥା କରାଯାଇଛି ।
ଆଲୋଚନା ବେଳେ ସନ୍ତୋଷ କହିଛନ୍ତି ଯେ- ଭଦୋଇ ଜିଲ୍ଲାରୁ ସେମାନେ ପ୍ରାୟ ୩ ମାସ ତଳେ ତାମିଲନାଡୁର କାଞ୍ଚିପୁରମ୍କୁ ନିର୍ମାଣ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ । ମାଲିକ ଖାଦ୍ୟ ଓ ରହଣୀ ବ୍ୟବସ୍ଥା ସାଙ୍ଗକୁ ପ୍ରତି ମାସ ଘରକୁ ପଠାଇବା ସକାଶେ ୨ ହଜାର ଟଙ୍କା ପ୍ରାପ୍ୟ ଏବଂ ପ୍ରତି ସପ୍ତାହକୁ ଚଳିବା ପାଇଁ ୩ଶହ ଟଙ୍କା ଦେବ ବୋଲି କହିଥିଲା । ତେବେ ଦୈନିକ ୧୦ରୁ ୧୨ ଘଣ୍ଟା ଖଟାଉଥିଲା । ଗତ ସପ୍ତାହରେ ସେଠାରେ କାମ କରୁଥିବା ପ୍ରାୟ ୨୫ ଜଣ ଶ୍ରମିକଙ୍କ ଗୋଟିଏ ଗୋÂୀ ସହ ଏମାନଙ୍କ ବିବାଦ ହୋଇଥିଲା । ଏହା ପରେ ମାଲିକ ସେମାନଙ୍କ ସପକ୍ଷ ନେଇ ଏମାନଙ୍କୁ ମାରପିଟ କରି ତଡି ଦେଇଥିଲା । ଏପରିକି ମଜୁରୀ ମଧ୍ୟ ଦେଇ ନଥିଲା । ତିନି ଦିନ ତଳେ କାଞ୍ଚିପୁରମ୍ରୁ ଚାଲି ଚାଲି ବାହାରିବା ପରେ କିଛି ଟ୍ରକ୍ ଡ୍ରାଇଭର୍ଙ୍କ ସହାୟତାରେ ସେମାନେ ମଙ୍ଗଳବାର ବ୍ରହ୍ମପୁର ପହଞ୍ଚିଥିଲେ ।
କାମ, ଖାଦ୍ୟ ସାଙ୍ଗକୁ ରହଣୀ ଅଭାବରୁ ବାଧ୍ୟ ହୋଇ ସେମାନେ ନିଜ କାମ କରିବା ସ୍ଥାନ ଛାଡ଼ିଥିଲେ । ଗତ ୩ ଦିନ ହେଲା ସେମାନେ ପ୍ରାୟ କିଛି ଖାଇ ନଥିଲେ । ବାଟରେ କେବଳ ପାଣି ପିଇ ପିଇ ଦିନ କାଟିଥିଲେ । ସୂଚନା ପାଇ ତଥା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିଦେ୍ର୍ଧଶକ୍ରମେ ଜିଲ୍ଲା ଶ୍ରମ ଅଧିକାରୀ ବାବୁଲାଲ ପାତ୍ର ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ଖାଦ୍ୟପେୟ ବ୍ୟବସ୍ଥା କରିଥିଲେ । ସେମାନଙ୍କ ପରିଚୟ ପଞ୍ଜିକରଣ କରି ଏକ ବୋଲେରୋରେ ଭୁବନେଶ୍ୱର ପଠାଯାଇଛି, ସେଠାରୁ ଉତ୍ତରପ୍ରଦେଶ ଯିବେ । ସେମାନଙ୍କ ପାଇଁ ଆଜି ରାତ୍ର ଖାଦ୍ୟ ପ୍ୟାକେଟ୍ ମଧ୍ୟ ଦିଆଯାଇଛି ।


Comments are closed, but trackbacks and pingbacks are open.