ଉତ୍ତର କୋରିଆ ମାଟିରେ ପାଦ ରଖିଲେ ଟ୍ରମ୍ପ

Get real time updates directly on you device, subscribe now.

ପନମୁନଜୋମ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଉତ୍ତର କୋରିଆ ମୁଖ୍ୟ କିମ୍ ଜଙ୍ଗ ଉନ୍ଙ୍କ ସହ ସାକ୍ଷାତ କରିଛନ୍ତି । ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ସୀମାକୁ ଅଲଗା କରୁଥିବା ଅଣସାମରିକ କ୍ଷେତ୍ର (ଡି ମିଲିଟାରାଇଜ୍ଡ ଜୋନ-ଡିଏମ୍ଜେଡ୍)ରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । କୌଣସି ଆମରିକୀୟ ରାଷ୍ଟ୍ରପତି ଡିଏମ୍ଜେଡ୍ରେ ଉତ୍ତରକୋରିଆ ରାଷ୍ଟ୍ରମୁଖ୍ୟଙ୍କୁ ସାକ୍ଷାତ କରିବା ଘଟଣା ଏହା ପ୍ରଥମ ।
ଏକ ଐତିହାସିକ ଘଟଣାକ୍ରମେ ଟ୍ରମ୍ପ ପ୍ରଥମେ ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆକୁ ବିଭାଜିତ କରୁଥିବା ଡିଏମ୍ଜେଡ୍ କଂକ୍ରିଟ୍ ସୀମାରେ ପହଞ୍ଚିଥିଲେ । କିମ୍ ତାଙ୍କୁ ସ୍ୱାଗତ କରିବା ପାଇଁ ଏଠାରେ ପହଞ୍ଚି ତାଙ୍କ ସହ ହାତ ମିଳାଇଥିଲେ । ପରେ କିମ୍ ଟ୍ରମ୍ପଙ୍କୁ ଉତ୍ତର କୋରିଆ ମାଟିକୁ ପାଛୋଟି ନେଇଥିଲେ । ଟ୍ରମ୍ପ ଉତ୍ତର କୋରିଆ ସୀମାରେ ପାଦ ରଖିବା ମାତ୍ରେ କିମ୍ କରତାଳି ମାରି ଟ୍ରମ୍ପକୁ ସ୍ୱାଗତ କରିବା ସହ ପୁଣି ତାଙ୍କ ସହ ହାତ ମିଳାଇଥିଲେ । ଏହାର କିଛି ସମୟ ପରେ ଟ୍ରମ୍ପ ପୁଣି ଡିଆରଜେଡ୍କୁ ଚାଲିଆସିଥିଲେ । ସେଠାରେ ଉପସ୍ଥିତ ଥିବା ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ ଜାଏ-ଇନ୍ଙ୍କ ସହ ହାତ ମିଳାଇଥିଲେ । ମୁନ ମଧ୍ୟ ଟ୍ରମ୍ପଙ୍କୁ ତାଙ୍କ ଦେଶର ମାଟିକୁ ପାଛୋଟି ନେଇଥିଲେ । ସେଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଟ୍ରମ୍ପ କହିଥିଲେ ଯେ ‘ସାରା ବିଶ୍ୱ ପାଇଁ ଏହା ଏକ ବିଶେଷ ମୁହୂର୍ତ୍ତ ଏବଂ ଏଠାକୁ ଆସିବା ମୋ ପାଇଁ ଏକ ସମ୍ମାନର କଥା ।’ । ଗତ ଫେବ୍ରୁଆରୀ ମାସରେ ଭିଏତ୍ନାମର ହାନୋଇ ଠାରେ ଉଭୟ ନେତାଙ୍କ ମଧ୍ୟରେ ବୈଠକ ବିଫଳ ହେବା ପରେ ଦୁଇଦେଶ ମଧ୍ୟରେ ତିକ୍ତତା ବଢ଼ିଥିବା ଆଶଙ୍କାକୁ ଟ୍ରମ୍ପ ଏଡାଇ ଦେଇଥିଲେ । କହିଥିଲେ, ‘ଆମେ ହାତ ମିଶାଇ ଉଭୟଙ୍କୁ ଅଭିବାଦନ କରିବୁ କାହିଁକି ନା ଭିଏତ୍ନାମ ପରେ ଆମେ ଆଉ ଦେଖା ହୋଇନାହୁଁ’ । ଉଭୟ ପକ୍ଷ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ୱାଗତପର୍ବ ଶେଷ ହେବା ପରେ ଟ୍ରମ୍ପ ଓ କିମ୍ ରୁଦ୍ଧଦ୍ୱାର ବୈଠକ କରିଥିଲେ । ଉଭୟ ନେତା ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ ।
ବୈଠକ ପରେ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ଭଲ ଓ ଫଳପ୍ରଦ ହୋଇଛି । ଏକାଠି ମିଶି କାର୍ଯ୍ୟ କରିବାକୁ ଆମେ ସହମତ ହୋଇଛୁ । ଦେଖାଯାଉ ଭବିଷ୍ୟତରେ କଣ ହେଉଛି । ଉତ୍ତର କୋରିଆର ଆଣବିକ କାର୍ଯ୍ୟକ୍ରମକୁ ନେଇ ବନ୍ଦ ରହିଥିବା କଥାବାର୍ତ୍ତା ଆଗକୁ ଜାରି ରହିବ । ଏଥିପାଇଁ ଉଭୟ ଦେଶ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ । କିନ୍ତୁ ଉତ୍ତର କୋରିଆ ସହ ଏତେଶୀଘ୍ର ରାଜିନାମା କରିବା ସପକ୍ଷରେ ସେ ନଥିବା ଟ୍ରମ୍ପ କହିଛନ୍ତି । ଉଭୟଙ୍କ ମଧ୍ୟରେ ହୋଇଥିବା ଏହି ସାକ୍ଷାତକାରକୁ ଅନ୍ତର୍ଜାତୀୟ ସ୍ତରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଚାର କରାଯାଉଛି । ଭିଏତ୍ନାମା ବାର୍ତ୍ତା ବିଫଳ ହେବା ପରେ ଏବଂ ଉତ୍ତରକୋରିଆ ମିସାଇଲ ପରୀକ୍ଷଣ କରିବା ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତତର ହେଉଥିବା ଆଶଙ୍କା କରାଯାଉଥିଲା । କିନ୍ତୁ ଏହି ସାକ୍ଷାତକାର ଦ୍ୱାରା ଉଭୟ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହୋଇପାରିବ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ ଏଭଳି କରି ଟ୍ରମ୍ପ ସମ୍ପୂର୍ଣ୍ଣ ବିଶ୍ୱକୁ ବିଶେଷ କରି ଭେନିଜୁଏଲା ଏବଂ ଇରାନ୍କୁ ଶତ୍ରୁଙ୍କ ସହ ମଧ୍ୟ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖାଯାଇପାରେ ବୋଲି ବାର୍ତ୍ତା ଦେବାକୁ ଚାହୁଁଥିବା ଅନୁମାନ କରାଯାଉଛି ।
ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁନ୍ରେ ଉଭୟ ରାଷ୍ଟ୍ରମୁଖ୍ୟ ପ୍ରଥମ ଥର ପାଇଁ ପରସ୍ପର ସହ ସାକ୍ଷାତ କରିଥିଲେ । ପରେ ଚଳିତ ବର୍ଷ ଫେବ୍ରୁଆରୀରେ ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭିଏତ୍ନାମର ହାନୋଇରେ ସାକ୍ଷାତ ହୋଇଥିଲା । କିନ୍ତୁ ଏହି ସାକ୍ଷାତ ସମୟରେ ଉତ୍ତରକୋରିଆ ଉପରେ ଲାଗିଥିବା କଟକଣା ହଟାଇବା ପାଇଁ କିମ୍ ପ୍ରସ୍ତାବ ଦେବା ପରେ ଟ୍ରମ୍ପ ଏହାକୁ ଅସ୍ୱିକାର କରିଥିଲେ । ଯାହାଫଳରେ ଦୁଇଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons