ଉଦ୍ୟାନ ବିଭାଗର କେଳେଙ୍କାରୀ:ସାର ଓ କୀଟନାଶକ ଯୋଗାଣରେ ମହାଦୁର୍ନୀତି

Get real time updates directly on you device, subscribe now.

ରାୟଗଡା,(ବି.ବି.ନୁୁ୍ୟଜ୍): ରାୟଗଡା ଜିଲ୍ଲା ଉଦ୍ୟାନ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଲୋକଲୋଚନକୁ ଆସିଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁ ଦୁର୍ନୀତି ବଢି ଚାଲିଛି । ବୃକ୍ଷରୋପଣ, ଚାରା ବଣ୍ଟନ ଠାରୁ ଆରମ୍ଭ କରି ହିତାଧିକାରୀ ଚୟନ ପର୍ଯ୍ୟନ୍ତ ସବୁଠି ଅନିୟମିତତା । ବିଭିନ୍ନ ଅନିୟମିତା ଲାଗି କୁଖ୍ୟାତି ଅର୍ଜନ କରିଥିବା ଜିଲ୍ଲାର କାଶୀପୁର ବ୍ଲକରେ ପୁଣିଥରେ କୋଟିଏ ଟଙ୍କାର ଦୁର୍ନୀତି ହୋଇଛି । ପୁରୁଣା ସାର ଓ କୀଟନାଶକ ସହ ଅବଧି ସରିଥିବା ସାମଗ୍ରୀ କିଣାଯାଇ ସେଗୁଡିକ ଖୋଲାମେଲାରେ ପକାଯାଇଛି । ଆଜି ପର୍ଯ୍ୟନ୍ତ ଏହା ହିତାଧିକାରୀଙ୍କ କୌଣସି କାମରେ ଲାଗିପାରି ନଥିବା ଅଭିଯୋଗ ହୋଇଛି ।
ଅନୁସନ୍ଧାନରୁ ଜଣାପଡିଛି ଯେ, ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକବର୍ଷରେ ହିତାଧିକାରୀ ଚୟନ କରାଯାଇ ସେମାନଙ୍କୁ ବିଭାଗ ପକ୍ଷରୁ ଆମ୍ବ ଓ କାଜୁ ଚାରା ବଣ୍ଟନ କରାଯାଇଥିଲା । ଏହାର ରକ୍ଷଣାବେକ୍ଷଣ ପାଇଁ ପ୍ରାୟ କୋଟିଏ ଟଙ୍କାର ସାର ଓ କୀଟନାଶକ ଚଳିତ ବର୍ଷ ବିଭାଗ ପକ୍ଷରୁ କିଣାଯାଇଛି । ବିଭାଗ ପକ୍ଷରୁ ଯେଉଁ ବ୍ରାଣ୍ଡର ସାମଗ୍ରୀ ଚୟନ କରାଯାଇଥିଲା ତାହା ହିତାଧିକାରୀଙ୍କୁ ଯୋଗାଣ ହୋଇଛି । ଓଡ଼ିଶା କୃଷି ଶିଳ୍ପ ନିଗମ ଓ ଜିଲ୍ଲା କୃଷି ବିଭାଗ ଜରିଆରେ ଏ ସବୁ କିଣାଯାଇଥିଲା । ଜିଲ୍ଲା କୃଷି ବିଭାଗ ମାଧ୍ୟମରେ ମୋରେ, ସୋଇଲକ୍ୱିନ୍, ମଞ୍ଚୁ, ଅବ୍ରିଟପ୍ଲସ, ଆମିନୋସ, ତେଜଭରିଆ କିଣାଯାଇଥିବା ବେଳେ ଓଡ଼ିଶା କୃଷି ଶିଳ୍ପ ନିଗମ ଜରିଆରେ ବାୟୋ ଫର୍ଟିଲାଇଜର କିଣାଯାଇଥିଲା । ବାୟୋ ଫର୍ଟିଲାଇଜର୍ କିଲୋ ପିଛା ୭.୮୦ ଟଙ୍କା, ମୋରେ ବୋତଲ ପିଛା ୪୭୫ ଟଙ୍କା, ସୋଇଲକ୍ୱିନ ବୋତଲ ପିଛା ୨୫୦ ଟଙ୍କା, ମଞ୍ଚୁ ପ୍ୟାକେଟ ପିଛା ୧ ହଜାର ୮୦ ଟଙ୍କା, ଅବ୍ରିଟପ୍ଲସ ବୋତଲ ପିଛା ୫୦୦ ଟଙ୍କା, ଆମିନୋସ ପ୍ୟାକେଟ ପିଛା ୬୫ ଟଙ୍କା ଓ ତେଜଭେରିଆ ପ୍ୟାକେଟ ପିଛା ୩୯୦ ଟଙ୍କା ଦରରେ କିଣା ଯାଇଛି । ବାୟୋ ଫର୍ଟିଲାଇଜର ୪ ଟି କିସ୍ତିରେ କିଣାଯାଇଥିବା କୃଷି ଶିଳ୍ପ ନିଗମ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ପ୍ରଥମ କିସ୍ତିରେ ୩୧ ହଜାର କେଜି, ଦ୍ୱିତୀୟ କିସ୍ତିରେ ୧୦ହଜାର ୭୮୦ କେଜି, ତୃତୀୟ କିସ୍ତିରେ ୨୫ ହଜାର କେଜି ଓ ଚତୁର୍ଥ କିସ୍ତିରେ ୧୬ ହଜାର ୭୮୦ କେଜି କିଣାଯାଇଛି । ଏଥି ନିମନ୍ତେ ସମ୍ପୃକ୍ତ କମ୍ପାନି ତରଫରୁ ୬ ଲକ୍ଷ ୪୭ ହଜାର ୪୦୦ ଟଙ୍କା ବିଲ ପ୍ରଦାନ କରାଯାଇଛି । ଅପରପକ୍ଷେ ଏହାଠାରୁ ଅଧିକ ପରିମାଣର ସାର ଓ କୀଟନାଶକ କିଣାଯାଇଥିବା ଜଣାପଡିଛି । ପ୍ରାୟ ୪ ଲକ୍ଷ ୫୦ ହଜାର ଟଙ୍କାର ମୋରେ, ୧୨ ଲକ୍ଷ ଟଙ୍କାର ସୋଇଲକ୍ୱିନ୍, ପ୍ରାୟ ୧୧ ଲକ୍ଷ ଟଙ୍କାର ମଞ୍ଚୁ, ୭ ଲକ୍ଷ ଟଙ୍କା ମୂଲ୍ୟର ଅବ୍ରିଟପ୍ଲସ, ପ୍ରାୟ ୩ ଲକ୍ଷ ଟଙ୍କାର ଆମିନୋସ ଏବଂ ପ୍ରାୟ ୬ ଲକ୍ଷ ଟଙ୍କାର ତେଜଭେରିଆ କୀଟନାଶକ କିଣାଯାଇଛି । ଏସବୁର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ହେବ ବୋଲି କାଶୀପୁର ବ୍ଲକର ହିତାଧିକାରୀମାନେ କହିଛନ୍ତି । ତେବେ କିଣାଯାଇଥିବା ଏହି କୋଟିଏ ଟଙ୍କାର ସାର ଓ କୀଟ ନାଶକ ଆଜି ଯାଏଁ ହିତାଧିକାରୀଙ୍କୁ ପ୍ରଦାନ କରାଯାଇନାହିଁ । ଇତି ମଧ୍ୟରେ ବର୍ଷା ଋତୁ ସରିବାକୁ ବସିଲାଣି । ସାର ଓ କୀଟନାଶକକୁ ଅପେକ୍ଷା କରି ହତାଶ ହେଲା ଚାଷୀ । କିନ୍ତୁ ବାବୁ ମାନଙ୍କ ନିଦ ଭାଙ୍ଗିଲାନି । ସରକାର କା ମାଲ୍ ଦରିୟା ମେଁ ଡାଲ ନ୍ୟାୟରେ ଏହି କୋଟିଏ ଟଙ୍କାର ସାର ଓ କୀଟ ନାଶକ କାଶୀପୁର ବ୍ଲକ ଚିଙ୍ଗୁଡ଼ିଝର ଫାର୍ମ ପରିସରରେ ଫିଙ୍ଗି ଦିଆଯାଇଛି । ବର୍ଷା ଓ ଖରାରେ ଗତ ୨୦ ଦିନହେଲା ଏହା ଖୋଲାମେଲାରେ ପଡ଼ିରହିଛି । କେଉଁ କାରଣରୁ ଏହା ବଣ୍ଟା ଯାଉନି ତାହା ତଦନ୍ତ ସାପେକ୍ଷ । ଇତିମଧ୍ୟରେ ଅନେକ ସାର ଓ କୀଟନାଶକର ଅବଧି ମଧ୍ୟ ଶେଷ ହୋଇଯାଇଛି । ଅବଧି ଶେଷ ହୋଇଥିବା ସାମଗ୍ରୀ ମଧ୍ୟ ଯୋଗାଣ ହୋଇଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ କମ୍ପାନିଗୁଡ଼ିକ ବିଭାଗୀୟ ଅଧିକାରୀଙ୍କୁ ଧରି ଏହିଭଳି ଅବ୍ୟବହୃତ ସାର ଓ କୀଟନାଶକ ଯୋଗାଇଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ନଥିପତ୍ର ହିସାବରେ ଯେତିକି ପରିମାଣ ସାମଗ୍ରୀ ଆସିବା କଥା ତାହା ଆସି ନାହିଁ । ଅଧା ପରିମାଣର ସାର ଓ କୀଟନାଶକ କିଣି ପୂରା ବିଲ ଦାଖଲ ହୋଇଥିବା ଅଭିଯୋଗ ହେଉଛି । ସରକାରଙ୍କ ଅଧା ପଇସା ଆତ୍ମସାତ କରି ଯାହା ବାକି ସାମଗ୍ରୀ ଆସିଲା ତାକୁ ଫିଙ୍ଗିଦେଲେ ବୋଲି ଲୋକେ କହୁଛନ୍ତି । ଗତବର୍ଷ ମଧ୍ୟ ସାର ଓ କୀଟନାଶକ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିଲା । ସେହି ସମୟରେ ବିଳମ୍ବରେ ଯାହା ଯୋଗାଣ ହୋଇଥିଲା ତାହା ଗଚ୍ଛିତ ରଖାଯାଇ ଚଳିତ ଥରର ଷ୍ଟକରେ ତାହାକୁ ମିଶାଇ ଦିଆଯାଇଛି । ଏଣେ ବାୟୋ ଫର୍ଟିଲାଇଜର ନାଁରେ ପାଉଁଶ ଓ ଅଙ୍ଗାର ଯୋଗାଣ ହୋଇଥିବା କେତେକ ହିତାଧିକାରୀ କହିଛନ୍ତି । ଗତବର୍ଷ ଅତ୍ୟନ୍ତ ନିମ୍ନମାନର ବାୟୋ ଫର୍ଟିଲାଇଜର ସାଙ୍ଗକୁ କୀଟନାଶକ ପ୍ରଦାନ କରିଥିଲା ବିଭାଗ । ଚାଷୀମାନେ ସେସବୁ ଗ୍ରହଣ କରି ନଥିଲେ । କୀଟନାଶକ ବୋତଲରେ କେବଳ ପାଣି ଥିଲା ବୋଲି ଅନେକ ଚାଷୀ ଅଭିଯୋଗ କରିଛନ୍ତି । ପ୍ରତିବର୍ଷ ଉଦ୍ୟାନବିଭାଗ ଏଭଳି ଚଞ୍ଚକତା କରୁଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ହିତାଧିକାରୀ କହିଛନ୍ତି । ଜିଲ୍ଲାର ସର୍ବାଧିକ ଚାରା ଉଦ୍ୟାନ ବିଭାଗ ପକ୍ଷରୁ କାଶୀପୁର ବ୍ଲକରେ ବଣ୍ଟନ ହୋଇଛି । ମୁଖ୍ୟତଃ ୨୦୧୪ ମସିହା ଠାରୁ ୨୦୧୮ ପର୍ଯ୍ୟନ୍ତ ୫ବର୍ଷ ଧରି ଚାରା ବଣ୍ଟନ କରାଯାଇଛି । ସେଗୁଡିକର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ଦାୟିତ୍ୱ ବିଭାଗ ହାତରେ ରହିଥିବା ବେଳେ ନିମ୍ନମାନର ଓ କମ ପରିମାଣ ସାର ଓ କୀଟନାଶକ ଯୋଗାଣ ଦ୍ୱାରା ଚାରାଗୁଡ଼ିକର ଉନ୍ନତି ନେଇ ସନେ୍ଦହ ସୃଷ୍ଟି ହୋଇଛି । ଏହାର ଉଚ୍ଚସ୍ତରୀୟ କିମ୍ବା ଭିଜିଲାନ୍ସ ତଦନ୍ତ କରାଗଲେ ଦୁର୍ନୀତିର ଗୁମର ଖୋଲିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଏସମ୍ପର୍କରେ ଜିଲ୍ଲାପାଲ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ଏହାର ଅନୁସନ୍ଧାନ କରାଯିବ । ଦୁର୍ନୀତି ହୋଇଥିଲେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଠାରୁ ଟଙ୍କା ଭରଣା କରାଯିବ ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons