ଉଧାର ଟଙ୍କା ସୁଝିବା ପାଇଁ ୨୦ ହଜାର ଟଙ୍କାରେ ୮ ଦିନର ଶିଶୁପୁତ୍ରକୁ ବିକିଲେ ମା’

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ଅଭାବୀ ପରିବାର । ପେଟ ଚାଖଣ୍ଡକ ଲାଗି ଧାର ଆଣିଥିଲେ କିଛି ଟଙ୍କା । ହେଲେ ଧାର ଟଙ୍କା ସୁଝି ପାରିନଥିଲେ । ଟଙ୍କା ସୁଝିବାକୁ ବାରମ୍ବାର ତାଗିଦା ଆସିଲା । ଶେଷରେ କୌଣସି ଉପାୟ ନପାଇ ମାଆ ନିଜ ୮ଦିନର ଶିଶୁ ପୁତ୍ରକୁ ମାତ୍ର ୨୦ ହଜାର ଟଙ୍କାରେ ବିକି ଦେଲା । ବାଲେଶ୍ୱର ଭଳି ଶିକ୍ଷିତ ତଥା ସଚେତନ ଜିଲ୍ଲାର ଘଟିଛି ଏପରି ଘଟଣା । ଶିଶୁ ବିକ୍ରି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଛି ଆଲୋଡ଼ନ । ଘଟଣା ଘଟିଛି ବାଲେଶ୍ୱର ସହରର ଦରଘା ପଡ଼ିଆ ଅଞ୍ଚଳରେ ।
ସୂଚନା ଅନୁଯାୟୀ, ଟାଉନ ଥାନା ଅନ୍ତର୍ଗତ ଦରଘା ପଡ଼ିଆ ଅଞ୍ଚଳରେ ରୁହନ୍ତି ସେକ୍ ପିରୁ, ସ୍ତ୍ରୀ ହୁସୁନାତୁନ୍ ବିବି । ପ୍ରାୟ ୨ ମାସ ପୂର୍ବରୁ ଫୁଲ୍ବଜାର ଅଞ୍ଚଳର ସେଖ୍ ଟୁକୁନ୍ଙ୍କ ନିକଟରୁ ସେମାନେ ୭ହଜାର ଟଙ୍କା ଉଧାର ଆଣିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଟଙ୍କା ପରିଶୋଧ କରିବାକୁ ଅକ୍ଷମ ହୋଇଥିଲେ । ପୁନଶ୍ଚ ଟଙ୍କାର ଆବଶ୍ୟକତା ପଡ଼ିବାରୁ ଉକ୍ତ ବ୍ୟକ୍ତିଙ୍କ ନିକଟରୁ ପୁଣି ୧୩ହଜାର ଟଙ୍କା କରଜ ଆଣିଥିଲେ । ପ୍ରତିବଦଳରେ ଟୁକୁନ୍ଙ୍କୁ ନିଜର ୮ଦିନର ଶିଶୁ ପୁତ୍ର ବିକିବାକୁ ରାଜି ହୋଇଥିଲେ । ପୂର୍ବ ସର୍ତ୍ତ ଅନୁଯାୟୀ ଶୁକ୍ରବାର ହୁସୁନାତୁନ୍ ନିଜର ୮ ଦିନର ଶିଶୁ ପୁତ୍ରକୁ ଟୁକୁନଙ୍କୁ ବିକ୍ରି କରିଛନ୍ତି । ଶିଶୁ ପୁତ୍ର ଜଣକ ଦମ୍ପତିଙ୍କ ୬Â ସନ୍ତାନ ବୋଲି ଜଣାପଡ଼ିଛି ।
ଏହି ଘଟଣାକୁ ଉଭୟ ପିରୁ ଓ ହୁୁସୁନାତୁନ୍ ସ୍ୱୀକାର କରିଛନ୍ତି । ୨୦ ହଜାର ଟଙ୍କାରେ ସେମାନେ ଉକ୍ତ ବ୍ୟକ୍ତି ଜଣକୁ ଶିଶୁପୁତ୍ର ବିକ୍ରି କରିଥିବା କହିଛନ୍ତି । କେବଳ ଏହି ଶିଶୁ ପୁତ୍ର ନୁହେଁ, ପୂର୍ବରୁ ଏମିତି ଆଉ ୨ଟି ପୁତ୍ର ସନ୍ତାନଙ୍କୁ ୨୦ରୁ ୨୫ ହଜାର ଟଙ୍କାରେ ମଧ୍ୟ ବିକ୍ରି କରିଥିବା ମଧ୍ୟ ସ୍ୱୀକାର କରିଛନ୍ତି । ଏହି କାମରେ ସେହି ଅଞ୍ଚଳର ୨ଜଣ ଯୁବକ ସେମାନଙ୍କୁ ସାହାଯ୍ୟ କରିଥିବା ସେମାନେ କହିଛନ୍ତି ।
ଅପରପକ୍ଷେ ଏଭଳି ଘଟଣାକୁ ସ୍ଥାନୀୟ ଅଞ୍ଚଳର ଲୋକେ ବିରୋଧ କରିଛନ୍ତି । ସେମାନେ କହିଛନ୍ତି, ଏହି ଅଞ୍ଚଳରେ ପିଲା ବିକ୍ରି ଘଟଣା ନୂଆ ନୁହେଁ । ବେଳେ ବେଳେ ଏହି ଅଞ୍ଚଳର ଗରିବ ମୁସଲ୍ମାନ ଦମ୍ପତି ସେମାନଙ୍କ ପିଲାଙ୍କୁ ୩୦ରୁ ୩୫ ହଜାର ଟଙ୍କାରେ ବିକ୍ରି କରନ୍ତି । ଏନେଇ ଏହି ଅଞ୍ଚଳରେ ଦୀର୍ଘ ଦିନ ହେବ ଏକ ର୍ୟାକେଟ୍ କାମ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଏ ନେଇ ଶେଖ୍ ଟୁକୁନଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇନଥିଲା । ରିପୋର୍ଟ ଲେଖା ହେବା ସୁଦ୍ଧା ଟାଉନ ଥାନାରେ ଏ ସମ୍ପର୍କରେ କୌଣସି ଅଭିଯୋଗ ହୋଇନି । ଖବର ପାଇ ଉଭୟ ସିଡବ୍ଲୁସି ଓ ଚାଇଲ୍ଡ ଲାଇନ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons